ମାଲକାନଗିରି: ଦୁର୍ଦ୍ଦଷ ମାଓନେତା ହିଡ଼ମା ଓ ତାର ସହଯୋଗୀଙ୍କ ନାମରେ ଟଙ୍କା ଆଦାୟ କରୁଥିଲେ । ପ୍ରଜାକୋର୍ଟ ମଧ୍ୟ କରୁଥିଲେ । ଧମକ ଦେଉଥିଲେ, କଠୋର ଦଣ୍ଡ ଦେବାନେଇ ଚେତାବନୀ ମଧ୍ୟ ଦେଉଥିଲେ । ଗତ କିଛି ଦିନ ହେବ ମାଓବାଦୀ ନାମରେ ଚିତ୍ରକୋଣ୍ଡା ଏରିଆରେ ଏମାନଙ୍କ ଦମନ ଲୀଳା ଚାଲିଥିଲା । ହେଲେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମଧ୍ୟ ଅପରେସନ ଆରମ୍ଭ କଲା । 5 ଜଣ ନକଲି ମାଓବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଦେଶୀ ବନ୍ଧୁକ ଓ ଅନ୍ୟ ସାମଗ୍ରୀ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ । ଏ ନେଇ ମାଲକାନଗିରି ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ଓ ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକା ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
- ଥାନାରେ ଅଭିଯୋଗ କରିଥିଲେ ନାଏବ ସରପଞ୍ଚ
ଡିଏସପି ଲକ୍ଷ୍ମୀଧର ସ୍ୱାଇଁ କହିଛନ୍ତି,‘‘ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତର ନାଏବ ସରପଞ୍ଚ ଭକ୍ତରାମ ଶୀଶା ଚିତ୍ରକୋଣ୍ଡା ଥାନାରେ ଚଳିତ ମାସ (ଡିସେମ୍ବର) ୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଏହି ଆଧାରରେ ଚିତ୍ରକୋଣ୍ଡା ପୋଲିସ ତଦନ୍ତ କରି 5 ନକଲି ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏମାନେ ହେଲେ ମନ ପାଙ୍ଗି (୪୬), ଏମ.ନାରାୟଣ (୩୧), ଜଗୁ ହନ୍ତାଳ (୫୨), ବିନୋଦ ଜେନା (୩୧) ଓ ଉମାକାନ୍ତ ମାଧେଭି (୨୫) ଏହି ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ ବଡ଼ପଦର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମାଲକାନଗିରିର ବାସିନ୍ଦା ।’’
- ଦେଶୀ ବନ୍ଧୁକ, ନକଲି ମାଓଚିଠି ଜବତ:-
ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୩ଟି ମୋବାଇଲ ଓ ମାଓବାଦୀ ଚିଠି ଜବତ କରାଯାଇଛି । ଏହି ୫ ଜଣ ମିଶି ସ୍ଥାନୀୟ ଲୋକଙ୍କଠାରୁ ମାଓନେତା ହିଡ଼ମାର ସହଯୋଗୀ ବୋଲି କହି ଟଙ୍କା ଆଦାୟ, ଶୋଷଣ ଓ ପ୍ରଜକୋର୍ଟରେ ମୃତ୍ୟୁଦଣ୍ଡ ଦେବାକୁ ମଧ୍ୟ ଧମକ ଦେଉଥିଲେ । ନାୟବ ସରପଞ୍ଚ ଓ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ପ୍ରଜାକୋର୍ଟକୁ ଡାକି ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ଗତକାଲି ଏହି ପାଞ୍ଚ ନକଲି ମାଓବାଦୀଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ କରିବା କେସ ନମ୍ବର ୨୦୪/୨୪ ଅନୁଯାୟୀ କୋର୍ଟ ଚାଲାଣ କରିଛି ।
ଇଟିଭି ଭାରତ, ମାଲକାନଗିରି