ଅମରାବତୀ: ଆନ୍ଧ୍ର ପ୍ରଦେଶରେ ନିର୍ବଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଣ୍ଟ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ଆଜି ଗୋଟିଏ ମଞ୍ଚରେ ଜନସଭାକୁ ସମ୍ବୋଧିତ କରି ଏନଡିଏ ମେଣ୍ଟକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । 10ବର୍ଷ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଟିଏ ନିର୍ବାଚନୀ ମଞ୍ଚରେ ଦେଖିବାକୁ ମିଳିଛି । ‘ଏନଡିଏ’ ମେଣ୍ଟ ନେତୃତ୍ବରେ ହିଁ କେବଳ ବିକଶିତ ଆନ୍ଧ୍ର ପ୍ରଦେଶ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, "ଆନ୍ଧ୍ରବାସୀ ଏଥର ‘ବିକଶିତ ଭାରତ’ ସହ ‘ବିକଶିତ ଆନ୍ଧ୍ର’ ଗଠନ ପାଇଁ ନିଜର ଭୋଟ ଦେବାର ସମୟ ଆସିଛି ।" ଏଥର କେନ୍ଦ୍ରରେ 400 ପାର ସହ ରାଜ୍ୟରେ ମଧ୍ୟ ‘ଏନଡିଏ’ ସରକାର ଗଠନ କରିବାକୁ ରାଜ୍ୟବାସୀ ନିଜ ସମର୍ଥନ ଦିଅନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ସେ ପରିବାରବାଦ ପ୍ରସଙ୍ଗ ଉଠାଇ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ଜଗନଙ୍କ ଦଳ ଓ୍ବାଇଏସଆର କଂଗ୍ରେସକୁ ଶାଣିତ ଟାର୍ଗେଟ କରିଛନ୍ତି । କଂଗ୍ରେସ ଶାସନରୁ ଓ୍ବାଇଏସଆର କଂଗ୍ରେସ ପର୍ଯ୍ୟନ୍ତ ରାଜ୍ୟର ଗୋଟିଏ ପରିବାର ହିଁ ଶାସନରେ ରହିଛି । ତେଣୁ ଭ୍ରଷ୍ଟ ଓ୍ବାଇଏସଆର ଦଳକୁ ଏବେ ରାଜ୍ୟବାସୀ ବିଦାୟୀ ସମ୍ବର୍ଦ୍ଧନା ଦେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଚନ୍ଦ୍ରବାବୁ ଓ ପବନ କଲ୍ୟାଣଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ରାଜ୍ୟର ବିକାଶରେ ଚନ୍ଦ୍ରବାବୁଙ୍କ ବଡ ଭୂମିକା ରହିଥିବା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶକୁ 10 ଲକ୍ଷ ପକ୍କା ଘର ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାର ସର୍ବଦା ଦେଶର ଆଞ୍ଚଳିକ ବିକାଶକୁ ଗୁରୁତ୍ବ ଦେଇ ଆସିଛି । ରାଜ୍ୟବାସୀ ଗତ 5ବର୍ଷ ମଧ୍ୟରେ ଭ୍ରଷ୍ଟ ଶାସନରେ ଅତିଷ୍ଠ ହୋଇପଡିଥିବା ସ୍ପଷ୍ଟ ଜଣାପଡୁଛି । ଏବେ ରାଜ୍ୟରେ ’ଏନଡିଏ’କୁ କ୍ଷମତା ଦେବା ପାଇଁ ସେମାନେ ନିର୍ଣ୍ଣୟ କରିସାରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- କେଜ୍ରିୱାଲଙ୍କୁ ଇଡିର ନବମ ସମନ, 21ରେ ହାଜର ହେବାକୁ ନିର୍ଦ୍ଦେଶ
ତେବେ ଏଠାରେ ଉଲ୍ଲେଖଯୋଗ୍ୟ, ଆନ୍ଧ୍ରରେ ଏଥର ବିଜେପି-ଟିଡିପି ଓ ଜନସେନା ପାର୍ଟି ଏକାଠି ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ଏନଡିଏର ସହଯୋଗୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୁଣି ଥରେ ନିଜର ପୁରୁଣା ମେଣ୍ଟକୁ ଫେରିଛନ୍ତି । ତିନି ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି । ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ କେନ୍ଦ୍ରରେ 400 ଆସନ ପାର କରି କ୍ଷମତାର ତୃତୀୟ ପାଳି ଆରମ୍ଭ କରିବା ସହିତ ଆନ୍ଧ୍ରରେ ମଧ୍ୟ ସରକାର ଗଠନ କରିବା ଲକ୍ଷ୍ୟ ନେଇ ନିର୍ବାଚନ ଲଢୁଛି । ଲୋକସଭା ନିର୍ବାଚନ ସହ ଆନ୍ଧ୍ର ଓ ଅନ୍ୟ 3 ରାଜ୍ୟରେ ମଧ୍ୟ ଏକକାଳୀନ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମେଣ୍ଟ ଗଠନ ହେବା ପରେ ଆଜି ପ୍ରଥମ ଥର ପ୍ରଧାନମନ୍ତ୍ରୀ ଆନ୍ଧ୍ରରେ ନିର୍ବାଚନ ପ୍ରଚାର କରିଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ