ବଲାଙ୍ଗୀର : କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ଆଜି(ମଙ୍ଗଳବାର) କଣ୍ଟାବାଞ୍ଜିରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଘଟଣାକୁ 24 ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତ ଧରାପଡିନଥିବା ଯୋଗୁଁ ସାଲୁଜାଙ୍କ ସମର୍ଥକ ତଥା କଂଗ୍ରେସ ନେତା ଓ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ କରାଯାଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି ବନ୍ଦ ପାଳନ କରିଛି କଂଗ୍ରେସ । ଅଭିଯୁକ୍ତକୁ ଶୀଘ୍ର ଗିରଫ କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ନେତା ଓ କର୍ମୀମାନେ କହିଛନ୍ତି ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପରେ ଆଜି(ମଙ୍ଗଳବାର) କଣ୍ଟାବାଞ୍ଜି ବନ୍ଦ ପାଳନ କରିଛି କଂଗ୍ରେସ । କଣ୍ଟାବାଞ୍ଜିରେ ଏହି ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । କେବଳ ଅତ୍ୟାବଶକୀୟ ସେବାକୁ ବାଦ ଦେଲେ ଅଞ୍ଚଳର ସମସ୍ତ ଦୋକାନ ବଜାର, ସରକାରୀ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।
କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ 15 ଦିନ ମଧ୍ୟରେ ହତ୍ୟା କରାଯିବା ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଗତକାଲି(ସୋମବାର) ସକାଳେ କଣ୍ଟାବାଞ୍ଜି ସହର ବାଳିକା ହାଇସ୍କୁଲ ବାହାରେ ଥିବା ଦୋକାନ ସମ୍ମୁଖରେ ଏବଂ ପେଟ୍ରୋଲ ପମ୍ପ ନିକଟରେ ଏଭଳି ପୋଷ୍ଟର ଲାଗିଥିଲା । ଧଳା ରଙ୍ଗର ପୋଷ୍ଟରରେ ଲାଲ ଅକ୍ଷରରେ 'କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ 15 ଦିନ ଭିତରେ ହତ୍ୟା କରିବି' ବୋଲି ଲେଖା ରହିଛି । ତେବେ ବ୍ୟାନରରେ ଜଣେ ଅଜଣା ଯୁବକଙ୍କ ଫଟୋ ମଧ୍ୟ ରହିଛି । ସେପଟେ ପୋଷ୍ଟର ଦେଖି ଲୋକେ ଭୟଭୀତ ଥିବାବେଳେ କଣ୍ଟାବାଞ୍ଜି ପୋଲିସ ଏଯାବତ 2ଟି ବ୍ୟାନର ଜବତ କରିଛି ।
ଏହି ଘଟଣାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି । କଣ୍ଟାବାଞ୍ଜି ସହର ଓ ଏହାର ଆଖ ପାଖ ଦୁଇଟି ବ୍ଲକରେ ବନ୍ଦ ପାଳନ କରିଛି କଂଗ୍ରେସ ଦଳ । ଏହି ବନ୍ଦ ପାଳନରେ କଂଗ୍ରେସ ସହ କିଛି ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି । ଘଟଣାକୁ 24 ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏ ଅଭିଯୁକ୍ତ ଧରାପଡିନଥିବା ନେଇ ପୋଲିସ ଓ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ସାଲୁଜାଙ୍କ ସମର୍ଥକ । ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛି କଂଗ୍ରେସ । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଧାରଣା ଦିଆଯାଇଛି ।
ଇଟିଭି ଭାରତ, ବଲାଙ୍ଗୀର