ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ସାମିଲ ହେବେ ଆଉ ୩୦ ହାଜର କଳାକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆଉ ତିରିଶ ହାଜର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି ପାଇବ । 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ଆସିଥିଲା ଏହି ଅନୁରୋଧ ଓ ପ୍ରସ୍ତାବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆଉ ତିରିଶ ହଜାର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା । 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହା ପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କଳାକାର ଯୋଜନା'ରେ ପୂର୍ବରୁ ୫୦,୦୦୦ କଳାକାର ସାମିଲ ଅଛନ୍ତି । ସେମାନଙ୍କୁ ମାସିକ ୧୨୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି ।
ଅଧିକ ପଢନ୍ତୁ- କଳାକାର ସହାୟତା ଯୋଜନା ପାଇଁ ସ୍ବତନ୍ତ୍ର ନିୟମାବଳୀ
ବର୍ତ୍ତମାନ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରାଯାଇଛି । ଏହା ଦ୍ବାରା ରାଜ୍ୟର ଆଉ ୩୦ ହଜାର କଳାକାର ଏଥିରେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକକଳା ଗୁଡିକ ଆମ ଜାତିର ଅସ୍ମିତା ଅଟନ୍ତି । କଳାକାର ମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ ଅଟନ୍ତି । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରାଯିବା ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉତ୍ସାହିତ ଓ ଉପକୃତ ହେବେ । ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବ ।
ଇଟିଭି ଭାରତ, ଭୁବନେଶ୍ବର