ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ବଡ଼ସାହି ବିଧାନସଭା ଆସନ । ତେବେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଏଠାକାର ରାଜନୀତି ଉଷ୍ମତା ବୃଦ୍ଧି ହେବାରେ ଲାଗିଛି । ଗତକାଲି ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ଅଞ୍ଚଳରେ ଥିବା ମୟୂର କେମିକାଲ ପଡିଆରେ ବିଜେଡ଼ିର ଆଶୀର୍ବାଦ ଭିକ୍ଷା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ଦଳର ଲୋକସଭା ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାର ଓ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଅନସୂୟା ପାତ୍ର ଏକାଠି ପ୍ରଚାର କରିଛନ୍ତି । ଏଥିସହିତ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ସିନେମା ଜଗତର ଦୁଇସିନେ ତାରକା ଦେବାଶିଷ ଓ ଅର୍ପିତା ଯୋଗ ଦେଇ ପ୍ରଚାର ମଇଦାନକୁ ସରଗରମ କରିଥିଲେ ।
ଚଳିତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ବ ଦେଇ ଟିକଟ ପ୍ରଦାନ ଯାଇଥିବାରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଭୟ ପ୍ରାର୍ଥିନୀ । ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆଜି ମହିଳାମାନେ ସ୍ବାବଲମ୍ବୀ ହୋଇଥିବାରୁ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ଉଭୟ ଲେଖାଶ୍ରୀ ଓ ଅନସୂୟା । ନବୀନଙ୍କ ପ୍ରତି ଭଲପାଇବା ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମଧ୍ୟରେ ରହିଛି । ତେଣୁ ଚଳିତ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଉଭୟ ବିଧାୟକ ଓ ସାଂସଦ ପାଇଁ ଯୋଡିଶଙ୍ଖରେ ଭୋଟ ଦେବେ ବୋଲି ଉଭୟ ପ୍ରାର୍ଥିନୀ ଆଶାବ୍ୟକ୍ତ କରିଛନ୍ତି । ଜନ ସାଧାରଣଙ୍କୁ ବିଜେଡିକୁ ବହୁମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଉଭୟ ଉପସ୍ଥିତ ଜନତାଙ୍କୁ ନିବେଦନ ମଧ୍ୟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ସ୍ପଷ୍ଟ କଲା ଆମେରିକା ପୋଲିସ, ଗୁଳିକାଣ୍ଡରେ ମରିନାହିଁ ଗୋଲ୍ଡି ବରାର - Goldy Brar
ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଙ୍କ ସମେତ ବହୁ ବ୍ଲକସ୍ତରୀୟ ଦଳୀୟ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ବାଲେଶ୍ଵର ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ବିଧାୟିକା ପ୍ରାର୍ଥୀନୀ ଅନୁଶୟା ପାତ୍ରଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ଉଭୟ ପ୍ରାର୍ଥିନୀ ବିଜେପି ସରକାର ଉପରେ ବର୍ଷିବା ସହିତ ‘ମୋଦି ଗ୍ୟାରେଣ୍ଟି’ ନାମରେ ଜନତାଙ୍କୁ ବିଜେପି ମିଛ ପ୍ରତିଶ୍ରୁତି ଦେଇଥିବା ମତବ୍ୟକ୍ତ କରିଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର