ଭୁବନେଶ୍ୱର: ଆଜି ହେଉଛି ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧୁମଧାମରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳନ କରାଯାଉଛି । ତେବେ ଭୁବନେଶ୍ୱର ସ୍ଥିତ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଭାରତରତ୍ନ ଆମ୍ବେଦକରଙ୍କ 134ତମ ଜନ୍ମ ଜୟନ୍ତୀ ପାଳୁଛି ସାରା ଦେଶ । 1891 ଏପ୍ରିଲ 14 ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୈତିଜ୍ଞ, ସାମାଜିକ- ରାଜନୈତିକ ସଂସ୍କାରକ ଭାବେ ଆମ୍ବେଦକର ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଭାରତର ସମ୍ବିଧାନ ପ୍ରଣେତା ଅଟନ୍ତି ଆମ୍ବେଦକର । ସ୍ୱାଧୀନତା ପରବର୍ତ୍ତୀ ଭାରତରେ ତାଙ୍କର ସାମାଜିକ - ରାଜନୈତିକ ଚିନ୍ତାଧାରାକୁ ରାଜନୈତିକ ମହଲରେ ସମ୍ମାନ ଦିଆଯାଉଛି । ତେବେ ରାଜ୍ୟ ତଥା ସାରା ଦେଶରେ ତାଙ୍କ ଜନ୍ମ ଜୟନ୍ତୀକୁ ପାଳନ କରାଯାଇଛି । କଂଗ୍ରେସ, ବିଜେପି ,କମ୍ୟୁନିଷ୍ଟ ଭଳି ରାଜନୈତିକ ଦଳ ଓ ଅନ୍ୟାନ୍ୟ ସଂଗଠନ ତରଫରୁ ଭୁବନେଶ୍ୱର ସ୍ଥିତ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହାସହ ବିଭିନ୍ନ ସଂଖ୍ୟାଲଘୁ ସଂଗଠନ, ଯୁବଗୋଷ୍ଠୀ ଆମ୍ବେଦକରଙ୍କ ଜୟଗାନ କରିଛନ୍ତି ।
ଆମ୍ବେଦକର ଆମ ସମ୍ବିଧାନର ପ୍ରଣେତା ହୋଇଥିବା ବେଳେ ସେ ସର୍ବଦା ସମାନତାର ବାର୍ତ୍ତା ଦେଉଥିଲେ ତେଣୁ ତାଙ୍କ ଜୟନ୍ତୀରେ ସବୁ ବର୍ଗର ଲୋକ ସାମୁହିକ ଭାବେ ସମାନତାର ବିକାଶର ସ୍ବପ୍ନ ସାକାର କରିବାର ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି । ସେହିପରି ଖାଲି ଜନ୍ମ ଜୟନ୍ତୀରେ ତାଙ୍କୁ ଆମେମାନେ ପକାଇଦେଲେ ହେବନି ତାଙ୍କର ଆଦର୍ଶ ଓ ଚେତନାକୁ ପାଥେୟ କରି ତାଙ୍କୁ ଅନୁକରଣ କରି ସମ୍ବିଧାନର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ଯୁବପିଢିଙ୍କୁ ଆହ୍ୱାନ ଦେଇଛନ୍ତି ବିଭିନ୍ନ ଦଳ ଓ ସଂଗଠନ ।
ଏହାସହ ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଆମ୍ବେଦକରଙ୍କୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ମୃତିରେ ଅନେକ ସ୍ମାରକୀ କରିଥିବା ବେଳେ ସବୁ ଯୁବପିଢିଙ୍କୁ ତାହା ଦେଖିବାର ଆବଶ୍ୟକତା ରହିଛି । ଆଧୁନିକ ଭାରତରେ ଭେଦଭାବ ଓ ଅସ୍ପୃଶ୍ୟତାକୁ ଭୁଲି ସଂଖ୍ୟାଲଘୁଙ୍କ ସ୍ୱର ସାଜି ସେମାନଙ୍କୁ ନ୍ୟାୟ ପ୍ରଦାନ କରି ଏକ ବିକଶିତ ରାଷ୍ଟ୍ର ଗଠନ କରିବାକୁ ସେ ଯୁବପିଢିଙ୍କୁ ଆହ୍ୱାନ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର