କେନ୍ଦୁଝର: ଜିଲ୍ଲାରେ ପୁରୁଣା ବିହନକୁ ନେଇ ପାରମ୍ପରିକ ବିହନ ମେଳା ଓ ଆନ୍ତଃଜିଲ୍ଲା ଜୈବ ବିବିଧତା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଜଳବାୟୁ ପ୍ରଭାବରୁ ବିଲୁପ୍ତ ହେବାକୁ ବସିଥିବା ବିଭିନ୍ନ ଖାଦ୍ୟ ପଦାର୍ଥର ବିହନକୁ ପ୍ରଦର୍ଶନ କରିଥିଲେ ଆଦିବାସୀମାନେ । ବିଗିଡି ଯାଇଥିବା ପାଣିପାଗକୁ ପ୍ରତିହତ କରି ଖାଦ୍ୟ ଯୋଗାଉଥିବା ବିହନ ଗୁଡିକ ସଂରକ୍ଷଣ, ଅଦଳବଦଳ ଓ ସମ୍ପ୍ରସାରଣ କରି ଚାଷ କରିବା ଏବଂ ଛୋଟ, ମଧ୍ୟବିତ୍ତ ଓ ନାମମାତ୍ର ଚାଷୀଙ୍କୁ ସ୍ଵାବଲମ୍ବୀ କରି ଜୀବିକା ନିର୍ବାହ କରିବା ଦିଗରେ ସହାୟତା ପ୍ରଦାନ କରିବା ପାଇଁ ଏହି ମେଳା ଅନୁଷ୍ଠିତ ହୋଇଯାଇଛି ।
କେନ୍ଦୁଝର ଜିଲ୍ଲାର ସ୍ଥାନୀୟ ଗୁଜରାଟୀ ସମାଜ ଠାରେ ପାରମ୍ପରିକ ବିହନ ମେଳା ଓ ଚତୁର୍ଥ ତମ ଆନ୍ତଃଜିଲ୍ଲା ଜୈବ ବିବିଧତା ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ କିର୍ତ୍ତୀର ସହଯୋଗରେ କୃଷି ଅଧିକାର ସମିତି ଦ୍ବାରା 2 ଦିନ ଧରି ଚାଲିଥିବା ଏହି ମେଳାରେ ଅନେକ ପାରମ୍ପରିକ ବିହନର ପ୍ରଦର୍ଶନ କରାଯାଇଥିଲା । ପାଣିପାଗ ପରିବର୍ତ୍ତନ କିମ୍ବା ଅଧିକ ଅମଳ ଆଶାରେ ଚାଷୀ ବର୍ତ୍ତମାନ ପାରମ୍ପରିକ ବିହନକୁ ଭୁଲି ଯାଇଥିବା ବେଳେ ଏହି ବିହନ ପୂର୍ବରୁ କେତେ ହିତକର ସାଜୁଥିଲା ସେନେଇ ମେଳାରେ ଉପସ୍ଥାପନ କରାଯାଇଛି ।
ଦେଶୀ ଖାଦ୍ୟ ଗୁଡିକ ଶରୀରକୁ ସୁସ୍ଥ ରଖିଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ହଜମ ପ୍ରକିୟା ତ୍ବରାନ୍ବିତ ହେବା ସହ ଶରୀରରେ ଇନ୍ସୁଲିନ୍ ବୃଦ୍ଧି କରିଥାଏ । ତେଣୁ ପୂର୍ବକାଳରେ ଲୋକେ ଦେଶୀ ଖାଦ୍ୟ ବ୍ୟବହାର କରୁଥିବାରୁ ନିରୋଗ ରହିବା ସହିତ ଅଧିକ ଦିନ ବଞ୍ଚି ରହୁଥିଲେ । ତେଣୁ ବର୍ତ୍ତମାନ ବହୁ ଆଦିବାସୀ ଅଞ୍ଚଳରେ ସେହି ପାରମ୍ପରିକ ବିହନକୁ ବ୍ୟବହାର କରାଯାଉଥିବା ବେଳେ ସେମାନେ ସଂରକ୍ଷଣ କରିଥିବା ବିହନକୁ ନେଇ ଏହି ମେଳା ଆୟୋଜନ କରାଯାଇଛି ।
ରାଜ୍ୟର ୫ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ସୁନ୍ଦରଗଡ଼, ଝାରସୁଗୁଡା ଓ ପଡୋଶୀ ଝାଡ଼ଖଣ୍ଡର ସିଂହଭୂମରୁ ୨୨୦ ଜଣ ଚାଷୀ ଏହି ବିହନ ମେଳାରେ ଯୋଗଦେଇ ନିଜ ନିଜ ଅଞ୍ଚଳରେ ହେଉଥିବା ଚାଷର ବିହନ ଓ ଅଣ କୃଷି ଖାଦ୍ୟ ପଦାର୍ଥ ପ୍ରଦର୍ଶନ କରିଥିଲେ । ମେଳାରେ ବିଭିନ୍ନ ପ୍ରାନ୍ତରୁ ୧୭୦ ପ୍ରକାର ଦେଶୀ ଧାନ, ୭୦ ପ୍ରକାର ଜଙ୍ଗଲ ଶାଗ, ୨୨ ପ୍ରକାର କ୍ଷୁଦ୍ର ଶସ୍ୟ, ୧୩ ପ୍ରକାର ଡ଼ାଲି ଜାତୀୟ, ୧୦ ପ୍ରକାର ଜଙ୍ଗଲ ଛତୁ, ୧୮ ପ୍ରକାର ତୈଳବୀଜ ଓ ୩୧ ପ୍ରକାର ମୂଳ ଜାତୀୟ ଖାଦ୍ୟ ଆଦି ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଚାଷୀମାନେ ବିଲୁପ୍ତ ହୋଇପଡୁଥିବା ବିହନକୁ ଅଦଳବଦଳ କରିଥିଲେ । ଏହା ସହ ଆଗାମୀ ପିଢ଼ି ପାଇଁ ଏହି ପାରମ୍ପରିକ ବିହନ ସଂରକ୍ଷଣ କରିବା ସହ ତାଙ୍କୁ ଏଥିରେ ଜ୍ଞାନ ପ୍ରଦାନ କରିବାକୁ ଏହି ଆଦିବାସୀ ଚାଷୀମାନେ ପ୍ରତିଜ୍ଞା କରିଥିଲେ ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମରେେ ବହୁ ସମାଜସେବୀ ଓ ବୈଜ୍ଞାନିକ ମାନେ ଯୋଗଦେଇ ଜଳବାୟୁ ପରିବର୍ତ୍ତନରେ ସାମ୍ପ୍ରତିକ ପରିସ୍ଥିତିକୁ କିପରି ସମ୍ମୁଖୀନ କରିବା ଓ ଏଥରେ ଆମର ଭୂମିକା କ’ଣ ରହିବ ସେନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ଆଦିବାସୀ ସଶକ୍ତିକରଣ ଓ ଜୀବିକା ନିର୍ବାହ କାର୍ଯ୍ୟକ୍ରମର ପଦାଧିକାରୀ ଦେବକ ରଞ୍ଜନ ସାହୁ, ଅଭିଜିତ୍ ଦାସ ଯୋଗଦେଇ ବିହନ ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ । ଏଠାରେ ଉପସ୍ଥିତ ଚାଷୀମାନେ ଜୈବ ବିବିଧତା ବଜାଇ ରଖିବା ପାଇଁ ନିଜ ନିଜର ଭୂମିକା କ’ଣ ହେବ ବ୍ୟକ୍ତିଗତ ମତ ରଖିଥିବାବେଳେ ଅନୁଷ୍ଠାନର ସମ୍ପାଦକ ଦୁଷ୍କର ବାରିକ ସେମାନଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ଜଳବାୟୁ ପରିବର୍ତ୍ତନ ଓ ତା’ର ପ୍ରଭାବ ଉପରେ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
ଇଟିଭି ଭାରତ, କେନ୍ଦୁଝର