ଢେଙ୍କାନାଳ: ରାଜ୍ୟରେ ସବୁ ଜିଲ୍ଲାରେ ଅହେତୁକ ତାପମାତ୍ରା ବୃଦ୍ଧି ଘଟିଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଢେଙ୍କାନାଳ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ ଉପରକୁ ପାରଦ ରହୁଛି । ଯାହା ଫଳରେ ରାସ୍ତା ଘାଟ ଶୂନସାନ ହୋଇ ପଡିଥିବା ବେଳେ ଅସହ୍ୟ ଗରମ ସାଙ୍ଗକୁ ଝାଞ୍ଜି ପବନରେ ଅଣନିଶ୍ବାସୀ ହୋଇପଡୁଛି ଜନଜୀବନ । ସକାଳ ୮ ଟାରୁ ତାତି ଆରମ୍ଭ ହେବା ସହ ଅପରାହ୍ନ 5ଟା ପର୍ଯ୍ୟନ୍ତ ନିସ୍ତାର ମିଳୁନାହିଁ ।
ଆଜି ଅଂଶୁଘାତରେ ୨୦ରୁ ଊର୍ଦ୍ଧ୍ବ କଲେଜ ଛାତ୍ରୀ ଗୁରୁତର ହୋଇପଡିଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରୀ ମାନେ ସମସ୍ତେ ବିଦ୍ୟାର୍ଥୀ ନାମକ ଏକ ଘରୋଇ ଆବାସିକ ଯୁକ୍ତ ଦୁଇ କଲେଜର ବୋଲି ଜଣାପଡିଛି । ଆଜି ବଳଦିଆ ବନ୍ଧ ସ୍ଥିତ ଏହି ଆବାସିକ କଲେଜରେ ପାଠ ପଢା ଚାଲିଥିବା ବେକେ ହଠାତ ଛାତ୍ରୀମାନେ ସଂଜ୍ଞାହୀନ ହୋଇ ଟଳି ପଡ଼ିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଛାତ୍ରୀ ମାନଙ୍କୁ କଲେଜ ପକ୍ଷରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଛାତ୍ରୀ ମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଏମାନଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ ... ଅଂଶୁଘାତରେ ରାଜ୍ୟରେ ପ୍ରଥମ ମୃତ୍ୟୁ, ୭୧ ଜଣ ଆକ୍ରାନ୍ତ - One Sunstroke Death
କଲେଜର ଯୁକ୍ତ ଦୁଇ ଶ୍ରେଣୀର ପ୍ରାୟ ୨୭ଜଣ ଛାତ୍ରୀ ଏପରି ଅଂଶୁଘାତର ଶିକାର ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଗୁରୁତର ଛାତ୍ରୀମାନେ ସଂଜ୍ଞାହୀନ ହୋଇପଡୁଥିବା ବେଳେ ବାନ୍ତି ଓ ମୁଣ୍ଡ ବୁଲାଉଥିବା ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ଅଭିଭାବକମାନେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ପ୍ରଚଣ୍ଡ ଖରାରେ ପାଠପଢ଼ା ଚାଲିବାରୁ ପିଲା ମାନେ ଅଂଶୁଘାତର ଶିକାର ହେଉଥିବା ଅଭିଯୋଗ ଉଠାଇଛନ୍ତି ଅଭିଭାବକ ।
ଅସହ୍ୟ ତାତି ଜାରି ରହିଥିବା ବେଳେ ରାଜ୍ୟ ସରକାର ସ୍କୁଲ ସବୁ ଛୁଟି ଘୋଷଣା କରିଥିବା ବେଳେ କଲେଜ ସବୁ ଚାଲୁ ରହିଛି । ଏଭଳି ଘଟଣାକୁ ନେଇ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିବା ସହ କଲେଜ ଛୁଟି କରିବାକୁ ଦାବି ରଖିଛନ୍ତି । ତେବେ ସ୍ବାସ୍ଥ୍ୟ ବିଭାଗ ତଥ୍ୟାନୁସାରେ ଗତକାଲି ଅଂଶୁଘାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୧ ଜଣ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ