ଲକ୍ଷ୍ନୌ: ଚଳିତ ଥର ଲୋକସଭା ଫଳାଫଳ ଅପ୍ରତ୍ୟାଶିତ ରହିଛି । ୨୦୨୪ ସାଧାରଣ ନିର୍ବାଚନରେ ଅନେକ ନୂଆ ରେକର୍ଡ ତିଆରି ହୋଇଥିବା ବେଳେ କେତେକ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛି । ଏସବୁ ମଧ୍ୟରେ ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ ଚକିତ କରିଛି । ଏଥର ବିଜେପି 'ଅବ କି ବାର 400 ପାର' ନାରା ଦେଇଥିବା ବେଳେ, ଉତ୍ତରପ୍ରଦେଶରେ '80 ମେ 80 କା ବଡବୋଲା' ସ୍ଲୋଗାନ ଦିଆଯାଉଥିଲା । ତେବେ ସମାଜବାଦୀ ପାର୍ଟି ପ୍ରତିଷ୍ଠାକୁ 32 ବର୍ଷ ପରେ 2024 ନିର୍ବାଚନ 32 ବର୍ଷର ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରି ପାରିଛି ।
ଅଯୋଧ୍ୟାରେ ଫୁଟିଲାନି ପଦ୍ମ:
ସମାଜବାଦୀ ପାର୍ଟି କଂଗ୍ରେସ ସହ ମିଳିତ ଭାବେ ଲଢ଼ି ଏକାକୀ 37ଟି ଲୋକସଭା ଆସନ ଜିତିଛି । ଅନ୍ୟପକ୍ଷରେ 6 ସାଂସଦଙ୍କ ବିଜୟ, ୟୁପିରେ ଲୁପ୍ତ ପ୍ରାୟ କଂଗ୍ରେସକୁ ପୁଣି ଜୀବନ୍ତ କରିପାରିଛି । ଅନ୍ୟପଟେ କେନ୍ଦ୍ର ସରକାରଙ୍କର 7 ଜଣ ମନ୍ତ୍ରୀ ଏବଂ 12ରୁ ଅଧିକ ସାଂସଦ ନିଜ ଆସନ ସୁରକ୍ଷିତ କରିବାରେ ବିଫଳ ହୋଇଥିଲେ । ଯେଉଁଠାରେ ରାମଲାଲାଙ୍କର 500 ବର୍ଷର ବନବାସ ଶେଷ ହୋଇଥିଲା, ସେଠାରେ ଅଯୋଧ୍ୟାରୁ ଭାରତୀୟ ଜନତା ପାର୍ଟି (BJP) 5 ବର୍ଷ ପାଇଁ ହଟିଯାଇଛି । ଅର୍ଥାତ ରାମ ମନ୍ଦିର ଅବସ୍ଥିତ ଥିବା ଫୈଜାବାଦ ଲୋକସଭା ଆସନକୁ ବି ନିଜ ନାଁରେ କରି ପାରିଲାନି ପଦ୍ମ ଦଳ । ଦେଶ-ବିଦେଶରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଯେତେ ଚର୍ଚ୍ଚାରେ ଥିଲା ତାଠାରୁ ଅଧିକ ଚର୍ଚ୍ଚାରେ ଆସିଥିଲେ ଅଯୋଧ୍ୟାବାସୀ । ମାତ୍ର ପଦ୍ମଫୁଲ ଫୁଟାଇଲେ ନାହିଁ ଅଯୋଦ୍ଧା ଭୋଟର ।
ଲୋକସଭା ଯିବେ ଯାଦବ ଦମ୍ପତି :
ସମାଜବାଦୀ ପାର୍ଟିର ଏହିଭଳି 7 ଜଣ ଯୁବ ସାଂସଦ ମଧ୍ୟ ବିଜୟ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ କେବଳ ରେକର୍ଡ ନୁହେଁ ବରଂ ଯେ ତାଙ୍କ ପୂର୍ବପୁରୁଷଙ୍କ ରାଜନୈତିକ ପରମ୍ପରାକୁ ଆଗକୁ ବଢ଼ାଇ ପାରିବେ । ତେବେ ଏହି ଯୁବ ରାଜନୈତିକ ତାଙ୍କ ଅପୋଜିଟରେ ଥିବା 2-3 ଥରର ସାଂସଦଙ୍କୁ ପରାସ୍ତ କରି ତାଙ୍କୁ ଧୂଳି ଚଟାଇ ଦେଇଛନ୍ତି। କୌଶମ୍ଭିରୁ ଜିତିଥିବା ସମାଜବାଦୀ ପାର୍ଟିର ପୁଷ୍ପେନ୍ଦ୍ର ସରୋଜ ଦେଶର ସବୁଠାରୁ କମ ବୟସର (25 ବର୍ଷ) ସାଂସଦ ହୋଇପାରିଛନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏଥର ସ୍ବାମୀ- ସ୍ତ୍ରୀ ମିଶି ଲୋକସଭା ଭବନକୁ ଯିବେ । ସଂସଦରେ ଉତ୍ତରପ୍ରଦେଶରୁ ପ୍ରଥମ ଥର ପାଇଁ ଅଖିଳେଶ ଯାଦବ ଏବଂ ଡିମ୍ପଲ୍ ଯାଦବଙ୍କ ଯୋଡିକୁ ଦେଖିବାକୁ ମିଳିବ । ଅଖିଳେଶ ଏବଂ ଡିମ୍ପଲ୍ ହେଉଛନ୍ତି ୟୁପିର ପ୍ରଥମ ସାଂସଦ ଦମ୍ପତି । ତେବେ ଏହାପୂର୍ବରୁ ଦେଶରେ ଆଉ ତିନି ଦମ୍ପତି ସମାନ ରେକର୍ଡ ସୃଷ୍ଟି କରି ସାରିଛନ୍ତି ।
ଗୋପାଳନ ନାମ୍ବିଆର-ସୁଶିଳା ଗୋପାଳନ:
ଭାରତୀୟ ସଂସଦ ଇତିହାସରେ ପ୍ରଥମ ଥର ପାଇଁ କେରଳର ଏକ ଦମ୍ପତି ଏକାଠି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଚତୁର୍ଥ ଲୋକସଭା (1967-1971)ରେ ଏକେ ଗୋପାଳନ ନାମ୍ବିଆର ଏବଂ ସୁଶିଳା ଗୋପାଳନ ଏକାଠି ଜିତିବା ପରେ ପାର୍ଲାମେଣ୍ଟ ପହଞ୍ଚିଥିଲେ । ଉଭୟ ସିପିଏମ(CPM) ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏକେ ଗୋପାଳନ ନାମ୍ବିଆର ଏକେଜୀ ଭାବେ ବେଶ ଜଣାଶୁଣା । ସେ ଜଣେ ସ୍ବାଧିନତା ସଗ୍ରାମୀ ହେବା ସହିତ ପ୍ରଥମ ବିରୋଧୀ ନେତା ଥିଲେ । ଏକେ ଗୋପାଳନ 1952 ରୁ 1977 ପର୍ଯ୍ୟନ୍ତ ପାଲଘାଟ (କେରଳ)ରୁ କ୍ରମାଗତ ଭାବରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଅନ୍ୟପଟେ ଗୋପାଳନଙ୍କ ସ୍ତ୍ରୀ ସୁଶିଳା ଗୋପାଳନ ପ୍ରଥମଥର ପାଇଁ 1967ରେ ଚିରୟନକିଲ (କେରଳ)ରୁ ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।
ସତ୍ୟେନ୍ଦ୍ର ନାରାୟଣ ସିହ୍ନା ଏବଂ କିଶୋରୀ ସିହ୍ନା :
ସେହିଭଳି ବିହାରର ସତ୍ୟେନ୍ଦ୍ର ନାରାୟଣ ସିହ୍ନା ଏବଂ ତାଙ୍କ ପତ୍ନୀ କିଶୋରୀ ସିହ୍ନା ଦୁଇଥର ଲୋକସଭା ନିର୍ବାଚନରେ ଜିତି ସାଂସଦ ହୋଇଥିଲେ । ବିହାରର ଔରଙ୍ଗାବାଦ ଜିଲ୍ଲାର ଏକ ରାଜ ପରିବାରରୁ ଆସିଥିଲେ ସତ୍ୟେନ୍ଦ୍ର ନାରାୟଣ ସିହ୍ନା । ଯିଏ ଛୋଟ ବାବୁ ନାମରେ ମଧ୍ୟ ବେଶ ଜଣାଶୁଣା । 1952 ପରଠାରୁ ନାରାୟଣନ ଔରଙ୍ଗାବାଦରୁ 6 ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସତ୍ୟନାରାୟଣ କଂଗ୍ରେସରୁ ତିନିଥର, କଂଗ୍ରେସ (ଓ)ରୁ ଥରେ ଏବଂ ଜନତା ପାର୍ଟିରୁ ଦୁଇଥର ନିର୍ବାଚିତ ହୋଇଥିଲେ । ତାଙ୍କ ପତ୍ନୀ କିଶୋରୀ 1980 ଏବଂ 1989ରେ ନିର୍ବାଚନ ଜିତି ତାଙ୍କ ସହିତ ଲୋକସଭା ଯାଇଥିଲେ । 1980ରେ ସତ୍ୟେନ୍ଦ୍ର ନାରାୟଣ ସିହ୍ନା ଏବଂ କିଶୋରୀ ସିହ୍ନା ଭାରତୀୟ ଜାତୀୟ କଂଗ୍ରେସ (ଇନ୍ଦିରା)ରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ହେଲେ 1989 ରେ ଉଭୟ ଜନତା ପାର୍ଟିରୁ ନିର୍ବାଚନ ଜିତିବା ପରେ ସେମାନେ ଏକାଠି ସଂସଦରେ ଯାଇଥିଲେ।
ପପୁ ଯାଦବ ଏବଂ ତାଙ୍କ ପତ୍ନୀ ରଞ୍ଜିତ ରଞ୍ଜନ:
ବିହାରର ରାଜେଶ ରଞ୍ଜନ (ପପୁ ଯାଦବ) ଏବଂ ତାଙ୍କ ପତ୍ନୀ ରଞ୍ଜିତ ରଞ୍ଜନ ମଧ୍ୟ ଏକା ସହିତ ସାଂସଦ ହୋଇଥିଲେ । ପୁର୍ଣ୍ଣିଆରେ ଡନ୍ ଭାବରେ ବେଶ ଜଣାଶୁଣା ହେଉଛନ୍ତି ପପୁ ଯାଦବ । ତେବେ ସେ 2004 ମସିହାରେ ହୋଇଥିବା ଉପ-ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (RJD)ରୁ ନିର୍ବାଚନ ଲଢ଼ି ମାଧେପୁରାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କ ପତ୍ନୀ ରଞ୍ଜିତ ରଞ୍ଜନ ଲୋକ ଜନ ଶକ୍ତି ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ି ବିହାରର ସହରସାରୁ ସାଂସଦ ହୋଇଥିଲେ । ଏଥି ସହିତ, 2014 ସାଧାରଣ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ଏହି ଦମ୍ପତି ବିଭିନ୍ନ ଦଳରୁ ଜିତିଥିଲେ। ରଞ୍ଜିତ ରଞ୍ଜନ କଂଗ୍ରେସରୁ ଦଳରୁ ସୁପୋଲରୁ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ । ଅନ୍ୟପକ୍ଷରେ ପପୁ ଯାଦବ ରାଜଦ ଦଳରୁ ପକ୍ଷରୁ ନିର୍ବାଚନ ଲଢ଼ି ମାଧେପୁରାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ କହିରଖିବୁ, ଅନେକ ସମୟ ଜେଲରେ କାଟୁଥିବା ପପୁ ଯାଦବ ଅନେକ ରାଜନୈତିକ ଦଳରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ । 1991, 1996, 1999ଏବଂ 2004ରେ ପପୁ ବିହାରର ଅଲଗା ଅଲଗା ସ୍ଥାନରୁ ନିର୍ବାଚନ ଜିତି ସାଂସଦ ହୋଇଥିଲେ । ପପୁ ସ୍ବତନ୍ତ୍ର, ଏସପି, ଲୋକ ଜନତା ପାର୍ଟି, ରାଜଦ ଆଦି ଦଳରୁ ନିର୍ବାଚନ ଜିତିଥିଲେ। ତେବେ ପପୁ ଯାଦବଙ୍କର ନା ଅପରାଧୀ ତଲିକାରେ ଥାଇ ମଧ୍ୟ ସେ 2015ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସାଂସଦ ହୋଇପାରିଥିଲେ । ୨୦୨୪ରେ ମଧ୍ୟ ପପୁ ଯାଦବ ପୁର୍ଣ୍ଣିଆରୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି ।
ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଯୋଡ଼ି ମଧ୍ୟ ସଂସଦରେ ପହଞ୍ଚିଥିଲେ:
ରଜନେତାଙ୍କ ବ୍ୟତୀତ ବଲିଉଡର ଆଗଧାଡ଼ିର ଅଭିନେତା ଧର୍ମେନ୍ଦ୍ର ଏବଂ ତାଙ୍କ ପତ୍ନୀ ହେମାମଳିନୀ ମଧ୍ୟ ସାଂସଦ ହୋଇଛନ୍ତି । ହେଲେ ଉଭୟ ସଂସଦର ଅଲଗା ଗୃହରେ ଥିଲେ । ଅଭିନେତା ଧର୍ମେନ୍ଦ୍ର 2004ରେ ରାଜସ୍ଥାନର ବିକାନେରରୁ ନିର୍ବାଚନ ଜିତି ଲୋକସଭା ସାଂସଦ ହୋଇଥିଲେ । ଅନ୍ୟପକ୍ଷରେ ହେମାମାଳିନୀ ତୃତୀୟ ଥର ପାଇଁ ମଥୁରାର ସାଂସଦ ହୋଇଛନ୍ତି । ହେମା 2003ରେ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ ।
ୟୁପିର ପ୍ରଥମ ରାଜନେତା ଦମ୍ପତି ଭାବେ ଲୋକସଭାରେ ନଜର ଆସିବେ ଅଖିଲେଶ- ଡିମ୍ପଲ :
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ତାଙ୍କ ପତ୍ନୀ ଡିମ୍ପଲ ଯାଦବ 2024 ଲୋକସଭା ନିର୍ବାଚନରେ ଉଭୟ ସାଂସଦ ହୋଇଛନ୍ତି । ଅଖିଳେଶ ଏବଂ ଡିମ୍ପଲ୍ ଉତ୍ତରପ୍ରଦେଶର ପ୍ରଥମ କପଲ ଯିଏ ଏକାଠି ଲୋକସଭା ସାଂସଦ ହୋଇଛନ୍ତି । ଏଥର ଅଖିଳେଶ ଯାଦବ କନ୍ନୌଜରୁ ସାଂସଦ ହୋଇଥିବା ବେଳେ ଡିମ୍ପଲ ଯାଦବ ମୈନପୁରୀ ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହି ଯୋଡି ବର୍ତ୍ତମାନ ସଂସଦରେ ଏକାଠି ନଜର ଆସିବେ । ତେବେ କହି ରଖିବୁ ଯେ, ଡିମ୍ପଲ୍ ଯାଦବ ବିଜେପି ପ୍ରାର୍ଥୀ ଜୟବୀର ସିଂଙ୍କୁ 2 ଲକ୍ଷ 21 ହଜାର 639 ଭୋଟରେ ପରାସ୍ତ କରିଛନ୍ତି । କ୍ରମାଗତ ଭାବେ ତୃତୀୟ ଥର ପାଇଁ ଡିମ୍ପଲ ଯାଦବ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ଅଖିଳେଶ ଯାଦବ ବିଜେପି ପ୍ରାର୍ଥୀ ସୁବ୍ରତ ପାଠକଙ୍କ ଠାରୁ 1 ଲକ୍ଷ 70 ହଜାର 922 ଭୋଟ ବ୍ୟବଧାନରେ ଜିତିଛନ୍ତି । ଅଖିଳେଶ ପୂର୍ବରୁ ତିନିଥର ସାଂସଦ ହୋଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ