କଟକ: ଡ୍ର'ରେ ଶେଷ ହେଲା ବାରବାଟୀ ରଣଜୀ ଲଢେଇ । ଓଡିଶା ଓ ପୁଡୁଚେରୀ ମଧ୍ୟରେ ଖେଳାଯାଉଥିବା ରଣଜୀ ମ୍ୟାଚ୍ ଅମିମାଂସିତ ଭାବରେ ଶେଷ ହୋଇଛି । ଏହା ସହିତ ଇନିଂସ୍ ଅଗ୍ରଣୀ ରହି ଖେଳ ଶେଷ କରିଥିବା ଓଡ଼ିଶା 3 ପଏଣ୍ଟ ହାସଲ କରିଛି । ପଏଣ୍ଟ ଟେବୁଲରେ ସମୁଦାୟ 12 ପଏଣ୍ଟ୍ ସହ ପଞ୍ଚମ ସ୍ଥାନକୁ ଉନ୍ନୀତ ହେଲା ଟିମ୍ ଓଡିଶା । ଉଭୟ ପାଳିରେ ପ୍ରଭାବୀ ପ୍ରଦର୍ଶନ ପାଇଁ ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଛନ୍ତି ।
ତୃତୀୟ ଦିନ ଶେଷ ସୁଦ୍ଧା 122 ରନରୁ ଦ୍ବିତୀୟ ପାଳି ଆରମ୍ଭ କରିଥିବା ଓଡିଶା ଚତୁର୍ଥ ଦିନରେ ସ୍କୋରବୋର୍ଡରେ ମାତ୍ର 79 ରନ୍ ଯୋଡି 201ରେ ଅଲ୍ ଆଉଟ୍ ହୋଇଯାଥିଲା । ଫଳରେ ବିପକ୍ଷ ପୁଡୁଚେରୀ ସମ୍ନାରେ 240 ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଓଡିଶା । ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପ୍ରଥମରୁ ହିଁ ସଙ୍କଟରେ ପଡିଥିଲା ଭ୍ରମଣକାରୀ ଦଳ ପୁଡୁଚେରୀ । ଦଳ ଖାତା ଖୋଲିବା ପୂର୍ବରୁ ଦୁଇଟି ୱିକେଟ୍ ହରାଇ ଚିନ୍ତାରେ ପଡିଥିଲା । ଏହାପରେ ପରାସ ଡୋଗ୍ରା କେବଳ 23 ରନ କରି ଆଉଟ୍ ହୋଇଥିଲେ । ସନ୍ତୋଷ ରତ୍ନପରଖେ ଓ ଅରୁଣ କାର୍ତ୍ତିକଙ୍କ ବଡ଼ ଭାଗିଦାରୀ କରି ଦଳକୁ ସଙ୍କଟରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଅଧିନାୟକ ଅରୁଣ ବ୍ୟକ୍ତିଗତ 58 ରନ କରି ଆଉଟ୍ ହୋଇଥିବାବେଳେ ରତ୍ନପରଖେ 58 ରନର ପାଳି ଖେଳି ଦଳକୁ ପରାଜୟ ଦ୍ବାରଦେଶରୁ ଫେରାଇ ଆଣିଥିଲେ । ଫଳରେ ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଚିତାକର୍ଷକ ମ୍ୟାଚ୍ଟି ଅମିମାଂସିତ ଢଙ୍ଗରେ ଶେଷ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଟ୍ରଫି ୩ୟ ଦିନ: ୧୬୦ ରନ ଆଗରେ ଓଡିଶା, କାଲି ନିର୍ଣ୍ଣାୟକ ଲଢ଼େଇ
ପୁଡୁଚେରୀ ତାର ଦ୍ବିତୀୟ ପାଳିରେ 175 ରନ କରିବା ପାଇଁ ସକ୍ଷମ ହୋଇଥିଲା । ଘରୋଇ ଟିମ୍ ପକ୍ଷରୁ ରାଜେଶ ମହାନ୍ତି ଓ ବୀପ୍ଲବ ସାମନ୍ତରାୟ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ, ସୁନୀଲ ରାଉଳ, ହର୍ଷିତ ରାଥୋଡ ଓ ଗୋବିନ୍ଦ ପୋଦାର ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ । ତେବେ ଉଭୟ ପାଳିରେ ପ୍ରଭାବୀ ପ୍ରଦର୍ଶନ ପାଇଁ ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଅନ୍ୟପଟେ ଏହି ମ୍ୟାଚ୍ ଡ୍ର ହେବା ପରେ ଓଡିଶା ପାଇଁ ଚ୍ୟାଲେଞ୍ଜ ଆହୁରି ବୃଦ୍ଧି ପାଇଛି । ଆଗାମୀ ଦୁଇ ମ୍ୟାଚ୍ ଓଡିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ମ୍ୟାଚ୍ ଜିତି କ୍ୱାଲିଫାଏ କରିବା ଲକ୍ଷ୍ୟରେ ରହିବ ଟିମ୍ ଓଡିଶା ।
ଇଟିଭି ଭାରତ, କଟକ