କେନ୍ଦ୍ରାପଡା: ସରଗରମ ପାଟକୁରା ରାଜନୀତି । ଗୋଟିଏ ପଟରେ ମା-ପୁଅ (ସାବିତ୍ରୀ-ସଞ୍ଜୟ) ତ ଅନ୍ୟପଟେ ବାପ-ପୁଅ (ବିଜୟ-ଅରବିନ୍ଦ)ଙ୍କୁ ନେଇ ପାଟକୁରା ରାଜନୀତି ଚଳଚଞ୍ଚଳ । ବିଜୁ ଜନତା ଦଳରେ ଯୋଗଦେବା ପରେ ପ୍ରଥମେ ନିଜ ଆରାଧ୍ୟ ଗ୍ରାମ ଦେବତୀଙ୍କ ଦର୍ଶନ ପରେ ଦ୍ଵିତୀୟ ଥର ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନ ଡେରାବିଶ ବ୍ଲକର ଛତା ଛକଠାରୁ ଏକ ବିରାଟ ପଟୁଆରରେ ଆସି ଡେରାବିଶର ଆରାଧ୍ୟ ଦେବତା ପ୍ରଭୁ ଦଧିବାମନଜୀଉଙ୍କ ଆଶୀର୍ବାଦ ନେବା ସହ ଉପସ୍ଥିତ ସମର୍ଥକ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ବିଜେଡି ନେତୃତ୍ୱ ତାଙ୍କ ଉପରେ ଭରଷା କରିଥିବାରୁ ସେ ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ସେହିପରି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି ଅରବିନ୍ଦ କହିଛନ୍ତି, "ପାଟକୁରାର ପ୍ରଗତି ପାଇଁ ମୁଁ ସମସ୍ତ କାର୍ଯ୍ୟ କରିବି । ପାଟକୁରାରେ ମୁଖ୍ୟତଃ ପାନୀୟଜଳ, ଜଳସେଚନ, ନିଯୁକ୍ତି ସମ୍ପର୍କିତ ଅଭାବ ଅସୁବିଧା ରହିଛି । ମୁଁ ଏହାକୁ ବିଶେଷ ଧ୍ୟାନ ଦେବି ।" ସେହିପରି ବାପା ବିଜୟ ମହାପାତ୍ରଙ୍କ ବିଜୟ ସେନା ଏବେ ବିଜୁ ଜନତା ଦଳ ସହ ମିଶିଥିବା କହିଥିବା ବେଳେ ଉଭୟ ବାପା ଓ ରାଜ୍ୟ ସଭାପତିଙ୍କ କଥାକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବେ ବୋଲି କହିଛନ୍ତି ଅରବିନ୍ଦ ।
ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରାପଡା ବିଜେଡିକୁ ଝଟକା, 10 ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସକୁ ଫେରିଲେ ପ୍ରଶାନ୍ତ ରାଉତ
ଅନ୍ୟପଟେ ନୂଆ ପାଟକୁରାର ବିଶ୍ୱକର୍ମା କୁହାଯାଉଥିବା ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲ ୨୦୦୯ ମସିହା ସାଧାରଣ ନିର୍ବାଚନରେ ବିଜେଡି ଟିକେଟରୁ ଲଢ଼ି ବିଜେପି ପ୍ରାର୍ଥୀ ହୋଇଥିବା ବିଜୟ ମହାପାତ୍ରଙ୍କୁ ପରାଜୟର ସ୍ୱାଦ ଚଖାଇଥିଲେ । ୨୦୧୯ ମସିହାରେ ବେଦପ୍ରକାଶଙ୍କ ଦେହାନ୍ତ ପରେ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଏହି ସିଟରୁ ବିଜୟଙ୍କ ବିରୋଧରେ ଲଢ଼ା ଯାଇଥିବା ବେଳେ ବିଜୟଙ୍କୁ ପରାଜିତ କରିବା ପାଇଁ ପ୍ରଚାର କମାଣ ନିଜେ ଧରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସାବିତ୍ରୀ ପାଟକୁରାରୁ ବିଜୟଙ୍କ ବିରୋଧରେ ବିଜୟୀ ହୋଇଥିଲେ ସୁଦ୍ଧା ବୟସାଧିକ ହେତୁ ନିର୍ବାଚନ ମଣ୍ଡଳୀରେ ବେଶୀ ସମୟ ଦେଇ ପାରିନଥିଲେ ଯେଉଁଥିପାଇଁ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ପ୍ରତିନିଧି ଭାବେ ଅବତାରଣ କରି ନିର୍ବାଚନ ମଣ୍ଡଳୀରେ ସକ୍ରିୟ କରାଇଥିଲେ ।
ସଞ୍ଜୟ ମଧ୍ୟ ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକର ସାତୋଟି ପଞ୍ଚାୟତକୁ ମିଶାଇ ମୋଟ ୫୧ଟି ପଞ୍ଚାୟତରେ ନିଜର ଉପସ୍ଥିତି ଜାହିର କରିଥିଲେ । ଯଦିଓ ୨୦୨୨ ପଞ୍ଚାୟତ ସମିତି ନିର୍ବାଚନରେ ଡେରାବିଶ ଓ ଗରଦପୁର ବ୍ଲକର ଅଧ୍ୟକ୍ଷ ଦୁଇଜଣ ସଞ୍ଜୟଙ୍କ ବିରୋଧି ଶିବିରର ହୋଇଥିବା କୁହାଯାଉଥିଲା । ପରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ ସଞ୍ଜୟଙ୍କ ପ୍ରତିନିଧିତ୍ୱକୁ ସ୍ୱୀକାର କରି ସଞ୍ଜୟଙ୍କ ସାଥିରେ ବେଶ କିଛିଦିନ ହେବ ସକ୍ରିୟ ରହୁଛନ୍ତି । ତେବେ ସଞ୍ଜୟ ଦୀର୍ଘ ୫ ବର୍ଷ କାଳ ପାଟକୁରା ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୋଇଥିବା କାରଣରୁ ସଞ୍ଜୟଙ୍କୁ ହିଁ ଟିକେଟ ମିଳୁ ବୋଲି ଦାବି କରିଛନ୍ତି ଗରଦପୁର ବ୍ଲକର ସଞ୍ଜୟଙ୍କ ସମର୍ଥକ । ବାଇକ ଶୋଭାଯାତ୍ରା କରି ସଞ୍ଜୟଙ୍କ ପାଇଁ ଜନ ସମର୍ଥନ କରୁଥିବା ବେଳେ ବର୍ତ୍ତମାନ ବିଜେଡିର ମିଶିବା ପରେ ଜଣେ ଯୁବନେତା ତାଙ୍କୁ ପଚାରୁନଥିବା ଅଭିଯୋଗ କରିଛନ୍ତି ବିଜେଡି ଦଳର ଜଣେ ପଞ୍ଚାୟତ ସଭାପତି ।
ଗୋଟିଏ ପଟରେ ମା-ପୁଅ (ସାବିତ୍ରୀ-ସଞ୍ଜୟ) ତ ଆର ପଟରେ ବାପା-ପୁଅ (ବିଜୟ-ଅରବିନ୍ଦ)ଙ୍କୁ ନେଇ ପାଟକୁରା ରାଜନୀତି ଚଳଚଞ୍ଚଳ ହୋଇଉଠିଥିବା ବେଳେ ଏହି ଦୁଇ ନେତାଙ୍କୁ ଛାଡି ଶାସକ ବିଜେଡି ଦଳ କାହାକୁ ବିକଳ୍ପ ଭାବେ ଭରଷା କରୁଛି ତାହା ସମୟ କହିବ ।
ଇଟିଭି ଭାରତ, କେନ୍ଦ୍ରାପଡା