ଭୁବନେଶ୍ବର: ଅନୁଗୋଳ ଜିଲ୍ଲାର ପୂର୍ବତନ କଂଗ୍ରେସ ସଭାପତି ତଥା ୨୦୧୯ ଅନୁଗୁଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବୀପ୍ଲବ ଜେନା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସେ କିଛିଦିନ ତଳେ ପ୍ରଥମେ ଜିଲ୍ଲା କଂଗ୍ରେସ ପଦରୁ ଇସ୍ତଫା ଦେଇଥିଲେ ଓ ପରେ ପରେ ଦଳର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡ଼ିଥିଲେ । ବୀପ୍ଳବ ଓ ତାଙ୍କର ଶତାଧିକ ସମର୍ଥକ ଶଙ୍ଖ ଭବନରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବୀପ୍ଳବଙ୍କୁ ଉତ୍ତରୀୟ ଦେଇ ଉଭୟ ନେତା ଦଳକୁ ସ୍ବାଗତ କରିଛନ୍ତି ।
ବୀପ୍ଳବଙ୍କ ଯୋଗଦାନ ଫଳରେ ଅନୁଗୋଳ ଜିଲ୍ଲାରେ ବିଜେଡି ଆହୁରି ମଜଭୁତ ହେବ ବୋଲି ଏହି ମିଶ୍ରଣ ପର୍ବରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଏହାସହ ସମସ୍ତେ ଏକତ୍ରିତ ହୋଇ ଆଗାମୀ ଦିନରେ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି । ବିଜେଡିରେ ସାମିଲ ହେବା ପରେ ବିପ୍ଲବ କହିଛନ୍ତି, "ଯେଉଁମାନେ ଆଜି ମୋ ସହ ବିଜେଡିରେ ଯୋଗ ଦେଉଛନ୍ତି, ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନୀତି, ଆଦର୍ଶ ଓ ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛି । ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସିନାହିଁ । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଉଛି ।"
ଏହା ମଧ୍ୟ ପଢ଼ନ୍ତୁ...ବିଜେଡିରେ ସାମିଲ ହେଲେ ଯୁବ ଡାକ୍ତର ଅବିନାଶ ସାମଲ
ସେପଟେ ମିଶ୍ରଣ ପର୍ବରେ ସମସ୍ତଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ନିରବଛିନ୍ନ ଭାବେ ଓଡ଼ିଶାକୁ ଗଢି ତୋଳିବାର ପ୍ରୟାସ, ମହିଳା ସଶକ୍ତିକରଣ, ଖାଦ୍ୟ ନିରାପତ୍ତା, ଛାତ୍ର, ଚାଷୀଙ୍କୁ ବିକାଶ ପରି ସବୁ କ୍ଷେତ୍ରରେ ଭାରତବର୍ଷ ପାଇଁ ଦିଗଦର୍ଶନ ପାଲଟିଛନ୍ତି । ତେଣୁ ୨୪ ବର୍ଷ ହେଲା ନିଜ କାର୍ଯ୍ୟକ୍ରମ ପାଇଁ ସେ ଏକ ନମ୍ବର ହୋଇ ରହିଛନ୍ତି । ବୀପ୍ଳବ ଜଣେ ଶ୍ରମିକ ନେତା । ବିଜେଡିରେ ମିଶିଲେ ଦଳ ଆହୁରି ଶକ୍ତିଶାଳୀ ହେବ ।" ଏକ ସମନ୍ବୟ କମିଟି କରି ବୀପ୍ଳବଙ୍କ ସହ ମିଶି କାମ କରିବାକୁ ଅନୁଗୁଳ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ କହିଛନ୍ତି, "ବୀପ୍ଳବ ଜଣେ ଲଢୁଆ ନେତା । ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ବିକାଶ ଯାତ୍ରାରେ ଅନୁପ୍ରାଣିତ ହୋଇ ସେ ଆଜି ବିଜେଡିରେ ମିଶିଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର