ବାଲେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରତିକ୍ରିୟା । ଓଡ଼ିଶାରେ ସବୁ ସିଟ୍ ଜିତିବ ଭାରତୀୟ ଜନତା ପାର୍ଟି । ଓଡ଼ିଶାବାସୀ 25 ବର୍ଷର ସରକାରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ତେବେ ବାଲେଶ୍ବର ନୋସି ବିଜିନେସ ପାର୍କର ସମ୍ମିଳନୀ କକ୍ଷରେ "ବିକଶିତ ଭାରତ ବିକଶିତ ଓଡ଼ିଶା" ନାମକ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ଏଭଳି କହିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
ଆଜି (ବୁଧବାର) ବାଲେଶ୍ବରରେ ଆୟୋଜିତ ହୋଇଥିଲା "ବିକଶିତ ଭାରତ ବିକଶିତ ଓଡ଼ିଶା" ନାମକ ଏକ ଆଲୋଚନା ଚକ୍ର । ଏଥିରେ ଲୋକସଭାର ୧୭ତମ ବାଚସ୍ପତି ଓମ୍ ବିର୍ଲା ଯୋଗଦେଇ ଥିଲେ । ଏହି ଅବସରରେ ଓମ ବିର୍ଲା କହିଛନ୍ତି, "ଓଡ଼ିଶାର ଜନତା ବିଜେଡିର 25 ବର୍ଷର ଶାସନ ପରେ ଭାରତୀୟ ଜନତା ପାର୍ଟିକୁ ଶାସନକୁ ଆଣିବାକୁ ଚାହୁଁଛନ୍ତି । କେନ୍ଦ୍ରରେ ମୋଦିଙ୍କ ଶାସନର 10 ବର୍ଷ ଭିତରେ ଅନେକ ବିକାଶ ହୋଇଛି । ସବୁ ସେକ୍ଟରରେ ପରିବର୍ତ୍ତନ ଘଟିଛି । ଓଡ଼ିଶାର ଲୋକମାନେ ମଧ୍ୟ 25 ବର୍ଷର ସରକାରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଗରିବମାନଙ୍କ ପାଇଁ କୌଣସି ଯୋଜନା ନାହିଁ । ଗରିବମାନଙ୍କ ଜୀବନରେ କୌଣସି ପରିବର୍ତ୍ତନ ହୋଇନାହିଁ । ନୂଆ ନେତୃତ୍ବ, ନୂଆ ଭିଜନ ସହ ଓଡ଼ିଶା ଲୋକ ଏଥର ବିଜେପିକୁ ଭୋଟ ଦେବେ । ଓଡ଼ିଶାରେ ଆମେ ସବୁ ସିଟ୍ ଜିତିବୁ ।"
ତେବେ ଓମ ବିର୍ଲା ନୋସି ହେଲିପ୍ୟାଡ଼ରେ ଅବତରଣ କରିବା ସମୟରେ ଓମ୍ ବିର୍ଲାଙ୍କୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ଓ ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ସ୍ବାଗତ କରିଥିଲେ । ସ୍ବାଧୀନତାର ୭୫ ବର୍ଷ ପରେ ପ୍ରଥମଥର ପାଇଁ ଲୋକସଭାର ବାଚସ୍ପତି ବାଲେଶ୍ଵର ଗସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମମତା ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୋହିତ ପୋଦ୍ଦାର ସ୍ବାଗତ ଭାଷଣ ଦେଇଥିଲେ । ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ଓ ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ସେମାନଙ୍କ ବକ୍ତବ୍ୟରେ ରାଜ୍ୟ ପାଇଁ ଓ ନିଜ ନିଜ ବିଧାନସଭା ମଣ୍ଡଳୀ ପାଇଁ କେନ୍ଦ୍ରୀୟ ଯୋଜନା ବିଷୟରେ ବିସ୍ତାରିତ ଭାବେ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଚନା କରିଥିଲେ । ଏହାସହ ଆଗାମୀ ଦିନରେ ବାଲେଶ୍ୱର ଏବଂ ରେମୁଣା ବିଧାନସଭା କ୍ଷେତ୍ର ପାଇଁ ସେମାନଙ୍କ ସଂକଳ୍ପ ବିଷୟରେ ଜଣାଇଥିଲେ ।
ବାଲେଶ୍ବର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ବିଜେଡକୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କେବଳ ଭାରତୀୟ ଅର୍ଥନୀତି ୧୧ ସ୍ଥାନରୁ ୫ ନମ୍ବରକୁ ଆସିନାହିଁ ବରଂ ସାମରିକ, ସାମାଜିକ, ବୈଦେଶିକ ସାଂସ୍କୃତିକ କ୍ଷେତ୍ରରେ ଦେଶର ସମ୍ମାନ ଆଜି ଶୀର୍ଷରେ ପହଞ୍ଚିଛି ବୋଲି କହିଛନ୍ତି ପ୍ରତାପ । ଆଗାମୀ ସାଧାରଣ ନିର୍ବାଚନରେ ମୋଦିଙ୍କ ଆହ୍ବାନ "ଅବ୍ କି ବାର ୪୦୦ ପାର ଓ ଓଡ଼ିଶାରେ ବିଜେପି ସରକାର"କୁ ସାକାର କରିବା ପାଇଁ ପ୍ରତାପ ଅନୁରୋଧ କରିଥିଲେ ।
ଇଟିଭି ଭାରତ, ବାଲେଶ୍ବର