ଭୁବନେଶ୍ବର: ବିଜେଡି ପାଇଁ ପ୍ରଚାର କରିବ କିଏ ? କିଏ ହେବେ ବିଜେଡିର ଷ୍ଟାର ପ୍ରଚାରକ ? କାରଣ ସିନେମା ଷ୍ଟାରମାନେ ଏବେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଯଦି କିଛି ଚେହେରା ଲୋକଙ୍କ ପାଖରେ ନିଜର ଅସ୍ତିତ୍ବ ରଖିପାରିଛି ସେ ହେଉଛି ନବୀନ ପଟ୍ଟନାୟକଙ୍କ ଚେହେରା । ବୟସ ଅଧିକ କାରଣରୁ ଏତେ ଖରାରେ ନବୀନ ପ୍ରଚାର କରିପାରିବେ ତ ? ରାଜନୀତି ସମୀକ୍ଷକଙ୍କ କହିବାନୁସାରେ ନବୀନ ହିଁ ବିଜେଡିର ଷ୍ଟାର ପ୍ରଚାରକ ହେବା ଦରକାର ।
ଦଳର ଦ୍ବିତୀୟ ଧାଡିର ନେତା ଏବେ ନିର୍ବାଚନୀ ମଇଦାନରେ । ଆମେ କହୁଛୁ ପ୍ରଣବ ପ୍ରକାଶ ଦାସଙ୍କ କଥା । ସମ୍ବଲପୁର ଲୋକସଭା କ୍ଷେତ୍ରରେ ମହାସମରରେ ଭାଗ ନେବେ ପ୍ରଣବ ପ୍ରକାଶ । ଏହି ଲଢେଇ ତାଙ୍କ ପାଇଁ ବହୁତ ବଡ଼ । କାରଣ ଦଳର ସମ୍ମାନର ପ୍ରଶ୍ନ । ତେଣୁ ସେ ନବୀନଙ୍କ ସହିତ ପ୍ରଚାରରେ ବୁଲିପାରିବେ ନାହିଁ । ତେଣୁ ନବୀନ ହିଁ ବିଜେଡି ପାଇଁ ଏକ ମାତ୍ର ଭରସା ବୋଲି ଆକଳନ କରାଯାଉଛି ।
ଏ ନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ନବୀନ ପଟ୍ଟନାୟକ ଏକମାତ୍ର ଚେହେରା ଯାହାଙ୍କୁ ଦେଖି ଲୋକମାନେ ଶଙ୍ଖଚିହ୍ନରେ ଭୋଟ ଦିଅନ୍ତି । ତାଙ୍କ ଉପସ୍ଥିତି ଯଦି ସବୁ ନିର୍ବାଚନ ମଣ୍ଡଳୀରେ ନ ଦେଖନ୍ତି ତାହେଲେ ପ୍ରଶ୍ନ ଉଠିବ । ନବୀନ ଯଦି ପ୍ରତି ଅଞ୍ଚଳକୁ ଥରୁଟିଏ ନଯିବେ ତେବେ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିବ । ସିନେ ତାରକାମାନେ ଏବେ ନାହାନ୍ତି । ତେଣୁ ନବୀନ ପଟ୍ଟନାୟକଙ୍କୁ ଯିବାକୁ ପଡିବ । ଯେଉଁମାନେ କ୍ୟାମ୍ପେନ କରିବାକୁ ସମର୍ଥ ସେମାନଙ୍କୁ ଦଳ ଭିତରେ ରଖିଛନ୍ତି । କାମରେ ଲଗେଇଛନ୍ତି କି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ । କାରଣ କ୍ୟାମ୍ପେନ କାପାସିଟି ଥିବା ନେତା ଇନଆକ୍ଟିଭ । ବିଜେପି ଓ କଂଗ୍ରେସ ଓଡିଆ ଅସ୍ମିତା କଥା ଉଠାଉଛନ୍ତି । ସେମାନେ କହୁଛନ୍ତି ନବୀନ ସିନା ମୁଖ୍ୟମନ୍ତ୍ରୀ କିନ୍ତୁ ଶାସନ କରୁଛନ୍ତି ଭି କେ ପାଣ୍ଡିଆନ । ଯଦି ଓ ପାଣ୍ଡିଆନ ଏବେ ଏତେଟା ଆଉ ସକ୍ରିୟ ନାହାନ୍ତି କିନ୍ତୁ ନବୀନଙ୍କୁ ଆଗକୁ ଆସିବାକୁ ପଡିବ ।"
ଏହା ବି ପଢନ୍ତୁ- ବିଜେଡିରେ କମୁଛି ଅଭିନେତାଙ୍କ ଚମକ; ଅରିନ୍ଦମ, ସିଦ୍ଧାନ୍ତ ପରେ ଦଳ ଛାଡିଲେ ଅନୁଭବ, ଆକାଶ
ନଚେତ ଦଳକୁ କିଛି ଷ୍ଟାର ପ୍ରଚାରକ ସୃଷ୍ଟି କରିବାକୁ ପଡିବ । ଶଙ୍ଖଚିହ୍ନ ଆଉ ନବୀନଙ୍କ ମୁହଁ । ଯାହା ଜନହିତକାରୀ କାର୍ଯ୍ୟ କରିଛନ୍ତି ଯାହା ବିକାଶମୂଳକ କାର୍ଯ୍ୟ କରିଛନ୍ତି ତାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେଡି । ବିଜେଡି ବିଧାନସଭା ପ୍ରତି ଗୁରୁତ୍ବ ଦେଉଛି । ତେଣୁ ଚତୁରତାର ସହିତ ପ୍ରାର୍ଥୀ ଚୟନ କରିଛି । ପାର୍ଲାମେଣ୍ଟକୁ ଗୁରୁତ୍ବ ନଦେଇ ବିଧାନସଭାକୁ ଗୁରୁତ୍ବ ଦେଇ ପ୍ରାର୍ଥୀ ବାଛୁଛି ବିଜେଡି । ତେଣୁ ନବୀନ ହିଁ ଏକ ମାତ୍ର ଷ୍ଟାର ପ୍ରଚାରକ । ଯିଏ ଚାହିଁଲେ କ୍ୟାମ୍ପେନ କରିବେ ଏବଂ ଷଷ୍ଠ ଥର ପାଇଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ।
ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ବିଜେଡିର ଡେ-1ରୁ ନବୀନ ଷ୍ଟାର ପ୍ରଚାରକ ରହିଛନ୍ତି । ତାଙ୍କ ସହିତ ଦ୍ବିତୀୟ ଏବଂ ତୃତୀୟ ଧାଡିର ନେତା ଯେଉଁମାନେ ଅଛନ୍ତି ସେମାନେ ପ୍ରଚାରର ମଙ୍ଗ ଧରିବେ । ପ୍ରଚାର କରିବା ପାଇଁ ସେମିତି କେହି ନେତା ଦଳ ଭିତରେ ନଥିବା କାରଣରୁ ନବୀନଙ୍କ ଦାୟିତ୍ବ ଦୁଇଗୁଣା ବଢିଯାଇଛି । ଯେତେ ନିର୍ବାଚନ ଲଢିଛନ୍ତି ଏହି ନିର୍ବାଚନ ଚ୍ୟାଲେଂଜି ହେବ । ତେଣୁ ନବୀନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ସମସ୍ତ ଚାପ ନବୀନଙ୍କ ଉପରେ ରହିବ । ନବୀନ ଟିକେ ବୟସ୍କ ହୋଇଯାଇଛନ୍ତି । ଖରାରେ ତରାରେ କ୍ୟାମ୍ପେନ କରିବାକୁ ପଡିବ । ପାଣ୍ଡିଆନ ଆଉ ସାମନାକୁ ଆସି ନପାରନ୍ତି । ତେଣୁ ନବୀନଙ୍କୁ ପ୍ରଚାରର ମଙ୍ଗ ଧରିବାକୁ ପଡିବ ।"
ବିଗତ ନିର୍ବାଚନ ଗୁଡିକରେ ନବୀନ ପ୍ରଚାରର ମଙ୍ଗ ସମ୍ଭାଳିଥିଲେ । ଏବେ କିନ୍ତୁ ନବୀନଙ୍କୁ ବୟସ ହୋଇଗଲାଣି । ଖରାରେ ବୁଲି ସବୁ ନିର୍ବାଚନ ମଣ୍ଡଳୀକୁ ଟଚ କରିବା ସମ୍ବବ ପ୍ରାୟ ଲାଗୁନି । କିନ୍ତୁ ବିଜେଡି ପାଖରେ ଆଉ କିଛି ଚାରା ନାହିଁ । ଆଣ୍ଟି ଇନକମବାନ୍ସି ଫ୍ୟାକ୍ଟର ବଢୁଥିବା ବେଳେ, ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ନବୀନ ହିଁ ଏକମାତ୍ର ଚେହେରା ଯିଏ ଗେମ ଚେଞ୍ଜର ହୋଇପାରିବେ । ଦେଖିବାର କଥା ବିଜେଡିର ପ୍ରଚାରର ମଙ୍ଗ କିଏ ସମ୍ଭାଳୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର