ନୂଆଦିଲ୍ଲୀ: ଟି୨୦ ବିଶ୍ବକପ୍ ୨୦୨୪ ଲିଗ୍ ପର୍ଯ୍ୟାୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଖେଳାଯିବ । ୩୦ତମ ଲିଗ୍ ମ୍ୟାଚ୍ରେ ଆଜି (ଶୁକ୍ରବାର) ଗ୍ରୁପ୍ 'ଏ'ରୁ ମୁହାଁମୁହିଁ ହେବେ ୟୁଏସ୍ଏ ଏବଂ ଆୟରଲାଣ୍ଡ । ଏହି ମ୍ୟାଚ୍ ଫ୍ଲୋରିଡାସ୍ଥିତ ସେଣ୍ଟ୍ରାଲ ବ୍ରୋୱାର୍ଡ ରେଜିଓନାଲ ପାର୍କ ଷ୍ଟାଡିୟମରେ ଖେଳାଯିବ । ତେବେ ଫ୍ଲୋରିଡାର ଏହି ପିଚ୍ ଶେଷ ୭୨ ଘଣ୍ଟା ହେବ କଭର ତଳେ ରହିଛି । ବର୍ତ୍ତମାନ ସୁଦ୍ଧା ମ୍ୟାଚ୍କୁ ବର୍ଷା ଆଶଙ୍କା ରହିଛି । ଯଦି ଏପରି ହୁଏ, ଅର୍ଥାତ ଯଦି ୟୁଏସ୍ଏ ଓ ଆୟରଲାଣ୍ଡର ମ୍ୟାଚ୍ ବର୍ଷାରେ ଧୋଇଯାଏ, ତେବେ ପାକିସ୍ତାନର ସୁପର ୮ ପର୍ଯ୍ୟାୟରେ ପହଞ୍ଚିବା ସ୍ବପ୍ନ ମଧ୍ୟ ଏହି ବର୍ଷାରେ ଭାସିଯିବ । ଜାଣନ୍ତୁ ୟୁଏସ୍ଏ ଓ ଆୟରଲାଣ୍ଡ ମ୍ୟାଚ୍ ଧୋଇଗଲେ ପାକିସ୍ତାନ ରାସ୍ତା କିପରି ହେବ ବନ୍ଦ..
ଏମିତି ଅଛି ଫ୍ଲୋରିଡାରେ ପାଣିପାଗ: ଆମେରିକା ଏବଂ ଆୟରଲାଣ୍ଡ ମଧ୍ୟରେ ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବାକୁ ଯାଉଛି । ସ୍ଥାନୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏହି ମ୍ୟାଚ୍କୁ ବର୍ଷା ପ୍ରଭାବିତ କରିବାର ଆଶଙ୍କା ରହିଛି । ଏହି ମ୍ୟାଚ୍ ସ୍ଥାନୀୟ ସମୟ ସକାଳ ୧୦.୩୦ରୁ ଖେଳାଯିବ । ଏହି ସମୟରେ ଫ୍ଲୋରିଡାଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ମ୍ୟାଚ୍ ସମୟରେ 75% ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ, ପ୍ରବଳ ଝଡ଼ ତୋଫାନର 50% ସମ୍ଭାବନା ଅଛି । ଗତ କିଛିଦିନ ହେବ ଫ୍ଲୋରିଡାଠାରେ ପ୍ରବଳ ବର୍ଷା ଓ ପବନ ରହିଥିଲା, ତେଣୁ ଏହି ମ୍ୟାଚ୍ ବ୍ୟତୀତ ଅନ୍ୟ ମ୍ୟାଚ୍ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।
USA vs IRE ମ୍ୟାଚ୍ ଧୋଇଗଲେ ପାକିସ୍ତାନ ରାସ୍ତା ବନ୍ଦ: ୟୁଏସ୍ଏର ସ୍ଥିତି ଗ୍ରୁପ୍ 'ଏ'ରେ ବେଶ ସୁଦୃଢ଼ ରହିଛି । ଏପର୍ଯ୍ୟନ୍ତ ୩ଟି ମ୍ଯାଚ୍ ଖେଳିଥିବାବେଳେ ୨ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ୍ ହାରିଛି ଆମେରିକା । ଦଳ ପାଖରେ ଏବେ ୪ ପଏଣ୍ଟ ରହିଛି । ଅନ୍ୟପଟେ ଆୟରଲାଣ୍ଡ ୨ଟି ମ୍ୟାଚ୍ରୁ ଗୋଟିଏ ମଧ୍ୟ ବିଜୟ ପାଇନାହିଁ । ଫଳରେ ପଏଣ୍ଟ ଟେବୁଲରେ ସବୁଠାରୁ ନିମ୍ନରେ ରହିଛି । ଯଦି ଆଜିର ମ୍ୟାଚ୍ ବାତିଲ ହୋଇଯାଏ, ତେବେ ନିୟମ ଅନୁସାରେ ଉଭୟ ୟୁଏସ୍ଏ ଓ ଆୟରଲାଣ୍ଡ ମଧ୍ୟରେ ୧-୧ ପଏଣ୍ଟ ବାଣ୍ଟି ଦିଆଯିବ । ଏପରି ହେଲେ ୟୁଏସ୍ଏ ୪ ମ୍ୟାଚ୍ରୁ ୫ ପଏଣ୍ଟ ସହ ନିଜ ଅଭିଯାନ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ଶେଷ କରିବ ।
ଅନ୍ୟପଟେ ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ୨ଟି ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଗୋଟିଏ ମ୍ୟାଚ୍ ଜିତି ଖାତାରେ କେବଳ ୨ ପଏଣ୍ଟ ରଖିଛନ୍ତି ବାବର ସେନା । ପାକିସ୍ତାନ ଏହାର ଶେଷ ମ୍ୟାଚ୍ ଆୟରଲାଣ୍ଡ ସହିତ ଖେଳିବ । ଯଦି ପାକିସ୍ତାନ ଦଳ ସେହି ମ୍ୟାଚ୍ ଜିତି ୨ ପଏଣ୍ଟ ହାସଲ କରିନିଏ, ଏହାପରେ ମଧ୍ୟ ଦଳ ପାଖରେ ମୋଟ ୪ ପଏଣ୍ଟ ହେବ । ଏଭଳି ପରିସ୍ଥିତିରେ ଆମେରିକା ୫ ପଏଣ୍ଟ୍ ସହ ସୁପର-୮ରେ ପ୍ରବେଶ କରିବ ଏବଂ ଲିଗ୍ ପର୍ଯ୍ୟାୟରୁ ପାକିସ୍ତାନ ବିଦା ହେବ ।
କେମିତି ସୁପର-୮ ଯିବ ପାକିସ୍ତାନ: ଯଦି ପାକିସ୍ତାନ ସୁପର-୮ରେ ପହଞ୍ଚିବାକୁ ଚାହେଁ, ତେବେ ଦଳକୁ କେବଳ ଭଗବାନ ହିଁ ଭରସା । ବର୍ଷା ଯୋଗୁଁ ଏହି ମ୍ୟାଚ୍ ଧୋଇ ନଯାଇ ପୂରା ଖେଳାଗଲେ ହିଁ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହେବ । କେବଳ ସେତିକି ନୁହେଁ, ଏହି ମ୍ୟାଚ୍ରେ ଆମେରିକାକୁ ଏକ ବଡ଼ ବ୍ୟବଧାନରେ ଆୟରଲାଣ୍ଡ ପରାଜିତ କରିବାକୁ ପଡିବ । ଏପରି ହେଲେ ହିଁ ପାକିସ୍ତାନ ସୁପର-୮ରେ ପହଞ୍ଚିବା ପାଇଁ ଏକ ସୁଯୋଗ ସୃଷ୍ଟି ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ