ନିଆଳି: ବିଭିନ୍ନ ପଞ୍ଚାୟତରେ ସାଧାରଣ ଲୋକଙ୍କୁ ମିଳୁଥିବା ରାଜ୍ୟ ସରକାରଙ୍କ ମାଗଣା ବ୍ୟାଗ ଗୁଡ଼ିକରେ ବିଜେଡିର ଦଳୀୟ ଚିହ୍ନ ଥିବାକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳୁଛି । ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ବ୍ୟାଗ ପୋଡ଼ି ପ୍ରତିବାଦ କରାଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ସେହିଭଳି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାର ୨୪ ଘଣ୍ଟା ନପୂରୁଣୁ କଟକ ଜିଲ୍ଲା ନିଆଳି ବ୍ଲକ ଜଲ୍ଲାରପୁର ପଞ୍ଚାୟତରେ ରାଜ୍ୟ ସରକାରଙ୍କ ମାଗଣା ବ୍ୟାଗକୁ ପୋଡ଼ିବା ସହିତ ଏଭଳି ହୀନ ରାଜନୀତିକୁ ବିରୋଧ କରିଛନ୍ତି ବିଜେପି କର୍ମୀ ଓ ସାଧାରଣ ଜନତା ।
ସୋମବାର ଅପରାହ୍ନ ସମୟରେ କଟକ ଜିଲ୍ଲା ଓଲଟପୁର ନିକଟସ୍ଥ ଆରୋଗ୍ୟ ଭବନ ସୋଲାର ପ୍ୟାନେଲ ଲାଇଟକୁ ଉଦଘାଟନ ଅବସରରେ ଆସିଥିବା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ୍ କରିବା ସହିତ ଓଡିଶା ଲୋକଙ୍କୁ ଭୂଆଁ ବୁଲାଉଛି ବିଜେଡି ବୋଲି ଆକ୍ଷେପ କରିଥିଲେ । ତା' ସହିତ କେନ୍ଦ୍ର ସରକାର ମାଗଣାରେ ଚାଉଳ ଯୋଗାଉଥିବା ବେଳେ ରାଜ୍ୟ ସରକାର ଖାଲି ବ୍ୟାଗ ଦେଇ ନାଁ ନେଉଛି ବୋଲି କହିଥିଲେ । ଆଉ ଦିନକ ପରେ ନିଆଳି ବ୍ଲକ ଜଲ୍ଲାରପୁର ପଞ୍ଚାୟତରେ ମାଗଣା ବ୍ୟାଗକୁ ବିରୋଧ ସହିତ ବ୍ୟାଗରେ ନିଆଁ ଲଗାଇଛନ୍ତି ବିଜେପି କର୍ମୀ ଓ ସାଧାରଣ ଲୋକେ । ଏଥିରେ ପଞ୍ଚାୟତର ସାଧାରଣ ଖାଉଟି ଏବଂ ରାଜ୍ୟ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଭଦ୍ରକରେ ନବୀନ ଓଡ଼ିଶା ବ୍ୟାଗକୁ ଜୋରଦାର ବିରୋଧ
ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି, "ନିର୍ବାଚନ ସମୟରେ ବିଜେଡି ଦଳ ନୂଆ ନୂଆ ନାଟକ ରଚନା କରନ୍ତି ଆଉ ଲୋଭନୀୟ ଯୋଜନା ଦେବାରେ ବିଜେଡି ସରକାର ମାହିର । ମୋଦି ସରକାର ମାଗଣାରେ ଚାଉଳ ଯୋଗାଇବା ପାଇଁ ଘୋଷଣା କରିବା ପରେ ବିଜେଡି ସରକାରର ନିଦ ହଜିଯାଇଥିଲା । ରାସନ କାର୍ଡଧାରୀଙ୍କ ଠାରୁ କିଭଳି ଭୋଟ ହାତେଇ ହେବ, ଏଥିପାଇଁ ଲାଗି ପଡ଼ିଛନ୍ତି । ୧୩୦୦ କୋଟି ଟଙ୍କା ବିନିମୟରେ ଗୋଟିଏ ଶଙ୍ଖ ଚିହ୍ନ ଏବଂ 5T ଚିହ୍ନ ଥିବା ଦୁଇଟି ଲେଖାଏଁ ବ୍ୟାଗ ରାସନ କାର୍ଡଧାରୀଙ୍କୁ ଦେଇଛନ୍ତି ।" ଏହି ଦୁଇଟି ମାଗଣା ବ୍ୟାଗ ସାଧାରଣ ଲୋକଙ୍କ ଗୁଜୁରାଣ ମେଣ୍ଟିଯିବ କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ପ୍ରବକ୍ତା । ଏହି ଖାଲି ବ୍ୟାଗ ରାଜନୀତି ଚଳିବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ନିଆଳି