କେନ୍ଦ୍ରାପଡ଼ା: କେନ୍ଦ୍ରକୁ ନିଶାନା କଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ପ୍ରାର୍ଥୀ ଏବଂ ବିଜେଡି ନେତା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଆଜି ବାରୋ ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ନେତା ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦ୍ରର ମନ୍ତ୍ରୀମାନେ କେନ୍ଦ୍ରାପଡ଼ା ସମେତ ସାରା ରାଜ୍ୟରେ କେବଳ ନିର୍ବାଚନ ଆସିଲେ ଡେରା ପକାନ୍ତି । ହେଲେ ଓଡି଼ଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପ୍ରସଙ୍ଗରେ ଚୁପ୍ ରହିଥାନ୍ତି । ସେହିପରି "ବିଜେପି ନେତା ଆସି ବିଜେଡି ପ୍ରାର୍ଥୀଙ୍କୁ ଟାର୍ଗେଟ କରୁଥିବା କହିବା ସହ ବିଜେପି 'ଭାରତୀୟ ଯାତ୍ରା ପାର୍ଟି' ବୋଲି କହିଛନ୍ତି" ଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ।
ବିଜେଡି ନେତା ଭିକେ ପାଣ୍ଡିଆନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନିଜେ ବିଶ୍ରାମ ବିହୀନ ଯାତ୍ରା କରି ଜାପାନ ଯାଇ ମିତ୍ତଲ କମ୍ପାନୀକୁ ଅନୁରୋଧ କରିଥିଲେ । ଯାହା ପରେ କମ୍ପାନୀ କେନ୍ଦ୍ରାପଡ଼ା ଜିଲ୍ଲାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରି ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।" ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ବିଜେଡି ଟାର୍ଗେଟ୍ କରିଛି । ନିଜ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ କୌଣସି କାମ କରିନଥିବା କହିବା ସହ "ତାଙ୍କର ଏହି କାମ ପାଇଁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୁଃଖିତ" ବୋଲି କହିଛନ୍ତି ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ । ବିଜେପିକୁ ମିଛୁଆ କହିବା ସହ ନୀତିଶ କୁମାରଙ୍କ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ରେଳ ଚଳାଚଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାକୁ ବୈଜୟନ୍ତ ପଣ୍ଡା ରେଳ ଚଳାଇବା ପାଇଁ କହିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।
ଏହା ବି ପଢନ୍ତୁ...ନିଆଳିରେ ଗଡ ବଜାୟ ରଖିବ କି ବିଜେଡି ? ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ
ଅତନୁ ସବ୍ୟସାଚୀ ନାୟକ କହିଛନ୍ତି,"ବିଜେପି ଏହାର ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀ ମଇଦାନରୁ ନବୀନ ପଟ୍ଟନାୟକଙ୍କ ହାୱାରେ ଉଭେଇ ଗଲେଣି ।" ଆଜି ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ସ୍ୱାଗତ ଅଭିଭାଷଣ ରଖିଥିବାବେଳେ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର, ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ, ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ସମେତ ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ମଞ୍ଚରେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସ୍ୱୟଂ ଯୋଜନା, ମିଶନ ଶକ୍ତି ଉପରେ ମତ ରଖି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତ ବିଜେଡି ନେତୃବୃନ୍ଦ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା