ନ୍ୟୁୟର୍କ: ଟି୨୦ ବିଶ୍ବକପ୍ରେ ଆଜି ପ୍ରଥମ ମ୍ୟାଚ୍ ଖେଳୁଛି ଭାରତ । ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ତେବେ ପ୍ରଥମ ମ୍ୟାଚ୍ରେ ଭାରତୀୟ ବୋଲର ଆକ୍ରାମକ ରୂପ ଦେଖାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂକୁ ନେଇ ପ୍ରଶଂସକ ଚିନ୍ତାରେ ରହିଥିବାବେଳେ ସେ ଏକାକୀ ୩ ୱିକେଟ୍ ଦଖଲ କରି ସମସ୍ତଙ୍କୁ ଚିନ୍ତାମୁକ୍ତ କରିଛନ୍ତି । ତେବେ ୧୬ ଓଭର ସଙ୍ଘର୍ଷ କରି କେବଳ ୯୬ ରନରେ ଅଲ୍ ଆଉଟ୍ ହୋଇଛି ଆୟରଲାଣ୍ଡ । ଫଳରେ ଚଳିତ ବିଶ୍ବକପ୍ ଅଭିଯାନକୁ ବିଜୟରୁ ଆରମ୍ଭ କରିବା ପାଇଁ ଭାରତ ଆଗରେ ରହିଛି ୯୭ ରନର ଟାର୍ଗେଟ ।
ଆଜି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଆରମ୍ଭରୁ ଭାରତୀୟ ବୋଲର ମଧ୍ୟ ଆୟରଲାଣ୍ଡ ବ୍ୟାଟରଙ୍କୁ ଚାପରେ ରଖିଥିଲେ । ଫଳରେ ନିର୍ଦ୍ଧାରିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା ଦଳ । ଦଳ ପକ୍ଷରୁ ଗ୍ୟାରେଥ ଡିଲେନି ସର୍ବାଧିକ ୨୬ ରନ କରିଥିଲେ ହେଁ ସେ ରନ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋର୍କାନ ଟ୍ୟୁକର (୧୦), କର୍ଟିସ୍ କ୍ୟାମ୍ଫର (୧୨) ଓ ଜୋଶୁଆ ଲିଟିଲ (୧୪)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଫଳରେ ୧୬ ଓଭର ବେଳକୁ କେବଳ ୯୬ ରନ କରି ସମସ୍ତ ୱିକେଟ୍ ହରାଇଥିଲା ଆୟରଲାଣ୍ଡ ।
ଏହା ମଧ୍ୟ ପଢ଼ନ୍ତୁ...T20 World Cup: କିଏ ଭାଙ୍ଗିବ ଯୁବରାଜଙ୍କ ଏହି ରେକର୍ଡ ? - T20 World Cup 2024
ଅନ୍ୟପଟେ ଭାରତୀୟ ବୋଲରଙ୍କ ପକ୍ଷରୁ ଆଜି ଘାତକ ଆକ୍ରମଣ ଦେଖିବାକୁ ମିଳିଥିଲା । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରୁ ୨୭ ରନ ବ୍ୟୟ କରି ସର୍ବାଧିକ ୩ଟି ୱିକେଟ୍ ହାସଲ କରିଥିବାବେଳେ ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସେହିଭଳି ମହମ୍ମଦ ସିରାଜ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ତେବେ ପ୍ରଥମ ବିଜୟ ପାଇଁ କେବଳ ୯୭ ରନ ଟାର୍ଗେଟ ନେଇ ବ୍ୟାଟିଂ ଆରମ୍ଭ କରିଛି ଟିମ୍ ଇଣ୍ଡିଆ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ