ଭୁବନେଶ୍ବର: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମରେ କ୍ରୀଡାବିତଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି । ବାଜା ଓ ବାଣ ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଳ ଦେଇ ଶହ ଶହ ପିଲା ଜୟ ଜଗନ୍ନାଥ ଧ୍ବନିରେ ଷ୍ଟାଡିୟମକୁ ପ୍ରକମ୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କେକ କାଟି ପିଲାମାନଙ୍କୁ ଖୋଇ ଦେଇ ଉତ୍ସବ ମନାଇଛନ୍ତି । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ରାଜ୍ୟ ସରକାରଙ୍କ ଅନେକ ବରିଷ୍ଠ ଅଧିକାରୀ ଏହି ଉତ୍ସବରେ ଯୋଗ ଦେଇଛନ୍ତି ।
କାଂସ୍ୟ ପଦକ, ଦୃଢ଼ନିଷ୍ଠ-ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ :-
ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଖେଳାଳୀ ମାନଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟେକ ଖେଳାଳୀଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି । ଓଡ଼ିଆ ଖେଳାଳୀ ଅମିତ ରୋହୀଦାସଙ୍କ ପାଇଁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଛନ୍ତି ।
ବିଜୟ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆଜିର ଏ କାଂସ୍ୟ ପଦକ, ଦୃଢ଼ନିଷ୍ଠ-ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ । ଆମ ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ରଚିଲା ଇତିହାସ । ଅଲମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ ରେ ବିଶ୍ୱବାସୀ ହେଲେ ଅଭିଭୂତ । ଓଡ଼ିଶା ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି ।"
ଭାରତୀୟ ହକିକୁ ସମସ୍ତ ସାହାଯ୍ୟ ଯୋଗାଇବାକୁ ଓଡ଼ିଶା ତତ୍ପର:-
ମୁଖ୍ୟମନ୍ତ୍ରୀ କହିଛନ୍ତି, "ହକି ଦଳ ରାଜ୍ୟ ତଥା ଦେଶକୁ ଗର୍ବିତ କରିଛନ୍ତି । ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ ମାନଙ୍କୁ ପ୍ରେରଣା ଦେଇଛନ୍ତି । ଓଡ଼ିଆ ହକି ତାରକା ଅମିତ ରୋହିଦାସଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଭାରତୀୟ ହକିରେ ଯାହାଙ୍କ ଅବଦାନ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଏବଂ ପ୍ରେରଣାର ଉତ୍ସ । ବିଶ୍ୱମଞ୍ଚରେ ଭାରତୀୟ ହକି ଦଳର ସଫଳତା । କ୍ରମାଗତ ବିଜୟ ସେମାନଙ୍କ ଦୃଢ଼ ନିଷ୍ଠା ଏବଂ ଅକ୍ଲାନ୍ତ ପରିଶ୍ରମର ପ୍ରମାଣ ପ୍ରଦାନ ଦେଇଛି । ଭାରତୀୟ ହକି ଦଳକୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାରେ ଓଡ଼ିଶା ସରକାର ତତ୍ପର ଏବଂ ପ୍ରତିଶ୍ରୁତିବଦ୍ଧ । ଖେଳାଳିଙ୍କ ପାଇଁ ସବୁବେଳେ ଛିଡ଼ା ହେବା ସହ ସେମାନଙ୍କୁ ତୃଣମୂଳସ୍ତରରୁ ବିଶ୍ଵମଞ୍ଚକୁ ଯିବାରେ ସାହାଯ୍ୟ କରିବୁ । ଆମ ସରକାର ଆଗକୁ ଆସି ଏହା ସୁନିଶ୍ଚିତ କରାଇବେ । ଆମ ରାଜ୍ୟର ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସୁନାମ ଆଣିବେ ।
ଇଟିଭି ଭାରତ, ଭୁବନେଶ୍ବର