ରାଉରକେଲା: ଓଡ଼ିଶାରେ ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗ୍ ୨୦୨୪ରେ ଭାରତୀୟ ମହିଳା ହକି ଦଳରେ ଦମଦାର ପ୍ରଦର୍ଶନ ସମସ୍ତଙ୍କ ମନ ଜିତିଛନ୍ତି ଓଡ଼ିଆ ଝିଅ ଜ୍ୟୋତି ଛତ୍ରୀ । ସେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ହେଉ, ବା ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ସବୁଠି ସାଉଁଟିଛନ୍ତି ପ୍ରଶଂସା । ହେଲେ ଭାରତୀୟ ସିନିୟର ମହିଳା ଦଳର ଏହି ଉଦୀୟମାନ ତାରକା ଜ୍ୟୋତି ଛତ୍ରୀଙ୍କ ସଫଳତା ପଛରେ ରହିଛି ଅନେକ ସଙ୍ଘର୍ଷ । ଯାହା ତାଙ୍କ ପାଇଁ ଅଭୁଲା ଅତୀତ ହୋଇ ରହିବ।
ଭଙ୍ଗା କୁଡ଼ିଆରୁ ଭାରତୀୟ ଦଳ: ଚାଳ କୁଡ଼ିଆରେ ବିତିଥିଲା ଜ୍ୟୋତିଙ୍କ ବାଲ୍ୟ ଜୀବନ । ଅଭାବକୁ ସାଥି କରି ଗଡ଼ି ଚାଲିଥିଲା ଜୀବନ ରଥ । କୁନି କୁନି ପାଦରେ ଅନେକ ଥର କଣ୍ଟା ଗଳିଛି । ଅନେକବାର ଝୁଣ୍ଟି ପଡ଼ିଛନ୍ତି । କିନ୍ତୁ ଜୀବନର ଲକ୍ଷ୍ୟ ତାଙ୍କୁ ପୁଣି ଆଗକୁ ବାଟ କଢ଼ାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଅଭାବ ଅନଟନରେ ରହି ସୁଦ୍ଧା ବାପା, ମାଆଙ୍କ ପାଇଁ ବୋଝ ହୋଇନାହାନ୍ତି, ବରଂ ନିଜର ଦକ୍ଷତା ଓ ପ୍ରତିଭା ବଳରେ ସେ ଆଜି ଭାରତୀୟ ମହିଳା ହକି ଦଳର ଜଣେ ସଦସ୍ୟା ଏବଂ ଜଣେ ଉଦୀୟମାନ ଖେଳାଳି । ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସର ଖୁବ ନିକଟରେ ଏକ ଅନାବାଦୀ ଜମିରେ ମୁଣ୍ଡ ଗୁଞ୍ଜିବା ପାଇଁ ସାମାନ୍ୟ ଘରେ ରହୁଥିବା ଅନ୍ତର୍ଜାତୀୟ ହକି ଖେଳାଳି ଜ୍ୟୋତି ଛତ୍ରୀ ଆଜି ନିଜ ମାଟିକୁ ସମଗ୍ର ବିଶ୍ବ ଦରବାରରେ ପରିଚିତ କରାଇପାରିଛନ୍ତି ।
କାଠ ଖଣ୍ଡିଏ ଧରି ଶିଖିଥିଲେ ହକି ଖେଳ: ଜ୍ୟୋତିଙ୍କ ବାପା ଭୀମସେନ ଛତ୍ରୀ ରାଜମିସ୍ତ୍ରୀ, ମାଆ ସୀମା ଛତ୍ରୀ ଜଣେ ଗୃହିଣୀ । ପିଲାଦିନୁ କାଠ ବାଡ଼ି ଖଣ୍ଡେ ଧରି ଝିଅର ହକି ଖେଳ ପ୍ରତି ରୁଚି ଦେଖି ଭୀମସେନ ଓ ମାଆ ସୀମା ତାଙ୍କୁ ଦିନେ ହକି ତାରକା ଭାବେ ଦେଖୁବାକୁ ସ୍ବପ୍ନ ଦେଖିଥିଲେ । ତେବେ ନିଜ ଭାଇ ସୁରଜ ଛତ୍ରୀ ହକି ଖେଳୁଥିବାରୁ ସେ ମଧ୍ୟ ହକି ପ୍ରତି ଆକୃଷ୍ଟ ହେଲେ । ଭଉଣୀର ହକି ପ୍ରତି ଆଗ୍ରହ ଦେଖି ସୁରଜ ତାଙ୍କୁ ହକି ଖେଳ ଶିଖାଇଥିଲେ । ୧୦ ବର୍ଷ ବୟସରୁ ଜ୍ୟୋତି କାଠ ବାଡ଼ି ଧରି ହକି ଖେଳ ଆରମ୍ଭ କରିଥିଲେ । ତେବେ ଘର ପାଖରେ କ୍ରୀଡ଼ା ଛାତ୍ରାବାସରେ ଭର୍ତ୍ତି ହେବା ପାଇଁ ପରିଶ୍ରମ କରି ସେ ସଫଳତା ଅର୍ଜନ କରିଥିଲେ । ୨୦୧୪ରେ ସେ ହକି ଖେଳ ଖେଳ ଆରମ୍ଭ କରିଥିଲେ । ପାନପୋଷ କ୍ରୀଡ଼ା ଛାତ୍ରାବାସ ତାଙ୍କୁ ଦେଇଥିଲା ନୂଆ ଜୀବନ । ଖଣ୍ଡେ କାଠ ବାଡ଼ିରୁ ହକି ଷ୍ଟିକ ଧରିବାର ସୁଯୋଗ ପାଇଥିଲେ ଜ୍ୟୋତି । ଅନାବନା ଘାସ ପଡ଼ିଆରୁ ସିଧାସଳଖ ଟଫ୍ ଫିଲ୍ଡରେ ଆରମ୍ଭ ହୋଇଥିଲା ଅଭ୍ୟାସ ।
ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ଜାତୀୟ ଦଳରେ ଖେଳିବା ସ୍ବପ୍ନ ଥିଲା, ସତ ହୋଇଛି: ଜ୍ୟୋତି ଛତ୍ରୀ
ଜ୍ୟୋତିଙ୍କ ହକି କ୍ୟାରିୟର: ମହିଳା ହକି ତାରକା ସୁଶୀଳା ଚାନୁ ଓ ପୁରୁଷ ତାରକା ମନପ୍ରୀତ ସିଂହ ତାଙ୍କର ଆଦର୍ଶ ବୋଲି କୁହନ୍ତି ଜ୍ୟୋତି । ୨୦୨୨ରେ କନିଷ୍ଠ ଟିମ୍ରେ ତାଙ୍କୁ ପ୍ରଥମେ ସୁଯୋଗ ମିଳିଥିଲା । ଏହାପରେ ଆୟରଲ୍ୟାଣ୍ଡ ଯାତ୍ରା ବେଳେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ ଓଡ଼ିଶାର ଗୌରବ ଜ୍ୟୋତି ଛତ୍ରୀ । ଯାହା ତାଙ୍କୁ ଦେଇଥିଲା ସ୍ଵତନ୍ତ୍ର ପରିଚୟ । ୨୦୨୩ରେ ବରିଷ୍ଠ ଦଳରେ ମିଳିଥିଲା ସୁଯୋଗ । ସିନିୟର ଟିମ୍ରେ ସ୍ପେନ ବିପକ୍ଷରେ ଅନ୍ତର୍ଜାତୀୟ ହକି ଜୀବନ ଆରମ୍ଭ କରିବାର ସୁଯୋଗ ମିଳିଥିଲା ତାଙ୍କୁ । ତେବେ 5S ବିଶ୍ବକପ୍ ଓମାନରେ ମଧ୍ୟ ଜ୍ୟୋତି ଖେଳିବାର ସୁଯୋଗ ପାଇଥିଲେ ଏବଂ ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ସିଲଭର୍ ମେଡଲ ଜିତି ଦ୍ବିତୀୟ ସ୍ଥାନରେ ରହିଥିଲା ।
ବର୍ତ୍ତମାନର ପୀଢ଼ି ପାଇଁ ଜ୍ୟୋତିଙ୍କ ସନ୍ଦେଶ: ଜ୍ୟୋତି ନିଜେ ଯେପରି ସଙ୍ଘର୍ଷ କରି ଏହି ସ୍ଥାନରେ ପହଞ୍ଚିଛନ୍ତି, ସେଭଳି ଏକ ପରିବେଶରୁ ଜାତୀୟ ଦଳରେ ସାମିଲ୍ ହେବା ପରେ ପ୍ରଥମରୁ ସାମାନ୍ୟ ସଙ୍କୋଚ ଅନୁଭବ ହୋଇଥିବା ସେ କହିଛନ୍ତି । ସେ କହିଛନ୍ତି, "ଆରମ୍ଭରୁ ଯଦିଓ ଟିକିଏ ସଙ୍କୋଚ ଲାଗୁଥିଲା, ଏବେ ଗୋଟିଏ ପରିବାର ଭଳି ଲାଗୁଛି । କଠିନ ପରିଶ୍ରମ ଓ ଦୃଢ଼ ଅଧ୍ୟବସାୟ ବଳରେ ଜଣେ ସଫଳତାର ଶୀର୍ଷ ଛୁଇଁପାରିବ, ଏହା ମୋର ବିଶ୍ଵାସ । ଝିଅମାନେ ଘର କୋଣରେ ବାନ୍ଧି ନହୋଇ ଆଗଭର ହୁଅନ୍ତୁ । ଖେଳ ଦେଖିବାକୁ ଆସନ୍ତୁ, ଦେଖନ୍ତୁ ଓ ଶିଖନ୍ତୁ । ଅଭିଭାବକମାନେ ଏ କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ । ତା' ହେଲେ ଯାଇ ଆମେ ବଢ଼ିବା, ଆମ ଜିଲ୍ଲାର ନାଁ ବଢ଼ିବ, ଆମ ପରିଚୟ ହକିର ବିକାଶ ହୋଇପାରିବ ।" ତେବେ ନିଜ ସଫଳତାର ଶ୍ରେୟ ନିଜ ବାପା ମାଆଙ୍କ ସମର୍ଥନ ଓ ପରିଶ୍ରମକୁ ଦେଇଛନ୍ତି ଜ୍ୟୋତି ।
ଇଟିଭି ଭାରତ, ରାଉରକେଲା