ଜଗତସିଂହପୁର: ନାମାଙ୍କନ ଭରିଲେ ଜଗତସିଂହପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ । ମଙ୍ଗଳବାର ଦିନ ଜିଲ୍ଲାରେ ସପ୍ତମ ବା ଅନ୍ତିମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ହିଁ ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଅଭିମନ୍ୟୁ ବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରମାକାନ୍ତ ଭୋଇ । ତେବେ ତିର୍ତ୍ତୋଲ ସଂରକ୍ଷିତ ଆସନରେ କଂଗ୍ରେସ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ଆସନ୍ତା 10 ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ଥିବାବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଆସନ୍ତା 9 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ଦଳୀୟ ସୂତ୍ରରୁ ଖବର ମିଳିଛି ।
ଏହାମଧ୍ୟ ପଢନ୍ତୁ.. ତିର୍ତ୍ତୋଲରେ ବିଜେଡିର ଜୋରଦାର ପ୍ରଚାର, ସାମିଲ ହେଲେନି ବିଧାୟକ - General Election 2024
ବିଜେଡି ପ୍ରାର୍ଥୀ ରମାକାନ୍ତ ଭୋଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଦୁଇ ଦୁଇ ଥର ବିଜେପିରୁ ନିର୍ବାଚନ ଲଢ଼ି ଆସିଛନ୍ତି । 2014 ମସିହାରେ ରମାକାନ୍ତ ଭୋଇ ଏହି ଆସନରୁ ପ୍ରଥମେ ବିଜେପି ଟିକେଟରେ ପ୍ରତିଦ୍ବନ୍ଦିତା କରିଥିଲେ । ଏହିସମୟରେ ବିଜେଡି ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକଙ୍କ ଠାରୁ ପରାଜିତ ହୋଇଥିଲେ । ସେହିପରି 2019 ସାଧାରଣ ନିର୍ବାଚନରେ ସେ ପୁଣି ବିଜେପିରୁ ତିର୍ତ୍ତୋଲ ଆସନରେ ଲଢିଥିଲେ ।
ରମାକାନ୍ତ ଭୋଇ ସେ ସମୟରେ କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଆସିଥିଲେ । ତେବେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସଙ୍କ ହାରିଥିଲେ । 2020ରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ରମାକାନ୍ତଙ୍କ ବଦଳରେ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଥିଲା । ଏହାପରେ ରମାକାନ୍ତ ପଦ୍ମ ଛାଡି ଶଙ୍ଖ ଧରିଥିଲେ । ଚଳିତ ନିର୍ବାଚନରେ ବିଜେଡିରୁ ତିର୍ତ୍ତୋଲ ଆସନରେ ଲଢୁଛନ୍ତି ରମାକାନ୍ତ ଭୋଇ ।
ଇଟିଭି ଭାରତ, ଜଗତସିଂହପୁର