ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ସହ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଦୁଇ ଜାତୀୟ ଦଳ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ କଂଗ୍ରେସ ଏକାଧିକ ପର୍ଯ୍ୟାୟରେ କିଛି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ପରବର୍ତ୍ତୀ ପର୍ଯ୍ୟାୟର ପ୍ରାର୍ଥୀଙ୍କ ପାଇଁ ବିଚାର ବିମର୍ଶ ଜାରି ରଖିଛନ୍ତି । ଆଜି ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ଦଳର ସଂସଦୀୟ କମିଟି ମୁଖ୍ୟ ତଥା ପୂର୍ବତନ ଅଧ୍ଯକ୍ଷା ସୋନିଆ ଗାନ୍ଧୀ ଓ ତମାମ କେନ୍ଦ୍ରୀୟ ନେତାଙ୍କ ସହ କିଛି ରାଜ୍ୟର ନେତୃମଣ୍ଡଳୀ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟତଃ ପ୍ରାର୍ଥୀ ଚୟନ ଓ ଦଳର ଜାତୀୟ ଇସ୍ତାହାର ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ରାହୁଲ ଗାନ୍ଧୀ ଟ୍ବିଟ୍ କରି ଆଲୋଚନା ସମ୍ପର୍କରେ ସୂଚନା ଦେବା ସହ ଏଥର ଦଳର ଜାତୀୟ ଇସ୍ତାହରରେ 5 ନ୍ୟାୟ ଓ 25 ଗ୍ୟାରେଣ୍ଟି ରହିବ ବୋଲି ସୂଚନା ଦେଇଛନ୍ତି ।
ଏପ୍ରିଲ 19 ତାରିଖରୁ 7 ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବାକୁ ଯାଉଠି । ଏହା ପୂର୍ବରୁମୁଖ୍ୟ ବିରୋଧୀ ଦଳ ତଥା ମିଳିତ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଚର ନେତୃତ୍ବ ନେଉଥିବା କଂଗ୍ରେସ ଏପର୍ଯ୍ୟନ୍ତ 82 ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଆଜି ପ୍ରାୟ 60ରୁ 70 ଆସନରେ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା ହୋଇଛି । ଟ୍ବିଟରେ ରାହୁଲ କହିଛନ୍ତି, ଆଜି ଦଳର ଇସ୍ତାହାର 5 ନ୍ୟାୟ ଓ 25 ଗ୍ୟାରେଣ୍ଟି ଉପରେ ଏକ ଗଭୀର ଆଲୋଚନା ହୋଇଛି । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ସେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିଛନ୍ତି । ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିଛନ୍ତି । ଗାଁ ରୁ ଗାଁ, ଗଳି ଗଳି ପର୍ଯ୍ୟନ୍ତ ଲୋକେ ଅନ୍ୟାୟର ଶିକାର ହେଉଥିବା ଏହି ଯାତ୍ରା ସମୟରେ ସେ ବେଶ ନିକଟତର ହୋଇ ଦେଖିଛନ୍ତି । ସେମାନଙ୍କ ସମସ୍ୟା ଓ ସଂଘର୍ଷ କଂଗ୍ରେସକୁ ଜଣାଅଛି ବୋଲି ରାହୁଲ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- କଂଗ୍ରେସ ଛାଡ଼ିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଫୁଙ୍କିବେ ଶଙ୍ଖ !
ଶାସକ ଦଳ ବିଜେପି ଏକାକୀ 370 ଆସନରେ ବିଜୟୀ ହେବା ସହ ଏନଡିଏ ମେଣ୍ଟର ସହଯୋଗୀ ଦଳଙ୍କ ସମର୍ଥନରେ ପ୍ରାୟ 4ଶହ ଆସନ ହାସଲ କରି କ୍ଷମତାର ତୃତୀୟ ପାଳି ଆରମ୍ଭ କରିବା ଲକ୍ଷ୍ୟରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ସେହିପରି କଂଗ୍ରେସ ‘ଇଣ୍ଡିଆ’ ମେଣ୍ଟର ବିଭିନ୍ନ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା ମଧ୍ୟରେ ନିର୍ବାଚନ ଲଢିବାକୁ ଯାଉଛି । ହେଲେ ପଶ୍ଚିମବଙ୍ଗରେ ମମତାଙ୍କ ଦଳ କଂଗ୍ରେସ ସହ ଆସନ ବୁଝାମଣା କରିବାକୁ ରାଜି ନହେବା ସହ ଏକାକୀ ନିର୍ବାଚନ ଲଢିବା ପାଇଁ ଯାଉଛି । ଏପରିକି ଦିଦିଙ୍କ ଦଳ ଟିଏମସି ଗୋଟିଏ ପର୍ଯ୍ୟାୟରେ ସମସ୍ତ 42 ଆସନରେ ପ୍ରାର୍ଥୀ ମଧ୍ୟ ଘୋଷଣା କରିସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ