ଶ୍ରୀନଗର (ଜମ୍ମୁ-କାଶ୍ମୀର): ବିଦେଶରେ ପୁଣି ଚମକିଲେ କାଶ୍ମୀର ଯାଆଁଳା ଭଉଣୀ ଆୟେରା ଚିସ୍ତି ଓ ଆନ୍ସା ଚିସ୍ତି । ମସ୍କୋରେ ଖେଳାଯାଉଥିବା ସମ୍ମାନଜନକ ଋଷିଆନ ମସ୍କୋ ଷ୍ଟାର ଉସୁ ଅନ୍ତର୍ଜାତୀୟ ଚମ୍ପିଆନ୍ସିପ୍ (Wushu International Championship)ରେ ଗୋଲ୍ଡ ମେଡଲ ହାସଲ କରି ଶ୍ରୀନଗରର ଦୁଇ ଭଉଣୀ ଦେଶ ପାଇଁ ଗର୍ବ ଆଣିଛନ୍ତି । 28 ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତାକାଲି, ଅର୍ଥାତ ମାର୍ଚ୍ଚ 5 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥିରେ ଦୁଇ ଭଉଣୀ ଆୟେରା ଓ ଆଂସା ନିଜସ୍ବ ଓଜନ ବର୍ଗ ଯଥାକ୍ରମେ 52 ଓ 56 କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରି ଅତୁଳନୀୟ ଦକ୍ଷତା ଏବଂ ନିଷ୍ଠା ପ୍ରଦର୍ଶନ କରିଛନ୍ତି ।
ମସ୍କୋ ଷ୍ଟାର ଉସୁ ଅନ୍ତର୍ଜାତୀୟ ଚମ୍ପିଆନ୍ସିପ୍ରେ ସାମରିକ ଶକ୍ତିର ଚମତ୍କାର ପ୍ରଦର୍ଶନ କରି ଦୁଇ ଭଉଣୀ ଆୟେରା ଏବଂ ଆନ୍ସା ସେମାନଙ୍କ ଋଷୀୟ ପ୍ରତିପକ୍ଷଙ୍କ ଉପରେ ଫାଇନାଲରେ ବିଜୟୀ ହୋଇ ନିଜ ନିଜ ବର୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ତେବେ ଏହି ବିଜୟ ସହ ବିଶେଷ କରି ଆୟେରା ତାଙ୍କର ତୃତୀୟ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି । ସେ ଏହା ପୂର୍ବରୁ ଜର୍ଜିଆରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଏବଂ ଇଣ୍ଡୋନେସିଆରେ ଆୟୋଜିତ ବିଶ୍ବ ଚମ୍ପିଆନସିପ୍ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବିଶ୍ବସ୍ତରରେ ଆୟେରାଙ୍କ କ୍ରମାଗତ ସଫଳତା ବଳରେ ସେ ଗତ ବର୍ଷ ରାଜ୍ୟ ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇଥିଲା । ରାଜ୍ୟ ପୁରସ୍କାର ଭଳି ସମ୍ମାନ ପାଇବାରେ ରାଜ୍ୟର ପ୍ରଥମ ମହିଳା ଉସୁ ଆଥଲେଟ୍ ଭାବରେ ଏକ ଐତିହାସିକ ସ୍ବୀକୃତି ଲାଭ କରିଥିଲେ ଆୟେରା ।
ଏହା ମଧ୍ୟ ପଢ଼ନ୍ତୁ...ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ
ସେହିଭଳି ଆନ୍ସା ଚିସ୍ତି ନିଜ ଭଉଣୀଙ୍କୁ ଅନୁସରଣ କରି ସେ ମଧ୍ୟ ଏହି ଗୋଲ୍ଡ ମେଡଲ ସହିତ ନିଜର ଦ୍ବିତୀୟ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି । ଆନ୍ସା ଏହା ପୂର୍ବରୁ ଜର୍ଜିଆ ଅନ୍ତର୍ଜାତୀୟ ଉସୁ ଚମ୍ପିଆନସିପ୍ରେ ଦେଶକୁ ରୌପ୍ୟ ପଦକ ଭେଟି ଦେଇଥିଲେ । ମସ୍କୋ ଷ୍ଟାର ଉସୁ ଅନ୍ତର୍ଜାତୀୟ ଚମ୍ପିଆନ୍ସିପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିବା ଆନ୍ସାଙ୍କ ଦ୍ରୁତଗାମୀ କ୍ୟାରିୟରରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ । ଏହା ଆନ୍ତର୍ଜାତୀୟ ମାର୍ଶଲ ଆର୍ଟ କ୍ଷେତ୍ରରେ ତାଙ୍କ ପରିଚୟକୁ ଆହୁରି ଊର୍ଦ୍ଧ୍ବକୁ ନେଇଛି । ତେବେ ଆୟେରା ଓ ଆନ୍ସା ଦୀର୍ଘ ଦିନ ଧରି ଜାତୀୟ ଉସୁ ଖେଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଆସିଛନ୍ତି । ଉଭୟ ନିଜ ନିଜ ଓଜନ ବର୍ଗରେ ନ୍ୟାସ୍ନାଲ ଚମ୍ପିଆନ୍ସ ଭଳି ସମ୍ମାନଜନକ ଟାଇଟଲ୍ ହାତେଇଛନ୍ତି । ନ୍ୟାସ୍ନାଲ ଚମ୍ପିଆନ୍ସିପ୍ରେ ସେମାନେ ଉଲ୍ଲେଖନୀୟ ପ୍ରଦର୍ଶନ ସହ ଏକାଧିକ ପଦକ ହାସଲ କରିଛନ୍ତି, ଯାହା ଦେଶର ପ୍ରମୁଖ ମାର୍ଶଲ ଆର୍ଟ ଆଥଲେଟ୍ ଭାବରେ ସେମାନଙ୍କୁ ପରିଚୟ ଦେଇଛି ।
ଦୁଇ ଝିଅଙ୍କ ଉଲ୍ଲେଖନୀୟ ସଫଳତା ନେଇ ପିତା ରୟିସ୍ ଚିସ୍ତି କହିଛନ୍ତି, "ମସ୍କୋରେ ହୋଇଥିବା ଏହି ବିଜୟ କେବଳ ପ୍ରତିଭାଶାଳୀ ଦୁଇ ଭଉଣୀଙ୍କ ବ୍ୟକ୍ତିଗତ ଗୌରବ ନୁହେଁ, ବରଂ କାଶ୍ମୀରର ଆଥଲେଟ୍ମାନଙ୍କ ଉତ୍କର୍ଷତା ଏବଂ ଉତ୍ସର୍ଗୀକୃତତାର ପ୍ରମାଣ । ଏହି ସଫଳତା ଜମ୍ମୁ- କାଶ୍ମୀର ପାଇଁ ଗର୍ବର ଉତ୍ସ ଏବଂ ଏହି ଅଞ୍ଚଳ ମଧ୍ୟରେ ଥିବା ସମ୍ଭାବନା ଏବଂ ଦକ୍ଷତାକୁ ପ୍ରଦର୍ଶନ କରୁଛି ।" ସେହିଭଳି ଦୁଇ ଯାଆଁଳା ଭଉଣୀ ମଧ୍ୟ ଏହି ସଫଳତା ପାଇଁ ସେମାନଙ୍କ ପରିବାର, ପ୍ରଶିକ୍ଷକ ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ