ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ପ୍ରାର୍ଥୀ ଘୋଷଣା ଏବେ ସବୁ ରାଜନୈତିକ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଖି ଚାହିଁ, ମାପି ଚୁପି ପ୍ରାର୍ଥୀ ଚୟନ କରାଯାଉଛି । ତେବେ ଆସନ୍ତା 28 ତାରିଖ ସୁଦ୍ଧା ଆସିପାରେ କଂଗ୍ରେସର ପ୍ରାର୍ଥୀ ତାଲିକା । ଗତକାଲି ଭାରତୀୟ ଜନତା ପାର୍ଟି 18 ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଖୁବଶୀଘ୍ର କଂଗ୍ରେସ ଲଢୁଆ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ରାୟ ।
ବିଜେଡି ବିଜେପି ପ୍ରାର୍ଥୀ ଘୋଷଣା ପୂର୍ବରୁ କଂଗ୍ରେସ ଦୁଇ ପାଦ ଆଗରେ ରହି ଇସ୍ତାହାର ପ୍ରକାଶ କରିଥିବା ବେଳେ, ଟିକେଟ ଘୋଷଣା ପାଇଁ କସରତ ଆରମ୍ଭ କରିଦେଇଛି । ଦିଲ୍ଲୀରେ କଂଗ୍ରେସ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ଆପାତତଃ ପ୍ରାର୍ଥୀ ଚୂଡାନ୍ତ ହୋଇସାରିଛି । ପିସିସି ସଭାପତି ଶରତ ପଟ୍ଟନାୟକ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ AICCରେ ଦାଖଲ କରି ସାରିଛନ୍ତି । କେଉଁ ଆସନରେ କେଉଁ ପ୍ରାର୍ଥୀ ଯୋଗ୍ୟ ଏବଂ କାହାକୁ ଟିକେଟ ମିଳିବା କଥା ସେ ନେଇ ପକ୍ଷ ରଖିସାରିଛନ୍ତି ଶରତ ପଟ୍ଟନାୟକ । ଅନ୍ୟପଟେ ବିଜେପି ଦଳର ସାଂସଦ ପାର୍ଥି ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା ।
ସେ କହିଛନ୍ତି, "କଂଗ୍ରେସ ମଧ୍ୟ ପ୍ରାର୍ଥୀ ଫାଇନାଲ କରିସାରିଛି । ଉଭୟ ବିଜେଡି ଏବଂ ବିଜେପି ଦଳ ମେଣ୍ଟ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କଲେ ଆମେ ସେଥିପାଇଁ ବିଳମ୍ବ କରୁଛୁ । ତେଣୁ ଉଭୟ ଦଳ ପ୍ରଥମେ ପ୍ରାର୍ଥୀ ଘୋଷଣା କରିସାରିଲା ପରେ କଂଗ୍ରେସ ଦଳ ପାର୍ଥି ଘୋଷଣା କରିବ । ସାଧାରଣ ନିର୍ବାଚନରେ ଆମେ 80 ପ୍ରତିଶତ ଯୁବକ ଏବଂ ଯୁବତୀଙ୍କୁ ପ୍ରାର୍ଥୀ କରିବୁ । ବିରୋଧୀ ଦଳର ଶକ୍ତିଶାଳୀ ପ୍ରାର୍ଥୀ ଯେମିତି ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର ଭଳି ନେତା ନିର୍ବାଚନ ଲଢ଼ିବେ କଂଗ୍ରେସ ଦଳ ମଧ୍ୟ ସେଠାରେ ଶକ୍ତିଶାଳୀ ପ୍ରାର୍ଥୀ ଦେବ । ଆମେ ଶେଷରେ ପ୍ରାର୍ଥୀ ଦେବୁ ଏବଂ ସବୁଠାରୁ ଭଲ ପ୍ରାର୍ଥୀ ଦେବୁ ।"
ବିରୋଧୀଙ୍କୁ ମାତ୍ ଦେବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି । ବିଶେଷକରି ବିଜେଡି ବିଜେପିକୁ ମାତ ଦେଲାଭଳି କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି । ଏପରିକି ବିଜେପି ବିଜେଡିରେ ଟିକେଟ ନପାଇଲେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଜ ଆଡକୁ ଆଣି କଂଗ୍ରେସ ଟିକେଟ ଦେବାର ସମ୍ଭାବନା ରହିଛି ବୋଲି ସମ୍ଭାବନାକୁ ଏଡାଇ ହେବନାହିଁ । ଗୋଟିଏ ପଟେ ନବୀନ ନିବାସରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ଟିକେଟ କସରତ ଜାରି ରହିଥିବା ବେଳେ କଂଗ୍ରେସ ମଧ୍ୟ ବିଜେଡି ବିଜେପିର ରଣନୀତିକୁ ଦୃଷ୍ଟିରେ ରଖି ନିଜସ୍ବ ଗଣିତ କଷୁଛି ।
ଇଟିଭି ଭାରତ, ଭୁବନେଶ୍ବର