ଭୁବନେଶ୍ବର/ପୁରୀ: ପୁଣି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତାଙ୍କ କହିବା ଅନୁସାରେ, ଆସନ୍ତା 28 ତାରିଖ ପାଖାପାଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଅଭିମୁଖେ ଯିବେ । ଆସନ୍ତାକାଲି ରାଜନାଥ ସିଂହ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ବଡ଼ ପ୍ରଶ୍ନ ହେଉଛି, ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଓଡିଶା ରାଜନୀତି ଉପରେ ମୋଦି ଏବଂ ରାଜନାଥଙ୍କ ଗସ୍ତର କଣ ପ୍ରଭାବ ପଡିବ ? ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ରାଜ୍ୟ ତଥା ବିଶେଷ କରି ପୁରୀ ରାଜନୀତି ଉପରେ ଏହାର କଣ ପ୍ରଭାବ ପଡିବ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା ।
'ବିଜେଡି ଲୋକ ହିଁ ବିଜେପିକୁ ସରକାରକୁ ଆଣିବେ': ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, "ଭାରତବର୍ଷ ମୋଦିଙ୍କ ଠାରୁ ବହୁତ କିଛି ଆଶା ରଖିଛି । ଓଡ଼ିଶାବାସୀ ମଧ୍ୟ ବହୁତ କିଛି ଆଶା ରଖିଛନ୍ତି । ମୋଦି ଓଡିଶା ଆସିଲେ ଓଡିଶାର ଭାଗ୍ୟ ବଦଳିବ । ଆମେ ଦୃଢ ନିଶ୍ଚିତ ସେ ଜଗନ୍ନାଥ ମନ୍ଦିର ଆସିବେ । ମହାପ୍ରଭୁଙ୍କ ଆଶୀର୍ବାଦ ନେବେ । ପୁଣି ପ୍ରଧାନମନ୍ତ୍ରୀ ହୋଇ ଦେଶକୁ ଚଳାଇବେ । ସଂସଦରେ ଭେଟିବା ସମୟରେ ଖଣ୍ଡୁଆ ପାଟ ଦେଇ ପ୍ରଧାନମନ୍ତ୍ରୀଙ୍କୁ ପୁରୀ ଆସିବା ପାଇଁ ନିମନ୍ତ୍ରଣ କରିଥିଲି । ତେଣୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ସେ ଆସିବେ । ମୋଦିଙ୍କ ଗସ୍ତର ପ୍ରଭାବ ପଡି଼ବ ଓଡ଼ିଶା ରାଜନୀତିରେ । ଓଡିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ ଆସୁ । ନୂଆ ସମୀକରଣ ହେଉ । ସମସ୍ତଙ୍କ ଆଶା ଭରସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ । ବିଜୁ ଜନତା ଦଳ ଲୋକ ହିଁ ବିଜେପିକୁ ସରକାରକୁ ଆଣିବେ । ସ୍ଥିତି ଏପରି ହୋଇପାରେ ବିଜେଡିର ଟପ ନେତା ବିଜେପି ସରକାରରେ କେନ୍ଦ୍ରରେ ମନ୍ତ୍ରୀ ହୋଇପାରନ୍ତି ।"
'ଓଡିଶାରେ ନବୀନଙ୍କ ବିକଳ୍ପ ନାହିଁ': ବିଜେଡି ନେତା ଗୌରହରି ପ୍ରଧାନ କହିଛନ୍ତି, "ମୋଦିଙ୍କ ଗସ୍ତର ଓଡିଶା ଉପରେ କିଛି ପ୍ରଭବ ପଡିବ ନାହିଁ । ମୋଦି ନବୀନଙ୍କୁ ପ୍ରଶଂସା କରୁଛନ୍ତି । ରାଜ୍ୟରେ ନବୀନ 1 ନମ୍ବର । ଦେଶରେ ମୋଦି ଏକ ନମ୍ବର ହୋଇପାରନ୍ତି । ଓଡିଶାରେ ନବୀନଙ୍କ ବିକଳ୍ପ ନାହିଁ । ମୋଦି ରାମ ମନ୍ଦିର କରିଛନ୍ତି । ଜଗନ୍ନାଥଙ୍କ ପାଇଁ ପରିକ୍ରମା ପ୍ରକଳ୍ପ କରି ସାଢେ 4 କୋଟି ଓଡିଆଙ୍କ ହୃଦୟରେ ନବୀନ ଅଛନ୍ତି । ଡବଲ ଇଞ୍ଜିନ ନୁହେଁ, ସିଙ୍ଗଲ ଇଞ୍ଜନର ସରକାରରେ ସବୁ କାମ ହେଉଛି । ତେଣୁ ଏଠି ନବୀନ ହିଁ ଏକ ନମ୍ବର । ନବୀନଙ୍କ ଯୋଜନାକୁ ଅନ୍ୟମାନେ ଫଲୋ କରୁଛନ୍ତି । ଉଭୟ ମୋଦି ଏବଂ ଶାହ ନବୀନଙ୍କୁ ବାରମ୍ବାର ପ୍ରଶଂସା କରୁଛନ୍ତି । ନବୀନ 6ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ପୁଣି ବିଜେଡି ସରକାରକୁ ଆସିବ ।" ମୋଦିଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ସେହିଭଳି କଂଗ୍ରେସ ନେତା ସୁଜିତ ମହାପାତ୍ର କହିଛନ୍ତି, "ବିଜେଡି ଓ ବିଜେପି ମଧ୍ୟରେ ବୁଝାମଣା ରହିଛି । ଯେଉଁଥିପାଇଁ ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଲା ବିଜେଡି । ମୋଦି ସମ୍ବଲପୁର ଗସ୍ତରେ ନବୀନଙ୍କ ବିରୋଧରେ ପଦୁଟିଏ ବି କହିଲେ ନାହିଁ । ତେଣୁ ମୋଦିଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ରାଜ୍ୟ ରାଜନୀତି ଉପରେ ।"
'ବିଜେପି ଉପରେ ସକରାତ୍ମକ ପ୍ରଭାବ ପଡିବ': ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ବିଜେପି କର୍ମୀ ଓ ନେତାଙ୍କ ଉପରେ ଏହି ଗସ୍ତର ନୈତିକ ପ୍ରଭାବ ପଡିବ । ମୋଦି ଓ ରାଜନାଥଙ୍କ ଗସ୍ତ ନୈତିକ ଶକ୍ତି ଯୋଗାଇବ । ପୂର୍ବରୁ ରାଜନାଥ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ସମୟରେ ଓଡିଶା ଆସିଥିଲେ । ଓଡିଶା ଉପରେ ମୋଦି ଓ ରାଜନାଥଙ୍କ ଭଲ ଧାରଣା ରହିଛି । ଓଡିଶାର କଣ ଆବଶ୍ୟକତା ରହିଛି । ଓଡିଶାରେ ଥିବା ପ୍ରାକୃତିକ ସମ୍ପଦର କିପରି ସୁବିନିଯୋଗ ହୋଇପାରିବ । ଏହା ହେଲେ ଓଡିଶା କିପରି ଲାଭ ପାଇପାରିବ ସେ କଥା ପୂର୍ବରୁ ମୋଦି କହିଥିଲେ । ପରେ ପରେ ଏମ୍ଏମ୍ଡିଆର୍ ଆକ୍ଟରେ ସଂଶୋଧନ ଆସିଲା । ଖଣିଜ ସମ୍ପଦରୁ ରାଜସ୍ବ ପାଇ ଓଡିଶା ଲାଭବାନ ହେଲା । ଦାଦନ ସମସ୍ୟା ସମ୍ପର୍କରେ ଉଭୟ ନେତା ଆଲୋକପାତ କରନ୍ତି । ପର୍ଯ୍ୟଟନ କିପରି ଅଧିକ ସଶକ୍ତ ହେବ ସେନେଇ ମଧ୍ୟ ଆଲୋକପାତ କରନ୍ତି । ବିଶେଷ କରି ଯୁବଶକ୍ତି କିପରି ଅଧିକ ସ୍କିଲ ହୋଇପାରିବ, ସେ ଉପରେ ମଧ୍ୟ ଆଲୋଚନା କରନ୍ତି । ଓଡିଶା ଗସ୍ତ ସମୟରେ ଏହି ଦୁଇ ନେତା ଓଡିଶା ପ୍ରଶାସନକୁ ନେଇ ଯଦି କିଛି ସନ୍ଦେହ ପ୍ରକାଶ କରନ୍ତି, ଏହା କର୍ମୀଙ୍କୁ ଅଧିକ ଉତ୍ସାହିତ କରିବ । ସବୁକିଛି ନିର୍ଭର କରୁଛି ଏହି ଦୁଇ ନେତା କଣ କହୁଛନ୍ତି । ତେବେ ସେ ଯାହା ହେଉନା କାହିଁକି, ଏହି ଗସ୍ତର ସକରାତ୍ମକ ପ୍ରଭାବ ବିଜେପି ଉପରେ ପଡିବ ।"
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ସମ୍ବଲପୁର ଗସ୍ତରେ ଆସିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶାଣିତ ସ୍ବରରେ କିଛି କହିନଥିଲେ । ଏବେ ଅପେକ୍ଷା ରହିବ ରାଜନାଥ ସିଂହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବା ସମୟରେ ରାଜ୍ୟ ସରକାରଙ୍କ ଉପରେ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ତା' ପରେ ଜଣାପଡିବ ଗସ୍ତର କି ପ୍ରଭାବ ପଡୁଛି 2024 ନିର୍ବାଚନ ଉପରେ ।
ଇଟିଭି ଭାରତ, ପୁରୀ/ଭୁବନେଶ୍ବର