ନିଆଳି: ବିଜେଡି ଆଶାୟୀ ପ୍ରାର୍ଥୀ ତୃପ୍ତି ରଞ୍ଜନ ବେହେରାଙ୍କ ରୋଡ ଶୋ'। ଆଗକୁ ନିର୍ବାଚନ ଥିବାବେଳେ ଏବେଠୁ ନିଆଳିରେ ଦେଖାଦେଇଛି ରାଜନୈତିକ ତାତି । ପଦଯାତ୍ରା ଓ ରୋଡ ଶୋ' କରି ନିଜର ପତିଆରା ଜାହିର କରିବା ଆରମ୍ଭ କଲେଣି ଆଶାୟୀ ପ୍ରାର୍ଥୀ । ନିଆଳିର ଜଣାଶୁଣା ବିଜେଡି ଯୁବ ନେତା ତୃପ୍ତି ରଞ୍ଜନ ବେହେରା ଆଜି ରୋଡ ଶୋ' କରି ଦଳର ବରିଷ୍ଠ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କଟକ ଜିଲ୍ଲା ନିଆଳିର ଅଚିହ୍ନା ପଡିଆ ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ତୃପ୍ତି ରଞ୍ଜନ ବେହେରା ଏବଂ ସମର୍ଥକମାନଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା । ଏଥିରେ ତୃପ୍ତି ରଞ୍ଜନଙ୍କ ବହୁ ସଂଖ୍ୟକ ସମର୍ଥକ ଯୋଗ ଦେଇ ୨୦୨୪ ବିଧାନସଭା ପାଇଁ ଯୁବ ପ୍ରାର୍ଥୀ ତୃପ୍ତି ରଞ୍ଜନ ବେହେରାଙ୍କୁ ବିଜେଡି ଟିକେଟ ଦେବା ପାଇଁ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ନିଆଳିଠାରୁ ବାହାରିଥିବା ତୃପ୍ତି ରଞ୍ଜନଙ୍କ ରାଲି ବଙ୍ଗାଳିସାହି, କାଳିଆଘାଈ, ନୂଆଗାଁ, ସଳେଇ ଦେଇ ଅଡଶପୁର ଦେଇ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କଣ୍ଟାପଡ଼ା ବ୍ଲକ ପର୍ଯ୍ୟନ୍ତ ଯାଇଥିଲା ତୃପ୍ତି ରଞ୍ଜନଙ୍କ ରୋଡ ଶୋ' । ଏନେଇ ତୃପ୍ତି ରଞ୍ଜନ ବେହେରା କହିଛନ୍ତି, "୨୦୧୯ ମସିହାରେ ଶେଷ ମୂହୁର୍ତ୍ତରେ ମୋର ବିଜେଡି ଟିକେଟ କଟିଯାଇଥିଲା । ବର୍ତ୍ତମାନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୁବ ଗୋଷ୍ଠୀଙ୍କୁ ଗୁରୁତ୍ବ ଦେଉଛନ୍ତି, ମୁଁ ଜଣେ ଚଷା ପୁଅ ଏବଂ ମୋ ବାପା ଜନତା ଦଳ ଏବଂ ପରବର୍ତ୍ତୀ ସମୟରେ ବିଜେଡିର ବରିଷ୍ଠ ସମର୍ଥକ । ତେଣୁ ୨୦୧୯ ତୁଳନାରେ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଅଞ୍ଚଳରେ ମୋର ପତିଆରା ବୃଦ୍ଧି ହୋଇଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ମୋତେ ଟିକେଟ୍ ମିଳିବ । କାରଣ ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ ଏବଂ ବିପୁଳ ଜନ ସମର୍ଥନ ମୋ ସହିତ ରହିଛି ।"
ଏହା ମଧ୍ୟ ପଢନ୍ତୁ...ପ୍ରଶାନ୍ତ ଜଗଦ୍ଦେବଙ୍କ ଟାର୍ଗେଟ, ବିଜେଡି ଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମ ହେବ
ଆଉ ଦିନ କେଇଟା ପରେ ନିର୍ବାଚନ ଥିବାବେଳେ ବର୍ତ୍ତମାନ କସରତ ଲଗାଇଲେଣି ପ୍ରାର୍ଥୀ । ଆଶାୟୀ ପ୍ରାର୍ଥୀମାନେ ନିଜ ସପକ୍ଷରେ ଜନମତ ସୃଷ୍ଟି ତଥା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବୈଠକ, ରୋଡ ଶୋ' ଓ ପଦଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଦୁଇ ବିଜେଡି ଆଶାୟୀ ପ୍ରାର୍ଥୀ ସମର୍ଥକମାନଙ୍କୁ ନେଇ ରୋଡ ଶୋ' କରିସାରିଛନ୍ତି । ରୋଡ ଶୋ' ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ଦଳର ବରିଷ୍ଠ ନେତା ଓ ନିଆଳିବାସୀଙ୍କ ଆସ୍ଥା ଭାଜନ ହେବା ଲକ୍ଷ୍ୟରେ ଅଛନ୍ତି ତୃପ୍ତି ରଞ୍ଜନ ।
ଇଟିଭି ଭାରତ, ନିଆଳି