ଭବାନୀପାଟଣା: ଦିନକୁ ଦିନ ବଢ଼ିବାକୁ ଲାଗିଛି ବିଜେପିର କନ୍ଦଳ । ଦଳ ଛାଡୁଛନ୍ତି ପୁରୁଖା ନେତା । ଦଳ ଭିତରେ ଘୋଷଣା ହୋଇଥିବା ପ୍ରାର୍ଥୀ ନାଁକୁ ନେଇ ବିରୋଧ ବଢ଼ିବାରେ ଲାଗିଛି । ଅସନ୍ତୋଷ ଗୋଷ୍ଠୀ ଏବେ ଦଳରୁ ମୁଁହ ଫେରାଇ ନେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ମଧ୍ୟରେ କଳାହାଣ୍ଡି ଜିଲ୍ଲା ବିଜେପି ଛାଡିଛନ୍ତି ୮ ଜଣ ପୁରୁଖା ନେତା । ଆଜି ପୁଣି କଳାହାଣ୍ଡି ଜିଲ୍ଲା ବିଜେପି ଛାଡିଛନ୍ତି ୬ ଜଣ ପୁରୁଖା ବିଜେପି କର୍ମୀ । ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଆଶାୟୀ ପ୍ରାର୍ଥୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଓ ବିଜେପି ଓବିସି ମୋର୍ଚ୍ଚା ସଭାପତି ଆଜି ବିଜେପିରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟା ସରୋଜ ମାଝୀଙ୍କ ସମେତ ୫ ଜଣ ସଦସ୍ୟ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।
ଆଜି କଳାହାଣ୍ଡି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ ନାଏକ ବିଜେପିରୁ ଇସ୍ତଫା ଦେଇଛନ୍ତି । ପ୍ରଦୀପ ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିରୁ ଟିକେଟ ଆଶାୟୀ ଥିଲେ । ହେଲେ ଦଳ ତାଙ୍କ ବଦଳରେ ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ଭାବରେ ଅନିରୁଦ୍ଧ ପ୍ରଧାନଙ୍କ ନାଁ ଘୋଷଣା କରିଛି । ଯାହାକୁ ନେଇ ଦଳ ମଧ୍ୟରେ ବିରୋଧାଭାସ ବୃଦ୍ଧି ପାଇଛି । ତେବେ ବିଜେପି ତାଙ୍କୁ ଉପେକ୍ଷିତ କରିଥିବା ଅଭିଯୋଗ କରି ଆଜି ଦଳ ଛାଡିଛନ୍ତି ପ୍ରଦୀପ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ପ୍ରଦୀପ ନାଏକ ।
ସେପଟେ ଧର୍ମଗଡରେ ମଧ୍ୟ ଜଣେ ପୂର୍ବତନ ଜିଲ୍ଲା ପରିଷଦ ଦଳରୁ ମୁଁହ ଫେରାଇ ନେଇଛନ୍ତି । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ହେମାଙ୍ଗିନୀ ହଂସ ଭାରତୀୟ ଜନତା ପାର୍ଟୀର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ସେ ଧର୍ମଗଡ ରାୟଲ ପେଲେସ ହୋଟେଲର କନ୍ଫରେନ୍ସ ହଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖିଛନ୍ତି । ବିଜେପି ଦଳ ପକ୍ଷରୁ ପଛୁଆ ବର୍ଗକୁ ସବୁବେଳେ ଅଣଦେଖା କରୁଥିବା ବେଳେ ପଛୁଆ ବର୍ଗର ମହିଳା ଭାବେ ସେ ଦୀର୍ଘ ବର୍ଷ ହେବ ଦଳରେ ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିଲେ । ହେଲେ ଦଳ ପକ୍ଷରୁ ସବୁ ସମୟରେ ତାଙ୍କୁ ଅଣଦେଖା କରାଯାଇଛି ବୋଳି ଅଭିଯୋଗ କରିବା ସହ ପଛୁଆ ବର୍ଗର ମହିଳାଙ୍କୁ ଦଳ ପ୍ରାଧାନ୍ୟ ଦେଉ ନଥିବା କାରଣରୁ ସେ ଦଳ ଛାଡିଛନ୍ତି ବୋଲି କହିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି