ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଦେଖିବ ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବାକୁ ଯାଉଛି । ଆଜି ଭୁବନେଶ୍ବରରେ ବିଜେପିର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚି ଯାଇଛନ୍ତି । ବିଜେପି ବିଧାୟକ ଦଳ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ନାଁ କୁ ନେଇ ଆଲୋଚନା ହେବ । ତେବେ ମୁଖ୍ୟମନ୍ତ୍ରୀ ରେସ୍ ରେ ବରିଷ୍ଠ ନେତା ସୁରେଶ ପୂଜାରୀ, କେଭି ସିଂ ଦେଓ, ରାଜ୍ୟ ସଭାପତି ମନମୋହନ ସାମଲ ଆଦି ରହିଛନ୍ତି । ଏହି ସମ୍ପର୍କରେ ବିଧାୟକ ସୁରେଶ ପୂଜାରୀ କହିଛନ୍ତି, "ଆଜି ଓଡିଶାରେ ରାଜନୀତିର ପଟ୍ଟ ପରିବର୍ତ୍ତନ ହେବାକୁ ଯାଉଛି । ସେହି କ୍ରମରେ ଓଡିଶାରେ ବିଜେପି ପ୍ରଥମ ଥର ପାଇଁ ନିଜସ୍ବ ସରକାର ଗଠନ କରିବାକୁ ଯାଉଛି । ଓଡିଶାବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ସେମାନେ ବିଜେପିକୁ ସ୍ନେହ, ଶ୍ରଦ୍ଧା ଓ ସହଯୋଗ କରିଛନ୍ତି ଓ ବିଜେପିର ବିଜୟର ସାରଥୀ ସାଜିଛନ୍ତି । ସେଥିପାଇଁ ଯେତେ ପ୍ରଶଂସା ଓ ଧନ୍ୟବାଦ କଲେ କମ୍ ହେବ । ଓଡିଶା ବାସୀ ଦେଖାଇଥିବା ବିଶ୍ବାସରେ ଉତ୍ତୀର୍ଣ୍ଣ ହେବା ପାଇଁ ୩୬୫ ଦିନ କଠୋର ପରିଶ୍ରମ କରିବୁ । ଓଡିଶାର ଅସ୍ମିତା ଓ ଅଭିମାନକୁ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ କରିବୁ । ଓଡିଶା ମୋଦିଙ୍କ ବିକଶିତ ଭାରତର ପ୍ରୟୋଗଶାଳା ହେବ ।"
ଏହା ମଧ୍ୟ ପଢନ୍ତୁ ...କିଏ ପିନ୍ଧିବ ରାଜ୍ୟ ମୁକୁଟ ? ବିଜେପି ବିଧାୟକ ଦଳ ବୈଠକରେ ଆଜି ନିଷ୍ପତ୍ତି, ଶପଥ ଗ୍ରହଣ ସମାରୋହକୁ ଶ୍ରୀଜିଉଙ୍କୁ ନିମନ୍ତ୍ରଣ - ODISHA CM RACE LIVE UPDATES
ଏହାସହ ମୁଖ୍ୟମନ୍ତ୍ରୀ ଚୟନ ସମ୍ପର୍କରେ ସେ କହିଛନ୍ତି, "ଏହାକୁ ନେଇ ଆମ ମଧ୍ୟରେ ଉତ୍ସାହ ରହିଛି । ଆଜି ବିଧାୟକ ଦଳ ବୈଠକ ପରେ ନାଁ ଘୋଷଣା କରାଯିବ । ଶେଷରେ ସଂସଦୀୟ ବୋର୍ଡ ନିଷ୍ପତ୍ତି ଉପରେ ମୋହର ମାରିବେ । ବିଜେପିରେ କୌଣସି ପ୍ରକାର ଦୌଡ଼ ନାହିଁ । ସୁରେଶ ପୂଜାରୀ ମୁଁ ଗତକାଲି ଓଡ଼ିଶାର ଓକିଲ ଥିଲି । ଯେବେ ଯେବେ ଓଡ଼ିଶାର ସମସ୍ୟା ଆସେ, ମୁଁ ଓଡ଼ିଶାର ଓକିଲାତି କରିବା ପାଇଁ ବାହାରେ । ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ତାହା ହିଁ ମାପଦଣ୍ଡ, ଜଣେ 24 କ୍ୟାରେଟ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ । ଓଡିଶା ଅସ୍ମିତା, ସଂସ୍କୃତି ଓ ଭାଷାକୁ ବିଶ୍ବ ଦରବରରେ ପହଞ୍ଚାଇ ପାରୁଥିବା ଲୋକ ମୁଖ୍ୟମନ୍ତ୍ରୀ ହେବେ ।"
ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବ ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି । ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ଥିବାରୁ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଏହାସହ ଉପ ମୁଖ୍ୟମନ୍ତ୍ରୀ ଆସନରେ ବି ବିଧାୟକ ମୋହନ ଚରଣ ମାଝୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାବାଦ୍ ବିଜେପିର ପ୍ରଥମ ସରକାର ଆଉ ମନ୍ତ୍ରିମଣ୍ଡଳରେ କେଉଁ କେଉଁ ବିଧାୟକଙ୍କୁ ଗୁରୁତ୍ବ ମିଳୁଛି ତାକୁ ନେଇ ବି କଳ୍ପନା ଜଳ୍ପନା ଲାଗି ରହିଛି।
ଇଟିଭି ଭାରତ, ଭୁବନେଶ୍ବର