ସୁବର୍ଣ୍ଣପୁର: 'ଜୟ କୋଶଲ ଓ ଜୟ କିଶାନ ଧ୍ବନିରେ ପ୍ରକମ୍ବିତ ହେବ ରାଜ୍ୟ ବିଧାନସଭା । ଚାଷୀ ପ୍ରତିନିଧି ଭାବେ ନିର୍ବାଚିତ ହେବା ପରେ ଚାଷୀଙ୍କ ସମସ୍ୟାକୁ ନେଇ ସରକାର ସହିତ ଲଢେଇ ହେବ । କୃଷି ଓ କୃଷକର ସମସ୍ୟା ସମାଧାନ ପାଇଁ ଉତ୍ସର୍ଗିକୃତ ଏ ଜୀବନ ।' ଏଭଳି ଢଙ୍ଗରେ ପ୍ରେସମିଟ କରି ଯୁବ ଚାଷୀ ନେତ୍ରୀ ସୋନପୁର ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥିନୀ ଭାବେ ଲଢୁଥିବା ସୋନାଲି ବିଶି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଜିଲ୍ଲାରେ ଥିବା ନଦ ନଦୀରେ ବ୍ୟାରେଜ ନିର୍ମାଣ ସହିତ ଜଳସେଚନ ଆଦି ବ୍ୟବସ୍ଥା କରିବା , ରିହାତି ମୂଲ୍ୟରେ ବିହନ , ରାସାୟନିକ ସାର , କୀଟନାଶକ ଔଷଧ ଯୋଗାଇ ଦେବା , ଜିଲ୍ଲାରେ କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା କରିବା , ଚାଷୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟ ସରକାରୀ ଧାର୍ଯ୍ୟ ଦରରେ କ୍ରୟ କରିବା , ଜିଲ୍ଲାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା , ଛୋଟ ଚାଷୀମାନଙ୍କୁ ବିନା ସୁଧରେ ଚାଷୀ ଋଣ ପ୍ରଦାନ କରିବା , କୃଷିଜାତ ଶିଳ୍ପ ପ୍ରତିଷ୍ଠା କରିବା , ସୋନପୁରର ଏକମାତ୍ର ଶିଳ୍ପ ସୂତାକଳକୁ କାର୍ଯ୍ୟକ୍ଷମ କରିବା , ଅଣଧାନ ଫସଲ ଯଥା ପନିପରିବା , ଫଳ , ଡାଲିଜାତୀୟ ଓ ତୈଳବୀଜ ଜାତୀୟ ଚାଷକୁ ପ୍ରାଧାନ୍ୟ ଓ ଚାଷୀଙ୍କୁ ପ୍ରତ୍ସୋହନ ଦେବା , ମତ୍ସ୍ୟ ଚାଷ ଓ ପଶୁପାଳନକୁ ପ୍ରାଧାନ୍ୟ ଦେବା ସହିତ ସରକାରୀ ସୁବିଧା ସୁଯୋଗ ଆଦି ପ୍ରଦାନ କରିବା ପାଇଁ ଚାଷୀ ପ୍ରତିନିଧୀ ଭାବେ ରାଜ୍ୟ ସରକାରଙ୍କ ସହିତ ଲଢେଇ କରିବେ ବୋଲି ଚଳିତ ନିର୍ବାଚନରେ ଜନସାଧାରଣଙ୍କ ଆଗରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ଜିଲ୍ଲାରୁ ବାହାର ରାଜ୍ୟକୁ ଗରୀବ ଲୋକେ ଓ ଯୁବକ ମାନେ ଦାନନ ଖଟି ଯାଉଛନ୍ତି ବୋଲି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀନୀ ସୋନାଲି ବିଶି । ସେହିପରି ଶିକ୍ଷା କ୍ଷେତ୍ରରେ ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା , ଜିଲ୍ଲାର ପର୍ଯ୍ୟଟନୀୟ ଭିତ୍ତିଭୂମୀକୁ ସୁଦୃଢ କରିବା , କୃଷିଜାତ ଦ୍ରବ୍ୟ ଶିଳ୍ପ ପ୍ରତିଷ୍ଠା କରିବା ,ବୁଣାକାର ଓ ଚାଷୀଙ୍କ ଲାଗି ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ପ୍ରଦାନ ପାଇଁ ଲଢେଇ କରିବେ ବୋଲି ସୋନାଲି ବିଶି ସହରର ଝିଙ୍କିଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ତେବେ ଚଳିତ ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ହେବା ପରେ ତାଙ୍କ ନିର୍ବାଚନ ପ୍ରଚାର ଜୋରଦାର କରିବା ସହିତ ପୁରୁଖା ବିଜେଡି ନେତା ତଥା କ୍ୟାବିନେଟ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ରାମପୁର ଗାଁରୁ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଚାଷୀ ନେତ୍ରୀ ଭାବେ ଚାଷୀଙ୍କ ଆର୍ଥିକ ସହଯୋଗରେ ନାମାଙ୍କନ ରାଶି ପ୍ରଦାନ କରିବା ସହିତ ଚାଷୀଙ୍କ ଅର୍ଥରେ ନିର୍ବାଚନ ଖର୍ଚ୍ଚ କରି ଭୋଟରଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ ନିଜ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର