ରାଉରକେଲା/ସୁନ୍ଦରଗଡ଼: ନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ ବର୍ତ୍ତମାନ ନାମାଙ୍କନ ଭରିବା ପର୍ବ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ରାଜଗାଙ୍ଗପୁର ସହ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ତେବେ ତାଜ୍ୟର ତିନି ପ୍ରମୁଖ ଦଳ ସମେତ ଅନ୍ୟ ଦଳର ପ୍ରାର୍ଥୀ ନାମାଙ୍କନ ଭରିଥିବା ଦେଖିବାକୁ ମିଳିଥିଲା।
ଆଜି ବଣାଇରୁ ଆମ ଆଦମୀ ପାର୍ଟିର ମହିଳା ପ୍ରାର୍ଥୀନି କୁନି ମୁଣ୍ଡା ତାଙ୍କ ନାମାଙ୍କନ ଭରିଛନ୍ତି। ତେବେ ବଣାଇରେ ଆମ ଆଦମୀ ପାର୍ଟି ଦଳୀୟ କର୍ମୀଙ୍କ ଗହଣରେ ବଣାଇ ଦେଓଗାଁ ସ୍ଥିତ ବାବା ବାଣେଶ୍ୱର ମନ୍ଦିରରେ ବାବାଙ୍କ ଦର୍ଶନ କରି ମନ୍ଦିର ପ୍ରାଙ୍ଗଣରୁ ସମର୍ଥକଙ୍କ ସହ ନାରାବାଜି ଦେଇ ଏକ ଶୋଭାଯାତ୍ରା ବାହାରି ବଣାଇ ମୁଖ୍ୟ ସହର ଦେଇ ବଣାଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ବଣାଇ ଆମ ଆଦମୀ ପାର୍ଟି ଦୀର୍ଘ ୨୫ ବର୍ଷ ଧରି ଶାସନ କରିଥିବା ବିଜେଡି ଏବଂ ତିନିଥର ବିଧାୟକ ଥିବା ଲକ୍ଷ୍ମଣ ମୁଣ୍ଡାଙ୍କ ବିରୁଦ୍ଧରେ ନିର୍ବାଚନ ମଇଦାନରେ ଓହ୍ଲାଇ ପ୍ରତିଦ୍ବନ୍ଦିତା କରୁଛି।ବଣାଇରେ ଆମ ଆଦମୀ ପାର୍ଟି ନିର୍ବାଚନରେ ବିଜୟ ଲାଭ କରିବା ପରେ ଲୋକଙ୍କ ପ୍ରାଥମିକତା ସେବା ଯୋଗାଇବା ସହିତ ପାଣି, ବିଜୁଳି, ରାସ୍ତା, ବେକାରୀ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି କହିଛନ୍ତି କୁନି ମୁଣ୍ଡା।
ଅନ୍ୟପଟେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନୀଲ ବରୁଆ ଏବଂ କଂଗ୍ରେସ ବିଧାୟକ ରାଜନ ଏକ୍କା ଭରିଛନ୍ତି। କଂଗ୍ରେସ ପ୍ରାର୍ଥୀ ରାଜନ ଏକ୍କା ସକାଳୁ ଘୋଘର ମନ୍ଦିରରୁ ପୂଜା କରିବା ପରେ ରାଜଗାଙ୍ଗପୁର ସ୍ଥିତ ମଜାର, ଗୁରୁଦ୍ବାରାରେ ପୂଜାର୍ଚ୍ଚନା କରିଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ଅନୀଲ ବରୁଆ ବାପା ମଙ୍ଗଳା କିଷାନଙ୍କ ଠାରୁ ଆଶୀର୍ବାଦ ନେବା ପରେ ଘୋଘର ମନ୍ଦିରରେ ପୂଜାର୍ଚ୍ଚନା କରି ଦୁହେଁ ନାମାଙ୍କନ ଦାଖଲ କରିଥିଲେ। ଅନୀଲ ବରୁଆ ତାଙ୍କ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ରାଜଗାଙ୍ଗପୁରରେ ହାଇଭୋଲ୍ଟେଜ କ୍ୟାମ୍ପେନ ଦେଖିବାକୁ ମିଳିବ।
ସେହିଭଳି ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସର ଲୋକସଭା ପ୍ରାର୍ଥୀ ଜନାର୍ଦନ ଦେହୁରୀ। ସୁନ୍ଦରଗଡ଼ ଠାରେ ବିଶାଳ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜନ ନିଜର ନାମାଙ୍କନ ଦାଖଲ କରିଥିଲେ। ଆଜି ରାଜନ ଏକ୍କା ସମର୍ଥକଙ୍କ ସହ ବିଶାଳ ରାଲି କରି ନାମାଙ୍କନ ଦାଖଲ କରିଛନ୍ତି । ଜନାର୍ଦନ ଦେହୁରୀ ଏଥର ସୁନ୍ଦରଗଡ଼ ଲୋକସଭା ଆସନରେ ବିଜୟୀ ହେବା ସହିତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସୁନ୍ଦରଗଡ଼ବାସୀଙ୍କ ପ୍ରତି କରିଥିବା ଅବହେଳାର ଉତ୍ତର ରଖିବ ବୋଲି କହିଛନ୍ତି।
ଇଟିଭି ଭାରତ, ରାଉରକେଲା