ନିମାପଡ଼ା: ଆସନ୍ତାକାଲି ନିମାପଡ଼ା ଆସୁଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । କାଲି (ମଙ୍ଗଳବାର) ଅପରାହ୍ନରେ ନିମାପଡା ଇଣ୍ଡୋର ଷ୍ଟାଡିୟମ ପଡ଼ିଆରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଶାହ । ପ୍ରାୟ ୫୦ ହଜାର କର୍ମକର୍ତ୍ତା ଏହି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଦଳୀୟ ନେତାଙ୍କୁ ବିଜୟ ପାଇଁ ଗୁରୁମନ୍ତ୍ର ଦେବେ ଶାହ । ନିମାପଡ଼ାରେ କିଭଳି ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ବିଜୟ ସୁନିଶ୍ଚିତ ହେବ ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ, ସେନେଇ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ଉତ୍ସାହିତ କରିବେ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ଶାହଙ୍କ ସୁରକ୍ଷାରେ ତାଙ୍କ ସୁରକ୍ଷା କର୍ମୀଙ୍କ ସହିତ ଓଡ଼ିଶା ପୋଲିସ ମୁତୟନ ହେବେ । ବାରବାଟୀ ହେଲିପ୍ୟାଡ଼ରେ ପହଞ୍ଚିବା ପରେ ସେଠାରୁ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ କଡ଼ା ସୁରକ୍ଷା ବଳୟରେ ସଭାସ୍ଥଳକୁ ଯିବେ । ସେଠାରେ ପ୍ରାୟ ୧ ଘଣ୍ଟା ଦଳୀୟ ସମାବେଶରେ ରହିବାର କାର୍ଯ୍ୟକ୍ରମ ରହିଛି । ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ଓଡିଶା ବିଜେପି ସଭାପତି ମନମୋହନ ସାମଲ, ସାଂସଦ ପ୍ରାର୍ଥୀ ବିଭୁ ତରାଇ, ନିମାପଡ଼ା ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା, ବିଜେପି ନେତା ସମୀର ରଞ୍ଜନ ଦାଶ ଓ ବରିଷ୍ଠ ନେତାମାନେ ଯୋଗଦେବେ । ଗୃହମନ୍ତ୍ରୀଙ୍କ ସୁରକ୍ଷା ସହ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ଅତିରିକ୍ତ ଏସ୍ପି ଡି.ଚକ୍ର କହିଛନ୍ତି ।
ସେପଟେ 1 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିମାପଡ଼ା ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଆଗାମୀ ସଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନିମାପଡ଼ା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି । ନିମାପଡ଼ା ଆଇଆଇସି ବାମଦେବ ସ୍ବାଇଁଙ୍କ ନେତୃତ୍ଵରେ ୨ ପ୍ଲାଟୁନ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ ଓ ଅନ୍ୟ ସୁରକ୍ଷା କର୍ମୀଙ୍କୁ ନେଇ ନିମାପଡା ବଜାରର ବିଭିନ୍ନ ଗଳିକନ୍ଦିରେ ଫ୍ଲାଗମାର୍ଚ୍ଚ କରିଥିଲେ । ଏହାଛଡା ବିଭିନ୍ନ ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରି ନିର୍ବାଚନ କିପରି ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ହୋଇପାରିବ ଏହାକୁ ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ଡି ଚକ୍ର । ଜୁନ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରସ୍ତୁତ ରହିଥିବା ଏତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ପୁରୀ