କେନ୍ଦ୍ରାପଡା: ନିର୍ବାଚନରେ ନେତାଙ୍କ ପ୍ରତିଶ୍ରୁତି ବର୍ଷା । କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଜାରି କରାଯାଇଛି । ଏହି କାର୍ଡରେ ୫ ଗ୍ୟାରେଣ୍ଟିରେ ୨୫ଟି କଥାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ସମ୍ମିଳନୀରେ କେନ୍ଦ୍ରାପଡାରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ଗ୍ୟାରେଣ୍ଟି କାର୍ଡରେ ନାରୀଙ୍କୁ ନ୍ୟାୟ, ଚାଷୀଙ୍କୁ ନ୍ୟାୟ, ଯୁବବର୍ଗମାନଙ୍କ ପାଇଁ ନ୍ୟାୟ, ଭାଗିଦାରୀ ନ୍ୟାୟ ଓ ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ ପ୍ରସଙ୍ଗ ଉଲ୍ଲେଖ ରହିଛି ।
କେନ୍ଦ୍ରାପଡା ସହରର ଏକ ଘରୋଇ ହୋଟେଲରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉପରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏଥିରେ ୫ ଗ୍ୟାରେଣ୍ଟିରେ ୨୫ଟି କଥାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।
କେନ୍ଦ୍ରରେ କଂଗ୍ରେସ ସରକାର ଆସିଲେ ଏହି ନ୍ୟାୟ ସାଧାରଣ ଲୋକମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ହେବ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ । ରାଜ୍ୟରେ ବିଜେପି-ବିଜେଡି ଅଘୋଷିତ ମେଣ୍ଟ କରି ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ବେଳେ ଲୋକେ ଦରଦାମ ବୃଦ୍ଧି, ବେକାରୀ, ଚାଷୀ ମାରଣ ନୀତିରେ ଅତିଷ୍ଠ ହୋଇ ପଡିଥିବା କହିଛନ୍ତି କଂଗ୍ରେସ ନେତା ।
ଅନ୍ୟପଟେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କୁ ନେଇ ସିଦ୍ଧାର୍ଥ କହିଛନ୍ତି ଯେ, ୨୦୧୪ ମସିହାରେ ରାଜନଗର ବିଧାୟକ ହୋଇଥିବା ବ୍ୟକ୍ତିଙ୍କୁ ୨୦୧୯ ମସିହାରେ ଭୋଟର ବହୁ ଭୋଟ ବ୍ୟବଧାନରେ ପରାଜିତ କରିଥିବାରୁ ଏହା ତାଙ୍କ ପ୍ରତି ଜନ ଅସନ୍ତୋଷ ସୂଚାଉଛି । ସେହିପରି ଦୁଇ ଦୁଇ ଥର କେନ୍ଦ୍ରାପଡା ସାଂସଦ ରହି ଆସିଥିବା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଜିଲ୍ଲାର ଏମିତି ବିକାଶ କଲେ ଯେ ଜିଲ୍ଲା ୩୦ ନମ୍ବରରେ ରହିଲା ବୋଲି କଟାକ୍ଷ କରିଛନ୍ତି ।
ଅନ୍ୟପଟେ କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ମହାକାଳପଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ଲୋକନାଥ ମହାରଥୀ ମହାକାଳପଡ଼ାର ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଟାର୍ଗେଟ କରିଥିଲେ । ଦୀର୍ଘ ୧୫ ବର୍ଷ ଧରି ଶାସନ କ୍ଷମତାରେ ରହିଥିଲେ ସୁଦ୍ଧା ମହାକାଳପଡ଼ାର ଯେଉଁ ବିକାଶ କରିବା କଥା ତାହା ସେ କରିପାରିନଥିବା କହିଛନ୍ତି । ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଆସିଲେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଫଳକ ମରାଯାଏ ହେଲେ ବାସ୍ତବରେ ସେଗୁଡିକ କରାଯାଏ ନାହିଁ ବୋଲି କହିଛନ୍ତି ଲୋକନାଥ ।
ଇଟିଭି ଭାରତ, କେନ୍ଦ୍ରାପଡା