ନିଆଳି: ନିର୍ବାଚନ ଯେତେ ପାଖାଉଛି ଆଶାୟୀ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ ସେତିକି ବଢୁଛି । ଦଳର ହାଇକମାଣ୍ଡ ଓ ନେତାଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ବୈଠକ, କର୍ମୀ ସମ୍ମିଳନୀ ଏବଂ ରୋଡ ସୋ ମାଧ୍ୟମରେ ନିଜର ପତିଆରା ବୃଦ୍ଧି ସହିତ ସମର୍ଥକଙ୍କ ସମର୍ଥନ ଗୋଟାଇବାରେ ଲାଗିଛନ୍ତି ଆଶାୟୀ । ଆଜି ବିଜେଡି ଟିକେଟ ରେସରେ ଥିବା ଇଂ ପ୍ରସନ୍ନ କୁମାର ମଲ୍ଲିକ ଏବଂ ତାଙ୍କ ସମର୍ଥକ ମାନେ ବିଶାଳ ଜନ ସମର୍ଥନ ପଦଯାତ୍ରା ସାଙ୍ଗକୁ ନିଆଳିରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ୨୦୨୪ ନିର୍ବାଚନ ପାଇଁ ନାଲକୋରେ କାର୍ଯ୍ୟରତ ଇଂ ପ୍ରସନ୍ନ ମଲ୍ଲିକ ବିଜେଡି ଟିକେଟ ରେସରେ ଦାବିଦାର ଅଛନ୍ତି । ଗତ ତିନି ବର୍ଷ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକର ବିଭିନ୍ନ ଗାଁ ଗହଳିରେ ବୈଠକ, କର୍ମୀ ସମ୍ମିଳନୀ ଏବଂ ସଭାସମିତି କରିଛନ୍ତି । ଆଜି ଏକ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ବିଜେଡି ଦଳ ଏବଂ ନିଆଳି ନିର୍ବାଚନ ମଣ୍ଡଳୀରେ ଦବଦବା ସୃଷ୍ଟି କରିଛନ୍ତି ପ୍ରସନ୍ନ । ବର୍ତ୍ତମାନ ନିଆଳି ପାଇଁ ବିଜେଡି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ପ୍ରତିନିଧିତ୍ବ କରୁଥିବା ବେଳେ ପ୍ରସନ୍ନ ମଲ୍ଲିକ ଆର୍ବିଭାବ ଯୋଗୁଁ ବିଜେଡିରେ ଦ୍ବନ୍ଦମୟ ପରିସ୍ଥିତି ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢନ୍ତୁ... ରାଜ୍ୟ ବିଜେପିର ରହସ୍ୟଜନକ ନୀରବତା ପଛର କାରଣ କଣ ?
ଆଜି ପ୍ରସନ୍ନ ମଲ୍ଲିକ ଓ ତାଙ୍କ ସମର୍ଥକ ପକ୍ଷରୁ ପଞ୍ଚବଟି ଠାରୁ ଏକ ବାଇକ ରାଲି ବାହାରି କଣ୍ଟାପଡ଼ା, ଅଡଶପୁର ଦେଇ ନିଆଳି ପହଞ୍ଚିଥିଲେ । ସମର୍ଥକଙ୍କ ହାତରେ ପ୍ରସନ୍ନ ମଲ୍ଲିକଙ୍କ ପୋଷ୍ଟର ବ୍ୟାନର ସହିତ ନବୀନ ପଟ୍ଟନାୟକ ଜିନ୍ଦା ବାଦ, ନିଆଳି ପାଇଁ ଏଥର ପ୍ରସନ୍ନ ମଲ୍ଲିକ ଆମର ନେତା ବୋଲି ସ୍ଲୋଗାନ ଦେଇଥିଲେ ସମର୍ଥକ । ତେବେ ଯଦି ଦଳର ସୁପ୍ରିମୋ ପ୍ରସନ୍ନଙ୍କୁ ନିଆଳିରୁ ଲଢିବା ପାଇଁ ସୁଯୋଗ ଦେବେ, ତେବେ ଏଥିପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି ଆଶାୟୀ ପ୍ରାର୍ଥୀ ଇଂ ପ୍ରସନ୍ନ କୁମାର ମଲ୍ଲିକ । ହଜାର ହଜାର ପୁରୁଷ ଓ ମହିଳା ସମର୍ଥକ ପ୍ରସନ୍ନଙ୍କ ସହିତ ନିଆଳିରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ ପଦଯାତ୍ରାରେ ସାମିଲ ହେବା ସହିତ 'ଏଥର ନିଆଳି ପାଇଁ ବିଜେଡି ଦଳରୁ ପ୍ରସନ୍ନ କୁମାର ମଲ୍ଲିକ ଆମର ନେତା' ବୋଲି ସ୍ଲୋଗାନ ଦେଇଥିଲେ ।
କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ । ଏଠାରେ ବିଜେଡି, କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିଲା । କଂଗ୍ରେସ ଦଳ ତୃତୀୟ ସ୍ଥାନରେ ଥିଲା । ସେହିପରି ଲୋକପ୍ରିୟତା ହରାଇଥିବା ପ୍ରମୋଦଙ୍କ ଭବିଷ୍ୟତ କ'ଣ ହେବ ତାହା ଦଳ ସୁପ୍ରିମୋ ନିର୍ଣ୍ଣୟ ନେବେ । ତେବେ ବିଜେଡି ଦଳରୁ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ କିଏ ନିଆଳି ପାଇଁ ବିଜେଡି ମଙ୍ଗ ଧରିବେ, ଏବେଠୁ ଆକଳନ କରିବା ମୁସ୍କିଲ ।
ଇଟିଭି ଭାରତ, ନିଆଳି