ନୂଆଦିଲ୍ଲୀ: ଆଇପିଏଲରେ ପଞ୍ଜାବ ବିପକ୍ଷ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ନୂଆ ରେକର୍ଡ କରିଛନ୍ତି ରନ ମେସିନ ବିରାଟ କୋହଲି । 46 ବଲରେ 7 ଚୌକା ଓ 6 ଛକାରେ 92 ରନ କରି ଚଳିତ ଆଇପିଏଲରେ ସେ 600 ରନ ପୂରଣ କରିଛନ୍ତି । ବର୍ତ୍ତମାନ କୋହଲି ଅରେଞ୍ଜ କ୍ୟାପ ପିନ୍ଧିଥିବା ବେଳେ 12ଟି ମ୍ୟାଚ ଖେଳି 77.44 ହାରରେ 674 ରନ କରିଛନ୍ତି । ଆଇପିଏଲ ଇତିହାସରେ ସେ ଦ୍ବିତୀୟ ଖେଳାଳି ଭାବେ 4ଟି ସିଜିନରେ 600ରୁ ଊର୍ଦ୍ଧ୍ବ ରନ ଅତିକ୍ରମ କରିଛନ୍ତି ।
4ଟି ସିଜିନରେ କୋହଲିଙ୍କ 600ରୁ ଉର୍ଦ୍ଧ୍ବ ରନ: 2013 ଆଇପିଏଲରେ ସେ 16ଟି ମ୍ୟାଚ ଖେଳି 634 ରନ ସଂଗ୍ରହ କରିଥିଲେ । ତାଙ୍କର ଷ୍ଟ୍ରାଇକ ରେଟ 138.73 ରହିଥିଲା । ସେହିପରି 2016 ମସିହାରେ ସେ 16ଟି ମ୍ୟାଚ ଖେଳି 973 ଓ 2013ରେ 14ଟି ମ୍ୟାଚ ଖେଳି 639 ରନ କରିଥିଲେ । ଏହି ରେକର୍ଡ ପ୍ରଥମେ କେଏଲ ରାହୁଲ ହାସଲ କରିଥିଲେ । 2018 ଆଇପିଏଲରେ ରାହୁଲ 659, 2020ରେ 670, 2021ରେ 626 ଓ 2022ରେ 619 ରନ ସଂଗ୍ରହ କରିଥିଲେ । ସେହିପରି କ୍ରିସ ଗେଲ ଓ ଡେଭିଡ ଓ୍ବାର୍ଣ୍ଣନର 3ଟି ଲେଖାଏଁ ସିଜିନରେ 600ରୁ ଊର୍ଦ୍ଧ୍ବ ରନ କରିଥିଲେ ।
ଟି20 କ୍ରିକେଟରେ ସର୍ବାଧିକ ଛକା ମାରିବାରେ କୋହଲି ଦ୍ବିତୀୟ: ସେହିପରି ଆଉ ଏକ ନୂଆ ରେକର୍ଡ ମଧ୍ୟ ବିରାଟ କୋହଲି ହାସଲ କରିଛନ୍ତି । ଦ୍ବିତୀୟ ଭାରତୀୟ ଭାବେ ସେ ଟି20 କ୍ରିକେଟରେ 400 ଛକା ମାରିଛନ୍ତି । ପ୍ରଥମ ଭାରତୀୟ ଭାବେ ଏହି ତାଲିକାର ରୋହିତ ଶର୍ମା ରହିଛନ୍ତି । ସେ 506 ଛକା ମାରିଛନ୍ତି ।
ଗୁରୁବାର ଆଇପିଏଲର 58ତମ ମ୍ୟାଚ ରହିଥିଲା । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସର ରୋମାଞ୍ଚକ ବିଜୟ ହୋଇଛି । ପଞ୍ଜାବକୁ 60 ରନରେ ପରାସ୍ତ କରିଥିଲା ବେଙ୍ଗାଲୁରୁ । ବିରାଟ କୋହଲି ଧୂଆଁଧାର ବ୍ୟାଟିଂ କରିଥିଲେ । 7ଟି ଚୌକା ଓ 6ଟି ଛକା ବଳରେ ସେ 92 ରନ କରିଥିଲେ । ଚଳିତ ଆଇପିଏଲ ସିଜିନରେ ବର୍ତ୍ତମାନ ସୁଦ୍ଧା ସେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ହୋଲ୍ଡର ରହିଛନ୍ତି । 12ଟି ମ୍ୟାଚରୁ 634ରନ ସଂଗ୍ରହ କରିଥିବା ବେଳେ ଏଥିରେ ଗୋଟିଏ ଶତକ ଓ 5ଟି ଅର୍ଦ୍ଧଶତକ ସାମିଲ ରହିଛି ।