ଭୁବନେଶ୍ବର: କେଜ୍ରିୱାଲଙ୍କ ଗିରଫ ନେଇ ତେଜିଲା ରାଜନୀତି । ଗତକାଲି (ଗୁରୁବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାତି ଅଧିଆ ଇଡି ଗିରଫ କରିଛି। ଦୀର୍ଘଦିନ ଧରି ଅରବିନ୍ଦଙ୍କୁ କୋର୍ଟ ହାଜର ହେବା ପାଇଁ ନିର୍ଦ୍ଦେଶ ଥିଲା, ହେଲେ ସେ ନିଜେ ନଯାଇ ତାଙ୍କ ଓକିଲଙ୍କୁ ପକ୍ଷ ରଖିବାକୁ ପଠାଉଥିଲେ । କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ କେଜ୍ରିୱାଲଙ୍କ ଗିରଫର ପ୍ରଭାବ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି ।
ଏନେଇ ଆପର କହିବା କଥା, "ନିର୍ବାଚନୀ ବଣ୍ଡ୍ କଥା ସାମ୍ନାକୁ ଆସିବା ପରେ ନରେନ୍ଦ୍ର ମୋଦି ଘାବରେଇ ଯାଇଛନ୍ତି । କାରଣ ED, CBI ରେଡ୍ କରିବା ପରେ ପରେ ବିଭିନ୍ନ ସଂସ୍ଥାଠାରୁ ବିଜେପି ନିର୍ବାଚନୀ ଚାନ୍ଦା ପାଇଥିବା ସ୍ପଷ୍ଟ ହୋଇଛି । ଏଣୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ନିର୍ବାଚନୀ ବଣ୍ଡ ଉପରୁ ଧ୍ୟାନ ହଟାଇବାକୁ ଚାହୁଁଛି ବିଜେପି । ସାଧାରଣ ଜନତା ସବୁ ଦେଖୁଛନ୍ତି, ଉଚିତ୍ ଜବାବ ଦେବେ । ଏବେ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସରକାର ଜେଲ ଭିତରୁ ଚାଲିବ । ଅରବିନ୍ଦ କେଜରିୱାଲ ଜଣେ ବ୍ୟକ୍ତି ନୁହେଁ, ଏକ ବିଚାର। କେଜ୍ରିୱାଲଙ୍କୁ ଜେଲରେ ପୁରାଇବା ପରେ ଏବେ ଲକ୍ଷ ଲକ୍ଷ କେଜରିୱାଲ ରାସ୍ତା ଉପରେ ବୁଲିବେ । ତାଙ୍କୁ ତୁମେ ବନ୍ଦ କରିପାରିବନି । ଅରବିନ୍ଦ କେଜ୍ରିୱାଲ ବାହାରେ ଥିଲେ ମୋଦି ପାଇଁ ଯେତେ ଭୟଙ୍କର ହୋଇଥାନ୍ତେ, ଜେଲ ଭିତରେ ତାହାଠୁ ଅଧିକ ଭୟଙ୍କର ହେବେ । ନରେନ୍ଦ୍ର ମୋଦି ସରକାର ମସ୍ତବଡ ଭୁଲ କରିଛନ୍ତି, ନିଶ୍ଚୟ ପସ୍ତେଇବେ ।"
ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ରାତି ଅଧିଆ ଗିରଫରେ କୌଣସି ଅସୁବିଧା ହୋଇନାହିଁ ବୋଲି କହିଛି ରାଜ୍ୟ ବିଜେପି। ଆଇନରେ ଯାହା ପ୍ରାବଧାନ ଅଛି ତାହା ହେଲା। ବିଜେପି ପ୍ରବକ୍ତା ସତ୍ୟବ୍ରତ ପଣ୍ଡା କହିଛନ୍ତି, "ଯେଉଁ ଆଦର୍ଶର କଥା କହି ସାମ୍ନାକୁ ଆସିଲେ ହେଲେ ଆଜି ଦୁର୍ନୀତିଗ୍ରସ୍ତ। ଭିତ୍ତି ହିନ ଅଭିଯୋଗ ଆଣି କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ କ୍ଷମା ପ୍ରାର୍ଥନା କରିଛନ୍ତି। AAP ଅଭିଯୋଗ କରିଛି ED ଚଢ଼ାଉ ଅଗଣତାନ୍ତ୍ରିକ। ଯେଉଁ ଲୋକ ଅତୀତରେ ଦୁର୍ନୀତି ପାଇଁ ଗିରଫ ଦାବି କରୁଥିଲେ। ଆଜି ନିଜେ ଦୁର୍ନୀତିରେ ଛନ୍ଦି ହେଇଛନ୍ତି। ତଦନ୍ତକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି କେଜ୍ରିୱାଲ ? ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଭରସା ନାହଁ। ଜେଲ ଭିତରୁ ଶାସନ କରିବେ ବୋଲି ଆପ୍ କହିଛି। ଜନସାଧାରଣଙ୍କ ଗଣତନ୍ତ୍ର ଉପରୁ ଆସ୍ଥା ତୁଟିଯିବ। ଦୁର୍ନୀତିର କିଙ୍ଗ ପିନ୍ କେଜ୍ରିୱାଲ ।"
ଇଟିଭି ଭାରତ, ଭୁବନେଶ୍ବର