ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 'ଆମ ଓଡି଼ଶା ନବୀନ ଓଡ଼ିଶା 'ସହରୀ' କାର୍ଯ୍ୟକ୍ରମ ପାଇଁ ଜାରି ହେଲା ମାର୍ଗଦର୍ଶିକା । ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭ ମଧ୍ୟରେ ସମସ୍ତ ପୌରାଞ୍ଚଳ ଦ୍ୱାରା ସଚେତନତା ଶିବିର ସହରାଞ୍ଚଳ ବିକାଶ ସଂସ୍ଥା (ଡୁଡା) ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡର ଅନୁଯାୟୀ ସମସ୍ତ ୱାର୍ଡକୁ ଅନ୍ତର୍ଭୁକ୍ତ କରାଯିବ । ପୌରାଞ୍ଚଳ ଏବଂ ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥାରେ ଅନୁଷ୍ଠିତ ହେବାକୁ ଥିବା ଶିବିରଗୁଡିକର ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବ । କାର୍ଯ୍ୟସୂଚୀ ଅନୁଯାୟୀ ସମ୍ପୃକ୍ତ ଯୋଜନାଗୁଡିକର ହିତାଧିକାରୀଙ୍କୁ ପୌରାଞ୍ଚଳର ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଚିହ୍ନଟ କରିବେ । ସୂଚନା ପ୍ରଦାନ କରିବା ସହ ସହାୟତା ନିମନ୍ତେ କ୍ୟାମ୍ପ ସମୟରେ ଉପସ୍ଥିତ ରହିବେ ।
ସମାଜର ସମସ୍ତ ବର୍ଗଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର 5T ପଦକ୍ଷେପ ଅଧୀନରେ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ଏହି ପଦକ୍ଷେପଗୁଡିକର ଲାଭ ଯୋଗ୍ୟ ତଥା ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିବାକୁ ଉନ୍ନତି (UNNATI) ଅଧୀନରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସମସ୍ତ ପୌରାଞ୍ଚଳ ମାନଙ୍କରେ 'ଆମ ଓଡିଶା ନବୀନ ଓଡିଶା(ସହରୀ)' କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଜାନୁଆରୀ ୨୨ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୭ ତାରିଖ ସୁଦ୍ଧା ଶେଷ ହେବ । ଏ ସଂକ୍ରାନ୍ତରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି ।
ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏନେଇ ସମସ୍ତ ଜିଲ୍ଲାପାଳ, ପିଡି ଡୁଡା, ମହାନଗର ନିଗମ କମିଶନର ଏବଂ ସମସ୍ତ ମ୍ୟୁନିସିପାଲିଟି ଏବଂ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରେରିତ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆମ ଓଡିଶା ନବୀନ ଓଡିଶା (ସହରୀ) କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବିଭିନ୍ନ ଶିବିର ଆୟୋଜନ କରାଯିବ । ନାଗରିକମାନଙ୍କୁ ସରକାରଙ୍କ ବିଭିନ୍ନ ଗୋଷ୍ଠୀ କେନ୍ଦ୍ରିକ ପଦକ୍ଷେପ ବିଷୟରେ ଅବଗତ କରାଯିବ । ବିଭିନ୍ନ ଯୋଜନା ଅନ୍ତର୍ଗତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବା ଲାଭ ବଣ୍ଟନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବ । ଏହା ସହିତ ସମସ୍ତ କଲ୍ୟାଣ ତଥା ବିକାଶମୂଳକ ଯୋଜନା ଏବଂ ସରକାରଙ୍କ ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରି ନାଗରିକଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହାମଧ୍ୟ ପଢନ୍ତୁ.. ଅଭିଯୋଗ ସହ ସରିଲା ମୋ ଓଡିଶା ନବୀନ ଓଡିଶା ଗ୍ରାମୀଣ ପ୍ରକଳ୍ପ ଘୋଷଣା
ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଜାନୁଆରୀ ୨୨ରୁ ଫେବୃଆରୀ ୭ ମଧ୍ୟରେ ସମସ୍ତ ପୌରାଞ୍ଚଳ ଦ୍ୱାରା ସଚେତନତା ଶିବିର ସହରାଞ୍ଚଳ ବିକାଶ ସଂସ୍ଥା (ଡୁଡା) ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡର ଅନୁଯାୟୀ ସମସ୍ତ ୱାର୍ଡକୁ ଅନ୍ତର୍ଭୁକ୍ତ କରାଯିବ । ପୌରାଞ୍ଚଳ ଏବଂ ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥାରେ ଅନୁଷ୍ଠିତ ହେବାକୁ ଥିବା ଶିବିରଗୁଡିକର ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବ । ସୂଚନା ସଂଗ୍ରହ କରିବା ସହ ସେମାନଙ୍କ ଜିଲ୍ଲା ପାଇଁ ସଂକଳନ କରିବ । ୨୦ ଜାନୁୟାରୀ ୨୦୨୪ କିମ୍ବା ତା ପୂର୍ବରୁ ପୌର ପ୍ରଶାସକ ନିର୍ଦ୍ଦେଶକଙ୍କ ନିକଟକୁ ପଠାଇବାକୁ କୁହାଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ ସମ୍ପୃକ୍ତ ଯୋଜନାଗୁଡିକର ହିତାଧିକାରୀଙ୍କୁ ପୌରାଞ୍ଚଳର ସମ୍ପୃକ୍ତ ଲାଇନ ବିଭାଗର ଅଧିକାରୀମାନେ ଚିହ୍ନଟ କରିବେ । ସୂଚନା ପ୍ରଦାନ କରିବା ସହ ସହାୟତା ନିମନ୍ତେ କ୍ୟାମ୍ପ ସମୟରେ ଉପସ୍ଥିତ ରହିବେ ।
ସମ୍ପୃକ୍ତ ଲାଇନ ବିଭାଗଗୁଡିକ ସେମାନଙ୍କ ବିଭାଗର ନିର୍ଦ୍ଦିଷ୍ଟ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇବା ପାଇଁ କ୍ୟାମ୍ପ ଦିନରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ସମ୍ପୃକ୍ତ ବିଭାଗଗୁଡିକ ଟିଭି ବିଜ୍ଞାପନ, ରେଡିଓ ଜିଙ୍ଗଲ୍ସ, ଖବରକାଗଜ ବିଜ୍ଞାପନ, ବ୍ୟାନର ଏବଂ ହୋର୍ଡିଂ ମାଧ୍ୟମରେ ସଚେତନତା ଅଭିଯାନ କରିବେ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନଙ୍କ ଯୋଜନା ପ୍ରଚାର କରିବେ । ଶିବିର ସମୟରେ ସ୍ଥାନୀୟ ପ୍ରଦର୍ଶନକାରୀ ଗୋଷ୍ଠୀ ଏବଂ ସମ୍ପ୍ରଦାୟର ଅଂଶଗ୍ରହଣକାରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ ।
ରାଜ୍ୟ ସ୍ତରୀୟ କମିଟିର ସଦସ୍ୟ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଏହି ଶିବିର ପରିଦର୍ଶନ କରିବେ । ଆବଶ୍ୟକ ତଦାରଖ କାର୍ଯ୍ୟକ୍ରମ ତଥା ଶିବିରର ସଫଳତା ଜାଣିବା ପାଇଁ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହିବେ । ଏକ ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଧାରିତ ଶିବିର ସମାପ୍ତ ହେବା ପରେ ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ରେକର୍ଡ ପାଇଁ ବିଭାଗକୁ ସୂଚନା ପ୍ରଦାନ କରିବ । ଦାଖଲ ପାଇଁ ଫର୍ମାଟ ପୃଥକ ଭାବରେ ଯୋଗାଯୋଗ କରାଯିବ । କ୍ୟାମ୍ପ ଦିନରେ ସଚେତନତା ସାମଗ୍ରୀ ବଣ୍ଟନ କରାଯିବ । ଏହି ଯୋଜନା ବିଷୟରେ ବ୍ୟାନର, ଟିଭି କମର୍ସିଆଲ, ରେଡିଓ ଜିଙ୍ଗଲ ଏବଂ ଯୋଗାଯୋଗର ଅନ୍ୟାନ୍ୟ ଅଭିନବ ଉପାୟରେ ସୋସିଆଲ ମିଡିଆ ସହିତ ସର୍ବାଧିକ 360 ଡିଗ୍ରୀ ସଚେତନତା ଅଭିଯାନ ଆୟୋଜିତ ହେବ । ଗୃହ ଓ ନଗର ଉନ୍ନୟନ ବିଭାଗ ନୋଡାଲ ବିଭାଗ ହେବ ।
ସାମାଜିକ କର୍ମୀ ତଥା ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ନିୟୋଜିତ ହେବେ । ଅଭିଯାନ ଓ କାର୍ଯ୍ୟକ୍ରମର ସଂଗଠନ ସମ୍ବନ୍ଧରେ ଯେକୌଣସି ସମନ୍ୱୟ ପାଇଁ, ଡୁଡା ପିଡି ଜିଲ୍ଲା ସ୍ତରରେ ନୋଡାଲ ଅଧିକାରୀ ଏବଂ କମିଶନର ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପୌରାଞ୍ଚଳରେ ନୋଡାଲ୍ ଅଫିସର ହେବେ । ଜିଲ୍ଲା ସ୍ତରୀୟ କମିଟି ସଚେତନତା ଅଭିଯାନର କାର୍ଯ୍ୟକାରିତାକୁ ତଦାରଖ କରିବେ । ସମୀକ୍ଷା ସହ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମର ଉନ୍ନତି ପାଇଁ ପରାମର୍ଶ ଦେବେ । ପୌରପରିଷଦ ସ୍ତରରେ ଥିବା କମିଟି ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବ । ଜିଲ୍ଲା ସ୍ତରୀୟ କମିଟି ତରଫରୁ ଗ୍ରହଣ କରାଯାଇଥିବା ପରାମର୍ଶ ଏବଂ ସମୟକ୍ରମେ ସରକାରଙ୍କ ତରଫରୁ ଅନ୍ୟ କୌଣସି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବ ।
ରେକର୍ଡ ଉପରେ ସଠିକ ଡକ୍ୟୁମେଣ୍ଟେସନ ପାଇଁ ଶିବିରଗୁଡିକର ସମସ୍ତ କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓଗ୍ରାଫ ହେବ । ପିଡି, ଡୁଡା ଶିବିର ସମୟରେ ନାଗରିକମାନଙ୍କୁ ପ୍ରଦାନ କରଯାଉଥିବା ସମସ୍ତ ସୁବିଧା ବିଷୟରେ ସୂଚନା ରଖିବେ । ଦିନ ସାରା ଜିଲ୍ଲାରେ ଧାର୍ଯ୍ୟ ହୋଇଥିବା ସମସ୍ତ ଶିବିର ଶେଷ ହେବା ପରେ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବେ । ଗୃହ ଏବଂ ନଗର ଉନ୍ନୟନ ବିଭାଗ ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ଯେ କୌଣସି ବ୍ୟବସ୍ଥାକୁ ସଂଶୋଧନ କରିପାରିବେ । ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ କୌଣସି ସନ୍ଦେହ ହେଲେ ଗୃହ ଓ ନଗର ଉନ୍ନୟନ ବିଭାଗରେ ସରକାରଙ୍କ ନିକଟକୁ ପଠାଯାଇପାରେ ଯାହାର ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।
ଇଟିଭି ଭାରତ, ଭୁବନେଶ୍ୱର