ବେଙ୍ଗାଲୁରୁ: " ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ଭାରତୀୟ ଜନତା ପାର୍ଟି ଦକ୍ଷିଣ ରାଜ୍ୟରେ ଅପରେସନ ଲୋଟସ୍ ଚଳାଇବାକୁ ଚେଷ୍ଟା କରୁଛି । ଦଳ ବଦଳାଇବା ପାଇଁ ବିଜେପି କର୍ଣ୍ଣାଟକରେ କଂଗ୍ରେସ ବିଧାୟକମାନଙ୍କୁ ୫୦ କୋଟି ଟଙ୍କା ଅଫର କରିଥିଲା । କିନ୍ତୁ ନିଜ ଉଦ୍ୟମରେ ବିଫଳ ହୋଇଥିଲା । " ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ଏଭଳି ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।
ବିଜେପି ସମ୍ପର୍କରେ ପଚରାଯିବାରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ ଯେ, ବିଜେପି ମୋ ନେତୃତ୍ବାଧୀନ କଂଗ୍ରେସ ସରକାର ଭାଙ୍ଗିବାକୁ ଚେଷ୍ଟା କରିଆସୁଛି । ଏଥିପାଇଁ ସେ ଆମର ବିଧାୟକମାନଙ୍କୁ ୫୦ କୋଟି ଟଙ୍କା ଅଫର୍ ବି କରିଥିଲେ । ହେଲେ ସଫଳ ହୋଇନଥିଲେ । ସେମାନେ ସରକାର ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଓ ବିଫଳ ହୋଇଥିଲେ । ତେବେ ନିର୍ବାଚନ ପରେ କଂଗ୍ରେସ ନେତୃତ୍ବାଧୀନ ସରକାର ଭାଙ୍ଗିଯିବା ସହଜ ହେବ କି ବୋଲି ପ୍ରଶ୍ନରେ ସେ କହିଥିଲେ, ଏହା ଅସମ୍ଭବ । ଆମର ବିଧାୟକମାନେ କେବେ ହେଲେ ଯିବେ ନାହିଁ । କେହି ଜଣେ ବି ବିଧାୟକ ଦଳ ଛାଡିବେନି । ଏଥିସହ ତାଙ୍କ ନେତୃତ୍ବରେ ଥିବା କଂଗ୍ରେସ ସରକାର କର୍ଣ୍ଣାଟକରେ ନିଶ୍ଚୟ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବ ବୋଲି ସିଦ୍ଧରମୈୟା ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ : ନିର୍ବାଚନ ରାଲିରେ ମିଠା ଦୋକନାରେ ରାହୁଲ, କିଣିଲେ ଗୁଲାବ ଜାମୁନ - Rahul Visits Sweet Shop
ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ଉପରେ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି ସାଂସଦ ଏସ ପ୍ରକାଶ ସିଦ୍ଧରମୈୟାଙ୍କ ଅଭିଯୋଗକୁ ଖଣ୍ଡନ କରି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଲୋକଙ୍କର ସହାନୁଭୂତି ପାଇବାକୁ ସିଦ୍ଧରମୈୟା ବାରମ୍ବାର ଏମିତି ଅଭିଯୋଗ କରୁଛନ୍ତି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଖ୍ୟ ମୁଦ୍ଦାଗୁଡିକ ଉପରେ ଫୋକସ କରିବା ବଦଳରେ ସେ ମିଛ ଅଭିଯୋଗ କରୁଛନ୍ତି । ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ୨୮ ଆସନ ଜିତିବା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ନିର୍ବାଚନ ପରେ କେମିତି ତାଙ୍କର କ୍ଷମତା ବଜାୟ ରହିବ ତା' ଉପରେ ଫୋକସ କରୁଛନ୍ତି ।