ନିମାପଡ଼ା: ରାଜ୍ୟରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ସେପଟେ ପାଖେଇ ଆସୁଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଯାହା ଆସନ୍ତା 25 ତାରିଖରେ ହେବାକୁ ଯାଉଛି । ଯେଉଁଥିରେ ପୁରୀ, କଟକ, ଭୁବନେଶ୍ବର, ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳ ଆଦି ଲୋକସଭା କ୍ଷେତ୍ରର ଭୋଟର ନିଜର ମତଦାନ କରିବାକୁ ଯାଉଛନ୍ତି । ସେହିକ୍ରମରେ ପ୍ରାର୍ଥୀ ଲାଗି ପଡ଼ିଛନ୍ତି ପ୍ରଚାରରେ । ତେବେ ଆଜି ପୁରୀ ଜିଲ୍ଲା ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଓ ଅରୁପ ପଟ୍ଟନାୟକଙ୍କ ପାଇଁ ଭୋଟ ଭିକ୍ଷା କଲେ ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ ।
ପାଣ୍ଡିଆନ ସତ୍ୟବାଦୀ ମହାବୀର ମନ୍ଦିରଠାରୁ ଶୋଭାଯାତ୍ରାରେ ଆସି ପଞ୍ଚସଖା ପଡ଼ିଆରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ସେଠାରେ ନିଜ ଆଭିଭାଷଣରେ ପାଣ୍ଡିଆନ କହିଛନ୍ତି ଯେ, ଜୁନ 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ ଓ ଶପଥ ଗ୍ରହଣ ପରେ ପ୍ରତିଶ୍ରୁତି ଦେଇଥିବା କାମ କରାଯିବ । ଅନ୍ୟପଟେ ସତ୍ୟବାଦୀରେ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିବା ସହିତ ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଭୋଟ ଦେଇ ନିର୍ବାଚନ କରିବା ପାଇଁ ଅନୁରୋଧ କରିଛନ୍ତି ପାଣ୍ଡିଆନ । ସାଧାରଣ ନିର୍ବାଚନ ଲାଗି ବିଭିନ୍ନ ଦଳ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ଅନ୍ୟଦଳ ଅପେକ୍ଷା ବିଜେଡି ପ୍ରଚାରରେ ସମସ୍ତଙ୍କ ଆଗରେ ରହିଛି । ସତ୍ୟବାଦୀରେ ବିଜେଡିର ଷ୍ଟାର ପ୍ରଚାରକ ଭି.କେ ପାଣ୍ଡିଆନ ରୋଡ ସୋ କରି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିଛନ୍ତି ।
ପାଣ୍ଡିଆନ ପହଞ୍ଚିବା ପରେ ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ସହ ହଜାର ହଜାର ଯୁବକମାନେ ରୋଡ୍ ସୋ କରିଥିଲେ । ସାକ୍ଷୀଗୋପାଳ ବ୍ଲକ ଛକରୁ ବକୁଳବନ ମୁକ୍ତାକାଶ ମଞ୍ଚ ପର୍ଯ୍ୟନ୍ତ ସବୁଆଡେ ଶଙ୍ଖ ନାଦରେ ସତ୍ୟବାଦୀ ଅଞ୍ଚଳ ଫାଟି ପଡୁଥିଲା । ପାଣ୍ଡିଆନଙ୍କୁ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହଙ୍କ ସହିତ ସାକ୍ଷୀଗୋପିନାଥଙ୍କ ସେବାୟତମାନେ ଫୁଲମାଲ ଦେଇ ସ୍ବାଗତ କରିଥିଲେ । ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ବିଜେଡି ସରକାରଙ୍କ ସମୟରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କହିବା ସହ ସତ୍ୟବାଦୀରେ ଯାହା ଅଧା ରହିଯାଇଛି ତାହା ପୂରଣ ପାଇଁ ପ୍ରସ୍ତାବ ରଖିଛନ୍ତି ।
ପାଣ୍ଡିଆନ କହିଥିଲେ, "ଆପଣଙ୍କର ଆଗରେ ଠିଆ ହୋଉଛି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ କରି ଓଡ଼ିଆ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨୫ତାରିଖ ଦିନ ନିଜ ନିଜ ପରିବାଙ୍କୁ ନେଇ ଶଙ୍ଖ ଚିହ୍ନରେ ଭୋଟ ମାରି 6ଷ୍ଠ ଥର ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଲ ଇତିହାସ ସୃଷ୍ଟି କରିବା ସହ ବିରୋଧୀ ଦଳକୁ ଦେଖାଇ ଦେବା ।" ବିଜେଡିର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ସହିତ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟନଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ପାଣ୍ଡିଆନ ।
ଇଟିଭି ଭାରତ, ନିମାପଡ଼ା