ନୂଆଦିଲ୍ଲୀ: ଦକ୍ଷିଣରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ସ୍ଥିତି ସେତେ ସୁଦୃଢ ନଥିଲେ ସୁଦ୍ଧା ବିଭିନ୍ନ ଦକ୍ଷିଣ ଭାରତୀୟ ଆସନରେ ଦଳ ଚଳିତଥର ଏକାଧିକ ବରିଷ୍ଠ ନେତାଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ସେହିକ୍ରମରେ କେରଳ ରାଜଧାନୀ ଥିରୁଅନନ୍ତପୁରମରେ ମଧ୍ୟ ହାଇପ୍ରୋଫାଇଲ ଫାଇଟ ଦେଖିବାକୁ ମିଳିବାକୁ ଯାଉଛି । ବିଜେପି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ସ୍ଥାନୀୟ ସାଂସଦ ଶଶୀ ଥରୁର ପୁଣିଥରେ ମୈଦାନରେ ରହିଛନ୍ତି । ଥିରୁଅନନ୍ତପୁରମର ବିକାଶ ପ୍ରସଙ୍ଗରେ ଖୋଲା ବିତର୍କ କରିବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ତଥା ଚଳିତଥରର ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର । ଯାହାକୁ ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁର ଗ୍ରହଣ ମଧ୍ୟ କରିଛନ୍ତି । ସେ ଏହି ବିତର୍କକୁ ସ୍ବାଗତ କରିବେ ବୋଲି ଶଶୀ ‘ଏକ୍ସ’ରେ ଟ୍ବିଟ କରି କହିଛନ୍ତି ।
ଆଜି ‘ଏକ୍ସ’ରେ ଶଶୀ କହିଛନ୍ତି,‘‘ହଁ, ମୁଁ ଏକ ବିତର୍କକୁ ସ୍ୱାଗତ କରୁଛି । କିନ୍ତୁ ଥିରୁଅନନ୍ତପୁରମର ଲୋକମାନେ ଜାଣିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କି’ଏ ଏହି ବିତର୍କରୁ ନିଜକୁ ଦୂରେଇ ରଖିଛି । ଆସନ୍ତୁ ରାଜନୀତି ଏବଂ ବିକାଶ ଉପରେ ବିତର୍କ କରିବା । ଦରଦାମ ବୃଦ୍ଧି, ବେକାରୀ, ଦୁର୍ନୀତି, ସାମ୍ପ୍ରଦାୟିକତା ଓ ବିଜେପିର 10 ବର୍ଷର ଘୃଣାର ରାଜନୀତି ବିଷୟରେ ବିତର୍କ କରିବା । ଥିରୁଅନନ୍ତପୁରମର ବିକାଶ ଏବଂ ଗତ 15ବର୍ଷ ମଧ୍ୟରେ ଆମେ କରିଥିବା ଅଗ୍ରଗତି ବିଷୟରେ ମଧ୍ୟ ଆଲୋଚନା କରିବା ।’’
ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଥିବା ରାଜୀବ ଚନ୍ଦ୍ରଶେଖର ଏକ ପୋଷ୍ଟରେ କେରଳର ଏକ ସ୍ଥାନୀୟ ସମ୍ବାଦ ସଂସ୍ଥା ସହ ସାକ୍ଷାତକାର ସମୟରେ ଥରୁର ଭୁଲ ତଥ୍ୟ ପ୍ରସାରିତ କରୁଥିବା ଅଭିଯୋଗ କରିଥିଲେ । ‘ଏକ୍ସ’ରେ ରାଜୀବ ତାଙ୍କ ପୋଷ୍ଟରେ କହିଥିଲେ, ‘‘ଗତ ଦୁଇ ସପ୍ତାହ ମଧ୍ୟରେ ଆମେ ଏକାଧିକ ଫୋରମରେ ବିତର୍କ କରୁଛୁ ଏବଂ ଲୋକମାନେ ମୋର ପ୍ରଶ୍ନର ଉତ୍ତର ପାଇଁ ଅପେକ୍ଷା କରିଛନ୍ତି । ନିଜର ଆତ୍ମରକ୍ଷା ପାଇଁ ଆପଣ ମିଥ୍ୟା ପ୍ରଚାର କରିବାକୁ ବାଛିଛନ୍ତି । ଏପରି ଭିତ୍ତିହୀନ ଅଭିଯୋଗ କେବଳ ମୋତେ ବଦନାମ କରିଛି ତାହା ନୁହେଁ ବରଂ ମୋ ନିର୍ବାଚନ ମଣ୍ଡଳୀରେ ଥିବା ଅନେକ ସାମାଜିକ ତଥା ଧାର୍ମିକ ସଂଗଠନକୁ ମଧ୍ୟ ବଦନାମ କରିଛି । ତେଣୁ ଆସନ୍ତୁ ଥିରୁଅନନ୍ତପୁରମର ବିକାଶ ପ୍ରସଙ୍ଗରେ ଏକ ମୁକ୍ତ ଗଠନମୂଳକ ବିତର୍କ କରିବା ।’’
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ