ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜନୈତିକ ମାହୋଲ ସରଗରମ ରହିଛି । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ନରସିଂହ କହିଛନ୍ତି, "୨୦୧୯ ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଆସିଥିଲେ । ଆଉ ସେଠି ସାଧାରଣ ସଭା କରିବା ସହ ଏକ ରେଳ ଚଳାଚଳ କରାଇଥିଲେ । ପରେ ରେଳ ଚଳାଚଳ ୩ ମାସରେ ବନ୍ଦ ହୋଇଗଲା । ଆଉ ମୋଦିଙ୍କ ସଭା ପରେ ମଧ୍ୟ ୨୦୧୯ ରେ ବିଜେପି ପ୍ରାର୍ଥୀ ସେଠାରେ ମାତ୍ର ୨୮ ହଜାର ଭୋଟ ପାଇଥିଲେ । ତେଣୁ ନିର୍ବାଚନ ପୂର୍ବରୁ ତାଙ୍କର ଏ ଗସ୍ତ ଏଥର ମଧ୍ୟ କୌଣସି ପ୍ରଭାବ ପକାଇବ ନାହିଁ । ମୋଦି ଅନେକ ପ୍ରତିଶ୍ରୁତି ଦେଇଛନ୍ତି ହେଲେ କେତେ ପାଳନ କରିଛନ୍ତି ତାହା ଲୋକ ଜାଣିଛନ୍ତି ।"
ତେବେ ମୋଦିଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ମୋଦିଙ୍କର ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ପଶ୍ଚିମ ଓଡ଼ିଶା ବର୍ତ୍ତମାନ ବିଜେପିର ଫୋକସରେ ରହିଥିବାବେଳେ ବିରୋଧୀ କିନ୍ତୁ ବିଜେପିକୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ମୋଦିଙ୍କ ଗସ୍ତର କୌଣସି ଫାଇଦା ମିଳିବ ନାହିଁ ବୋଲି କଂଗ୍ରେସ କହିଛି । ଏହାସହ ମୋଦିଙ୍କ ଗସ୍ତ ପ୍ରଭାବ ଶୂନ୍ୟ ରହିବ ବୋଲି ଶାସକ ବିଜେଡି ମଧ୍ୟ କହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବ୍ରୁଆରୀ ମାସରେ ଦୁଇ ଥର ଓଡିଶା ଗସ୍ତରେ ଆସିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। 10 ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ମହିଳା ସମାବେଶ ଆୟୋଜନ କରିବ ବିଜେପି। ସାରା ଦେଶରୁ ମହିଳାମାନେ ଆସି ଓଡ଼ିଶାରେ ମହିଳା ବିଜେପିର ଶକ୍ତି ପ୍ରଦର୍ଶନ କରିବେ। ରାଜ୍ୟ ସରକାରଙ୍କ ମହିଳା ଭୋଟକୁ କାଉଣ୍ଟର କରିବାକୁ ବିଜେପି ମହିଳା ସମାବେଶ କରୁଛି ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରଧାନମନ୍ତ୍ରୀ କାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଥିବାବେଳେ ଉତ୍ସବମୁଖର ସମ୍ବଲପୁର ସହର ସମେତ ସମଗ୍ର ପଶ୍ଚିମ ଓଡିଶା। ସମ୍ବଲପୁର ସ୍ଥିତ IIMର ନୂତନ କ୍ୟାମ୍ପସର ଶୁଭ ଉଦଘାଟନ ପ୍ରଧାନମନ୍ତ୍ରୀ। ଏହାପରେ ସମ୍ବଲପୁର ରେମେଡି ପଡିଆରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ପଶ୍ଚିମ ଓଡିଶାବାସୀଙ୍କୁ ହଜାର ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନାର ଭେଟି ଦେବେ ବୋଲି କୁହାଯାଉଛି । ଏନେଇ ଭାରତୀୟ ଜନତା ପାର୍ଟି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବାବେଳେ ପଶ୍ଚିମ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର