ବଲାଙ୍ଗିର: ଜିଲ୍ଲାର ନିର୍ବାଚନୀ ରାଜନୀତି ଏବେ ସବୁଠି ଚର୍ଚ୍ଚାରେ । ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପରେ ଏହା ଉପରେ ସମଗ୍ର ରାଜ୍ୟର ନଜର ରହିଛି । ସେପଟେ ବିଭିନ୍ନ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଘେରିବା ଓ ସଭାସମିତିର ଆଲୋଚନା କରିବା ଜାରି ରଖିଛିନ୍ତି । ଏହିପରି ରାଜନେତାମାନେ ଗୁଣ୍ଡା ଓ ଅସାମାଜିକ ଲୋକଙ୍କ ପୃଷ୍ଠପୋଷକତାରେ ସ୍ଥାନୀୟ ଅଞ୍ଚଳରେ ଅତ୍ୟାଚାର କରୁଥିବାର ଅଭିଯୋଗ ଆଣିଛି ବିଜେଡି । ନିର୍ବାଚନରେ ବିଜୟ ହେବାର 10ଦିନ ଭିତରେ ସବୁ ଗୁଣ୍ଡାଙ୍କୁ ତାଙ୍କ ଉଚିତ ସ୍ଥାନରେ ପହଞ୍ଚାଇବେ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ଏହାକୁ ନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ବିଜେଡିର ଅଭିଯୋଗକୁ ଖଣ୍ଡନ କରିବା ସହ କଂଗ୍ରେସ ବିକାଶର ରାଜନୀତି କରେ ବୋଲି ଦଳ କହିଛି ।
ବଲାଙ୍ଗିରରେ ବିଶେଷ କରି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧା ଲଢେଇ ହେଉଛି । ବିଭିନ୍ନ ପ୍ରସଙ୍ଗରେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି ଉଭୟ ଦଳ । ଏଥିରେ ବିଜେଡି ପାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଗ୍ରେସ ନେତାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ବଲାଙ୍ଗିରରେ କଂଗ୍ରେସ ଦଳ ଗୁଣ୍ଡା ପୋଷିଛି ଏବଂ ଏମାନେ ଅରାଜକତା କରି ଆସୁଛନ୍ତି । ବ୍ୟବସାୟୀଙ୍କୁ ଧମକ ଚମକ ଦେଇ ଅରାଜକତା ମଚାଇ ଆସୁଛନ୍ତି । ସହରରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି କଳିକେଶ । ତେଣୁ ସେ ବିଧାୟକ ହେଲେ ପ୍ରଥମେ ବଲାଙ୍ଗିରକୁ ଅପରାଧ ମୁକ୍ତ କରିବେ । ଦଶ ଦିନ ମଧ୍ୟରେ ସବୁ ଅପରାଧୀଙ୍କୁ ତାଙ୍କ ଉଚିତ ସ୍ଥାନରେ ପହଞ୍ଚାଯିବା ନେଇ କଳିକେଶ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- 4ର୍ଥ ପର୍ଯ୍ୟାୟରେ 67% ମତଦାନ, 96 ଆସନରେ ସରିଲା ଭୋଟିଂ - lok sabha election 2024
ସେପଟେ କଂଗ୍ରେସ ବିଧାୟକ ପ୍ରାର୍ଥୀ କିମ୍ବା ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଓଲଟା କଂଗ୍ରେସ ରାଜ୍ୟ ପ୍ରବକ୍ତା ଅଜିତ ପାଳ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କଂଗ୍ରେସ ହିଂସା କିମ୍ବା ଗୁଣ୍ଡାଗର୍ଦ୍ଦି ନୁହେଁ ସେବା ବିକାଶର କଥା କୁହା ଯାଏ ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ମିଶ୍ର ପରିବାର ଓ ସିଂହଦେଓ ପରିବାର ଏକାଧିକ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିସାରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗିର