ରାଉରକେଲା: ପାଖେଇ ଆସିଲାଣି ରାଜ୍ୟରେ ସାଧାରଣ ନିର୍ବାଚନ । ବର୍ତ୍ତମାନ ଏହି ସାଧାରଣ ନିର୍ବାଚନ ଲାଗି ଚାଲିଲାଣି ପ୍ରସ୍ତୁତି । ସଜ ହୋଇ ପଡ଼ିଲାଣି ରାଉରକେଲା ସହର । ତିନି ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜାତୀୟ କଂଗ୍ରେସ (କଂଗ୍ରେସ) ପକ୍ଷରୁ ଘୋଷଣା ସରିଛି ପ୍ରାର୍ଥୀ । ଏଥର ରାଉରକେଲାରେ ହେବ ମହାଲଢେଇ । ବର୍ତ୍ତମାନରୁ ଲଢେଇ ପାଇଁ ପ୍ରସ୍ତୁତ ତିନି ଦଳ ବାକ ଯୁଧ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗକୁ ନେଇ ହେଉଛି ଦୋଷ ଲଦାଲଦି । ତେବେ ଓଡିଶା ରାଜନୀତିରେ ରାଉରକେଲା ନିର୍ବାଚନ ମଣ୍ଡଳୀ ମଧ୍ୟ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ ।
ଏଥର ରାଉରକେଲାରେ କାହାର ଦବଦବା ଦେଖିବାକୁ ମିଳିବ ତାହା ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା । ତିନିଟି ଦଳ ପ୍ରସ୍ତୁତ କରୁଛନ୍ତି ନିଜର ରଣନୀତି । ଆଗାମୀ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଉରକେଲା ରାଜନୀତିରେ ସେତିକି ରାଜନୈତିକ ହଟଚମଟ ଦେଖିବାକୁ ମିଳୁଛି । ବିଜେପି ବର୍ତ୍ତମାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଟିକେଟ ଦେଇଛି ଏବଂ ବିଜେଡି ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଏବଂ କଂଗ୍ରେସ ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ତେବେ ତିନି ଜଣଙ୍କ ମଧ୍ୟରେ ହେବ ମହଲଢ଼େଇ ।
ବିଜେଡି:- ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଓଡ଼ିଶାର ହେଭିବେଟ ନେତା ତଥା ରାଉରକେଲାର ତିନି ତିନି ଥର ବିଧାୟକ ସାରଦା ନାୟକ ।ଏଥର ରାଉରକେଲାରେ ଏକ ପାଖିଆ ଏବଂ ନିଶ୍ଚିତ ବିଜୟ ହେବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ସାରଦା ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସକ ବିଜେଡି ବିକାଶ ଓ ଜନ କଲ୍ୟାଣକାରୀ ଯୋଜନାର ଟ୍ରାକ୍ ରେକର୍ଡ ଉପରେ ନିର୍ଭର କରୁଛି । ଉନ୍ନତ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାରଙ୍କ ଉନ୍ନତି ଯୋଗୁଁ ନିର୍ବାଚନ ମଣ୍ଡଳୀରେ ନିଜର ଆଧିପତ୍ୟକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ରେକର୍ଡ ସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ସହ ହକି ବିଶ୍ୱକପ ଆୟୋଜନ ଏବଂ ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଯୋଗୁଁ ଏଥର ରାଉରକେଲା ନିର୍ବାଚନ ମଣ୍ଡଳୀରେ ନିଶ୍ଚିତ ବିଜୟ ଲାଭ କରିବ ବୋଲି କହିଛନ୍ତି ସାରଦା ।
ସେପଟେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସାରଦା କହିଛନ୍ତି ଯେ, ହକି ଷ୍ଟାଡିୟମ ନିର୍ମାଣ, ରାଉରକେଲା ବିମାନ ବନ୍ଦର ,ମୋ ବସ ସହ ଲକ୍ଷ୍ମୀ ବସ ରାଉରକେଲା ସହରର ସୁରୁଖୁରୁରେ ଗଡ଼ିବା ଆଦି ଭଳି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ତେବେ ବିରୋଧୀ ଯେଉଁଭଳି ବିଜେପି ଦଳ ରାଜ୍ୟ ସରକାରଙ୍କ ଉପରେ ଉଠାଉଛି ନିଜେ ଆଗେ ମାନସ ମନ୍ଥନ କରୁ । ଯେଉଁଭଳି ଭାବରେ ରାଉରକେଲାରେ ବିରୋଧୀ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛି , ଆଗେ ସେମାନେ ନିଜର ପ୍ରତିକ୍ରିୟା ଦିଅନ୍ତୁ ଯେ, ସେମାନେ ରାଉରକେଲା ସହର ପାଇଁ କ'ଣ କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ମେଡ଼ିକାଲ କଲେଜ ଆଜି ଯାଏ ହୋଇପାରିଲା ନାହିଁ । ରାଉରକେଲା ସହ ସୁନ୍ଦରଗଡ଼ ଜିଲ୍ଲାର ବହୁ ସମସ୍ୟା ଦୂର ହୋଇନାହିଁ । ରେଳବାଇ ଡିଭିଜନ ପାଇଁ ମଧ୍ୟ କେନ୍ଦ୍ର ସରକାର ମୁହଁ ବୁଲାଉଛନ୍ତି । କଂଗ୍ରେସ ମଧ୍ୟ ତା ଅମଳରେ କେଉଁ ଉନ୍ନତି ମୂଳକ କାର୍ଯ୍ୟ କରିଛି । ଯାହା ରାଉରକେଲାକୁ ଗୌରବମୟ କରିଛି । ତାହାର ମଧ୍ୟ ଜବାବ ଦେଉ ।
ବିଜେପି: ବିଜେପି ଦଳ ମଧ୍ୟ ରାଉରକେଲା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତିନି ତିନି ଥରର ବିଧାୟକ ତଥା କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି ଦଳ । ଦିଲ୍ଲୀପ ରାୟଙ୍କ ପ୍ରତି ବର୍ତ୍ତମାନ ହାୱା ବହୁଥିବା ଚର୍ଚ୍ଚା ହେଉଛି । କିନ୍ତୁ ଘରେ ପଶିବା ବେଳକୁ ଚାଳ ବାଜିଲା ଭଳି ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଆଶାୟୀ ପ୍ରାର୍ଥୀ ତଥା ପୂର୍ବତନ ବିଧାନସଭା ପ୍ରାର୍ଥୀ ନିହାର ରାୟଙ୍କ ସମର୍ଥକ ରାଜ ରାସ୍ତାରେ ଓହ୍ଲାଇଛନ୍ତି ଏବଂ ବିରୋଧ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଦିଲ୍ଲୀପ ରାୟ କହିଛନ୍ତି ଯେ, ଏଥର ସମ୍ପୂର୍ଣ୍ଣ ଜିଲ୍ଲାରେ ବିଜେପିର ବିଜୟ ହେବ ଏବଂ ରାଉରକେଲାରେ ମଧ୍ୟ ବିଜୟୀ ହେବ । ଏହାସହ ଲୋକସଭା ମଧ୍ୟ ହାତେଇବା ଲକ୍ଷରେ ବିଜେପି ।
ସେପଟେ ସିଧାସଳଖ ରାଜ୍ୟ ସରକାର ଏବଂ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀପ । ସେ କହିଛନ୍ତି ଯେ, ଏତେ ବର୍ଷର ଶାସନରେ ଆଜି ବି ରାଉରକେଲାବାସୀଙ୍କ ନିକଟରେ ମୌଳିକ ସୁବିଧା ନାହିଁ ,ସ୍ୱାସ୍ଥ୍ୟ ,ପାନୀୟ ଜଳ ଏବଂ ବସ୍ତି ଲୋକଙ୍କ ପାଇଁ ବାସସ୍ଥାନ,ସହ ରୋଡ଼ ରାସ୍ତା ଜରାଜୀର୍ଣ୍ଣ ଏବଂ ବେରୋଜଗାରୀ ବଢ଼ିବାରେ ଲାଗିଛି । ଏହାକୁ ନେଇ କେହି ସ୍ୱର ଉତ୍ତୋଳନ କରିନାହିଁନ୍ତି । ଏଥର ନିଶ୍ଚିତ ରାଜ୍ୟରେ ବିଜେପି ସରକାର ଗଢ଼ିବ ।
କଂଗ୍ରେସ:-କଂଗ୍ରେସ ମଧ୍ୟ ପଛରେ ନାହିଁ କଂଗ୍ରେସ ଦଳ ମଧ୍ୟ ଏଥର ଜଣେ ନୂଆ ଚେହେରାଙ୍କୁ ରାଉରକେଲାରେ ସ୍ଥାନ ଦେଇଛନ୍ତି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଏବଂ ବ୍ୟବସାୟୀ ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି । ତେବେ କଂଗ୍ରେସ କିନ୍ତୁ ଦୁଇ ସରକାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼ିବ । ରାଉରକେଲା ସହରରେ ଯେଉଁଭଳି ଭାବରେ ଏହି ଦୁଇ ସରକାର ଅନ୍ୟାୟ କରିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଏବଂ ରୋଜଗାର ସହ ବ୍ୟବସାୟରେ ଯେଉଁଭଳି ଅବହେଳା କରି ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରି ଲୋକଙ୍କୁ କେବଳ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ବିରେନ୍ଦ୍ର ନାଥ ପଟ୍ଟନାୟକ ।
ଏଥର ରାଉରକେଲାରେ ନିଶ୍ଚିତ ଭାବରେ କଂଗ୍ରେସ ଆସିବ ଏବଂ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହି ଦେଇଛନ୍ତି ପ୍ରତିକ୍ରିୟା । ତେବେ 1995ରେ କଂଗ୍ରେସ ରାଉରକେଲାରେ ବିଜୟୀ ହୋଇଥିଲା ଏହା ପରଠାରୁ 1999ରୁ ନେଇ ବର୍ତ୍ତମାନ ବିଗତ 2019 ପର୍ଯ୍ୟନ୍ତ କଂଗ୍ରେସ ରାଉରକେଲାରେ ପ୍ରତିଦ୍ବନ୍ଦିତା ମଧ୍ୟ ହରାଇଛି । ତେବେ ଏଥର ଏହି ପ୍ରତିଦ୍ବନ୍ଦିତାକୁ ବଜାୟ ରଖିବା ଏବଂ ଦଳକୁ ଜିତାଇବା ଆଶାରେ ବିରେନ୍ଦ୍ର ।
ଏଥର ଭୋଟର ସଂଖ୍ୟା ରାଉରକେଲା ନିର୍ବାଚନ ମଣ୍ଡଳୀରେ ମୋଟ ରହିଛି 2 ଲକ୍ଷ 13 ହଜାର 761 ଭୋଟର ରହିଛନ୍ତି । ତେବେ ପୁରୁଷ ସଂଖ୍ୟା ରହିଛି 1ଲକ୍ଷ 8ହଜାର 543 ଏବଂ ମହିଳା ସଂଖ୍ୟା 1ଲକ୍ଷ ପାଞ୍ଚ ହଜାର 170 ରହିଛି ଏବଂ ତୃତୀୟ ଲିଙ୍ଗୀ ରହିଛନ୍ତି 48 ଜଣ । ଏବଂ ଏହା ମଧ୍ୟରେ ନୂଆ ଭୋଟର 4195 ଜଣ ରହିଥିବା ବେଳେ ଭିନ୍ନକ୍ଷମ 1801 ଏବଂ ସିନିୟର୍ ସିଟିଜେନ୍ 1647 ରହିଛି । ତେବେ ଏଥର କିନ୍ତୁ ଭୋଟର ଏକ ଭଲ ବିଧାୟକ ଚାହୁଁଛନ୍ତି ଏବଂ ଯିଏ ରାଉରକେଲାରେ ରହି ରାଉରକେଲା ପାଇଁ କାମ କରୁଥିବା ଏବଂ ଲୋକଙ୍କ ଦୁଃଖ ସୁଖର ସାଥି ହେଉଥିବ । ତେବେ ବିଗତ ତିନି ଥର ନିର୍ବାଚନ ରେ ଏଠାରେ ଥରେ ଥରେ ବିଜେପି ଏବଂ ଦୁଇ ଥର ବିଜେଡି ବିଜୟ ଲାଭ କରିଛି । ତେବେ ଏଥର ବିଜେଡି ଲଗାତାର ଭାବରେ ଏଥର ଗଡ଼ ଦଖଲ କରିବାକୁ ଚେଷ୍ଟା କରିଥିବା ବେଳେ ବିଜେପି ଏବଂ କଂଗ୍ରେସ ଗଡ଼ ଫେରି ପାଇବା ଆଶାରେ ।
2019 ସାଧାରଣ ନିର୍ବାଚନ ଫଳାଫଳ:
2019 ନିର୍ବାଚନରେ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ବିଜେଡି 60,877 ଖଣ୍ଡ ଭୋଟ ପାଇ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲେ । ବର୍ତ୍ତମାନର ବିଧାୟକ ତଥା ଶ୍ରମମନ୍ତ୍ରୀ ଭାବେ ନିଜର ବିଶ୍ୱସନୀୟତାକୁ ଜାହିର କରି ସାରଦା ନାୟକ ଭୋଟରଙ୍କ ଆସ୍ଥା ଭାଜନ ହୋଇଛନ୍ତି । ଅପରପକ୍ଷରେ ଗତ ନିର୍ବାଚନରେ ନିହାର ରାୟ 50,417 ଭୋଟ ପାଇ ବିଜେପି ପ୍ରାର୍ଥୀ ଭାବରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ତେବେ 2019 ନିର୍ବାଚନରେ ନିହାର ରାୟଙ୍କ ନେତୃତ୍ୱ ଉଲ୍ଲେଖନୀୟ ହୋଇଥିବା ବେଳେ ଯୁବବର୍ଗଙ୍କ ସହ ଯୋଡ଼ି ହେବା ସହ ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ପାଇଁ ତାଙ୍କର ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ଶେଷରେ ବିଜେଡି ପ୍ରାୟ ଦଶ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଥିଲା । ଅନ୍ୟପକ୍ଷରେ କଂଗ୍ରେସ ଦଳର ସ୍ଥିତି ଦୟନୀୟ ରହିଥିଲା । କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତି ମାତ୍ର 13,977 ଭୋଟ ପାଇଥିଲେ ।
2014 ସାଧାରଣ ନିର୍ବାଚନ ଫଳାଫଳ:
2014 ନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବିଜୟୀ ହୋଇଥିଲେ । ବିଜେଡିର ସାରଦା ନାୟକଙ୍କ ସହ କଡା ପ୍ରତିଦ୍ବନ୍ଦିତା ହୋଇଥିଲା ତେବେ ବିଜେପିର ଦିଲ୍ଲୀପ ରାୟ 59 ହଜାର 653 ଭୋଟ ପାଇଥିବା ବେଳେ ସାରଦା ନାୟକ 48 ହଜାର 724 ଭୋଟ ପାଇଥିଲେ ଏବଂ 10 ହଜାର 900 ଭୋଟରୁ ପରାସ୍ତ ହୋଇଥିଲେ । କଂଗ୍ରେସର ସ୍ଥିତି ସେଥିରେ ମଧ୍ୟ ଦୟନୀୟ ଥିଲା କଂଗ୍ରେସର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ମାତ୍ର ୧୦ ହଜାର ଭୋଟ ପାଇଥିଲେ ।
2009 ସାଧାରଣ ନିର୍ବାଚନ ଫଳାଫଳ:
2009ରେ ରାଉରକେଲା ନିର୍ବାଚନ ମଣ୍ଡଳୀର ସାରଦା ନାୟକ ବିପୁଳ ମାତ୍ରାରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ଲଗାତାର ଏଠାରେ ବିଜୟୀ ହୋଇଥିଲେ । କଂଗ୍ରେସର ସାରା ଦେଶରେ ରାଜୁତି ସମୟରେ ରାଉରକେଲାରେ ଗଡ଼କୁ ସୁରକ୍ଷିତ କରିଥିଲେ ସାରଦା ନାୟକ । 2009 ନିର୍ବାଚନରେ ସାରଦା ନାୟକଙ୍କୁ ମୋଟ 46 ହଜାର ଭୋଟ ମିଳିଥିବା ବେଳେ ବିଜେପିର ରମେଶ ଅଗ୍ରୱାଲଙ୍କୁ 20 ହଜାର ଭୋଟ ମିଳିଥିଲା ଏବଂ କଂଗ୍ରେସର ପ୍ରଶାନ୍ତ ବେହେରାଙ୍କୁ 14 ହଜାର ଭୋଟ ମିଳିଥିଲା । ଯାହା ଯୋଗୁଁ ବିଜେପି ଠାରୁ 25 ହଜାର ଭୋଟରେ ଏବଂ କଂଗ୍ରେସ ଠାରୁ 31 ହଜାର ଭୋଟରେ ବିଜୟୀ ହୋଇଥିଲେ ସାରଦା ନାୟକ ।
ଇଟିଭି ଭାରତ,ରାଉରକେଲା