ଜଗତସିଂହପୁର: ପ୍ରଳୟଙ୍କାରୀ ୧୯୯୯ ମହାବାତ୍ୟାକୁ ପୂରିଛି ୨୫ ବର୍ଷ । ହେଲେ ଆଜି ବି ସେଦିନର କଥା ମନେପଡିଲେ ଶିହରି ଉଠେ ଦେହ । ମହାବାତ୍ୟାର ପ୍ରଳୟଙ୍କାରୀ ତାଣ୍ଡବର ସାକ୍ଷୀ ଥିବା ଉପକୂଳବର୍ତ୍ତୀ ପ୍ରଭାବିତ ଆଜି ବି ସେହି କଥାକୁ ମନେ ପକାଇଲେ ଥରି ଉଠନ୍ତି । ବାତ୍ୟାରେ କି’ଏ ପରିଜନଙ୍କୁ ହରାଇଥିଲା ତ, କି’ଏ ପୂରା ପରିବାରକୁ ହରାଇଥିଲା । ସେହି ଛାତିଥରା ପ୍ରଳୟକୁ ଶବ୍ଦରେ ବୟାନ କରିବା ସମ୍ଭବ ନୁହେଁ । ଏତିମଧ୍ୟରେ ବର୍ଷ ପରେ ବର୍ଷ, ଦୀର୍ଘ ଅଢେଇ ଦଶନ୍ଧି ବିତିଗଲାଣି । ତଥାପି ଅକ୍ଟୋବର ୨୯ ତାରିଖ ଆସିଲେ ବାତ୍ୟା ପ୍ରଭାବିତଙ୍କ ଆଖି ସାମ୍ନାରେ ନାଚି ଉଠେ ସେହି ପ୍ରଳୟର କରାଳ ରୂପ । ପୁଣି ତାଜା ହୁଏ, ଦୁର୍ଦ୍ଦଶା ଓ ଯନ୍ତ୍ରଣାର ଅଭିଶପ୍ତ କାଳଖଣ୍ଡ ।
- ଅକ୍ଟୋବର ୨୯ ତାରିଖ ରାତି
୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ରାତି । ବଙ୍ଗୋପସାଗରରେ ସୃଷ୍ଟ ଅତିଭୀଷଣ ସାମୁଦ୍ରିକ ଝଡ ଓଡିଶା ଉପକୂଳରେ ଜଗତସିଂହପୁରରେ ଲ୍ୟାଣ୍ଡଫଲ୍ କରିଥିଲା । ପ୍ରବଳ ପବନ ଓ ସମୁଦ୍ର ଜୁଆରରେ ବନ୍ଦରନଗରୀ ପାରାଦ୍ବୀପ ସମେତ, କୁଜଙ୍ଗ, ଏରସମା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପାର୍ଶ୍ବବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ପୁରୀ ଓ ଖୋର୍ଦ୍ଧା ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଢେଙ୍କାନାଳ, ନୟାଗଡ ପରି ଆଭ୍ୟନ୍ତରୀଣ ଜିଲ୍ଲା ମଧ୍ୟ ଆଶିଂକ ପ୍ରଭାବିତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ :- ମନେପଡ଼େ ମହାବାତ୍ୟା, ଅକ୍ଟୋବର କାଳ ରାତିକୁ ଭୁଲିନି ଗଞ୍ଜାମ, ରାତି ୯ରୁ ବଢ଼ିଥିଲା ପବନ ବେଗ... ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ |
- ୩ଶହ କି.ମି ପବନ ସହ ୮ ମିଟର ଜୁଆର
ପୂର୍ବ ଆଶଙ୍କା ଓ ସମସ୍ତ ଆକଳନଠାରୁ ଢେର ଗୁଣା ଅଧିକ ପ୍ରଳୟଙ୍କାରୀ ରୂପ ନେଇଆସିଥିଲା ମହାବାତ୍ୟା । ଘଣ୍ଟାପ୍ରତି ୩ ଶହ କିଲୋମିଟର ଟପିଥିଲା ପବନର ବେଗ । ସମୁଦ୍ରରେ ଉଠିଥିଲା 6ରୁ 8 ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର । ନିଚିହ୍ନ ହୋଇଯାଇଥିଲା ଉପକୂଳ ଜଗତସିଂହପୁର ଜିଲ୍ଲା । ଏହାର ପ୍ରଭାବରେ 29 ଅକ୍ଟୋବରରୁ ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ 447 ମିଲିମିଟରରୁ 955 ମିଲିମିଟର ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ବନ୍ୟା ସୃଷ୍ଟି କରିଥିଲା । ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀ ଅବବାହିକାରେ ପ୍ରବଳ ବର୍ଷା ହେବା ଫଳରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର ଓ ମୟୂରଭଞ୍ଜ ପରି ଜିଲ୍ଲା ବନ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲେ ।
ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସର୍ଭେ, ନଭେମ୍ବର 2 ସୁଧା କ୍ଷୟକ୍ଷତି ରିପୋର୍ଟ ଦାଖଲ ନିର୍ଦ୍ଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୧୪ଟି ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ |
- ପ୍ରଭାବିତ ହୋଇଥିଲେ ୨ କୋଟି:-
ଏହି ପ୍ରଳୟଙ୍କାରୀ ବାତ୍ୟା ଉପକୂଳ ଓଡିଶା ସମେତ ରାଜ୍ୟର ମୋଟ 128ଟି ବ୍ଲକରେ ବ୍ୟାପକ କ୍ଷତି ଘଟାଇଥିଲା । ମୋଟ 1.89 କୋଟି ଲୋକ ପ୍ରଭାବିତ ହୋଇଥିଲେ । 46ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, 2,399 ଗ୍ରାମ ପଞ୍ଚାୟତ ଏବଂ 14ଟି ଜିଲ୍ଲାର 17,993 ଟି ଗ୍ରାମ ବାତ୍ୟାରେ ଗଭୀର ଭାବେ ପ୍ରଭାବିତ ହୋଇଥିଲା । 4.45 ଲକ୍ଷ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିଲା । ମୋଟ 15,79582 ପକ୍କା ଓ କଚ୍ଚା ଘର ନଷ୍ଟ ହୋଇଥିଲା । 18.43 ଲକ୍ଷ ହେକ୍ଟରରେ ଫସଲ ନଷ୍ଟ ହୋଇଥିଲା । ଭିତ୍ତିଭୂମିର ମୋଟ କ୍ଷତି ପ୍ରାୟ 6243.96 କୋଟି ବୋଲି ସେତେବେଳର ଆକଳନରୁ ଜଣାପଡେ ।
ବାତ୍ୟା ପରେ ଭଦ୍ରକରେ ବନ୍ୟା ସ୍ଥିତି: ତଳିଆ ଅଞ୍ଚଳ ଜଳମଗ୍ନ, ଉଦ୍ଧାର କାର୍ଯ୍ୟ ଜାରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ, ଜଳବାହିତ ରୋଗ ଏବଂ ସାପ କାମୁଡା ରୋଗୀଙ୍କ ଉପରେ ନଜର |
- ବାତ୍ୟା ମୁକାବିଲାରେ ଓଡିଶା ଏବେ ଦେଶରେ ରୋଲମଡେଲ
ଏବେ ଉଭୟ ସମୟ ଓ ସ୍ଥିତି ବଦଳିଛି । ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡିଶା ସାରା ଦେଶରେ ଏବେ ରୋଲମଡେଲ ରାଜ୍ୟ ହୋଇପାରିଛି । ଏକଦା ବାତ୍ୟା ପ୍ରଭାବରେ ଉଜୁଡି ପଡିଥିବା ଓଡିଶା ଏବେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସଫଳ ଓ ଅନୁକରଣୀୟ ରାଜ୍ୟ । ପାଣିପାଗ ବିଭାଗର ବୈଷୟିକ କ୍ଷମତା ଓ ଉନ୍ନତ ପ୍ରଶାସନିକ ଦକ୍ଷତା ସହ ଓଡିଶା ଏବେ ଜିରୋ-କାଜୁଆଲିଟି ମୋଡରେ ବିପର୍ଯ୍ୟୟ ମୁକାବିଲା କରି ଅନ୍ୟ ରାଜ୍ୟ ପାଇଁ ସୃଷ୍ଟି କରିଛି ଉଦାହରଣ । ଏବେ ରାଜ୍ୟରେ ପ୍ରତିବର୍ଷ ବାତ୍ୟା ଆସୁଥିଲେ ସୁଦ୍ଧା ଏହାଜନିତ କ୍ଷୟକ୍ଷତି ପୂର୍ବାପେକ୍ଷା ବହୁମାତ୍ରାରେ ହ୍ରାସ ପାଇବାରେ ଲାଗିଛି । ତଥାପି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ, ରାଜ୍ୟବାସୀଙ୍କ ମନକୁ ଆସେ ମହାବାତ୍ୟାର ସର୍ବଗ୍ରାସୀ ରୂପ ।
ଇଟିଭି ଭାରତ, ଜଗତସିଂହପୁର