ଭୁବନେଶ୍ବର: ୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଏଆଇସିସି ପକ୍ଷରୁ ଆଜି ଏହି ତାଲିକା ପ୍ରକାଶ ପାଇଛି । ସମ୍ବଲପୁର ଲୋକସଭା ଆସନ ପାଇଁ ଦୁଲାଲ ଚନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । କେନ୍ଦୁଝର ଲୋକସଭା ଆସନ ପାଇଁ ବିନୋଦ ବିହାରୀ ନାୟକ ଓ ଆସ୍କାରେ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅମିତା ବିଶ୍ବାଳ, ବଡ଼ସାହିରୁ କ୍ଷିରୋଦ ଚନ୍ଦ୍ର ପାତ୍ର, ସୁକିନ୍ଦାରୁ ବିଭୁ ଭୂଷଣ ରାଉତ, କଣ୍ଟାମାଳରୁ ଶରତ କୁମାର ପ୍ରଧାନ,କେନ୍ଦ୍ରାପଡ଼ାରୁ ସିପ୍ରା ମଲ୍ଲିକ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡାରୁ ଲୋକନାଥ ମହାରଥୀ, ନିମାପଡାରୁ ସିଦ୍ଧାର୍ଥ ରାଉତରାୟ ପ୍ରାର୍ଥୀ ହୋଇଛନ୍ତି । ସେହିପରି ପିପିଲିରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ, ଚିଲିକାରୁ ପ୍ରଦୀପ କୁମାର ସ୍ବାଇଁ ଖଣ୍ଡପଡ଼ାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଞ୍ଜୟ କୁମାର ମଣ୍ଡଳ, ସ୍ୟାମ ସୁନ୍ଦର ସାହୁ ।

ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ, ଦଳର ଯୁବ ଚେହେରା ଲୋକନାଥ ମହାରଥୀ, ମୁଖପାତ୍ର ସୋନାଲି ସାହୁ, ବିଜେଡି ଛାଡି ଦଳରେ ମିଶିଥିବା ସିପ୍ରା ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି । ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଦୁଲାଲ ଚନ୍ଦ୍ର ପ୍ରଧାନ । ସମ୍ବଲପୁରରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟକ୍କର ଦେବାକୁ ଦଳ ଦୁଲାଲଙ୍କୁ ପ୍ରାର୍ଥୀ କରିଛି । ସେହିପରି ଆସ୍କାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଦେବକାନ୍ତ ଶର୍ମା । ଦଳ କେନ୍ଦୁଝର ପ୍ରାର୍ଥୀ ପରିବର୍ତ୍ତନ କରିଛି । ନୂଆ ପ୍ରାର୍ଥୀ ହୋଇଛନ୍ତି ବିନୋଦ ବିହାରୀ ନାୟକ । ପୂର୍ବରୁ ଦଳ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଥିଲା ।

ସେହିପରି 16 ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେଇଛି । ଝାରସୁଗୁଡାରୁ କଂଗ୍ରେସ ଅମିତା ବିଶ୍ୱାଳଙ୍କୁ ଭରସା କରିଛି । ଅମିତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସାନ ଝିଅ । ନିକଟରେ ସେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ବିଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଛି କଂଗ୍ରେସରୁ ବହିଷ୍କୃତ ସୁରେଶ ରାଉତରାୟଙ୍କ ପରିବାର । କଂଗ୍ରେସ ଘୋଷଣା କରିଥିବା ଟିକେଟ ତାଲିକାରେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଅଛନ୍ତି । ଦଳ ସିଦ୍ଧାର୍ଥଙ୍କୁ ନିମାପଡା ଆସନରୁ ଟିକେଟ ଦେଇଛି । ବିଜେଡି ଓ ବିଜେପି ପୂର୍ବରୁ ଏହି ଆସନ ପାଇଁ ଟିକେଟ ଘୋଷଣା କରିଥିବା ବେଳେ ଆଜି କଂଗ୍ରେସ ସିଦ୍ଧାର୍ଥଙ୍କୁ ମଇଦାନକୁ ଓହ୍ଲାଇଛି । ଗତ କିଛି ମାସ ହେବ ସିଦ୍ଧାର୍ଥ ଅଞ୍ଚଳରେ ବୁଲିବା ସହ ସଂଗଠନ କରୁଥିଲେ । ମାମୁଁ ଘର ଏଠାରୁ ହୋଇଥିବାବେଳେ ସେ ଟିକେଟ ଦାବି ମଧ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ସେ ଜଟଣୀରୁ ଟିକେଟ ଆଶାୟୀ ହେଲେ । ଅନେକ ବାଦ ବିବାଦ ପରେ ଦଳ ଆଜି ତାଙ୍କୁ ନିମାପଡାରୁ ଟିକେଟ ଦେଇଛି ।
କଂଗ୍ରେସର ଯୁବ ଚେହେରା ହେଉଛନ୍ତି ଲୋକନାଥ ମହାରଥୀ । ସେ ଯୁବ କଂଗ୍ରେସ ସଭାପତି ଥିଲେ । ନିକଟରେ କେନ୍ଦ୍ରାପଡା ଜିଲ୍ଲା ସଭାପତି ଥିବା ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ଲୋକନାଥ ଏବେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି । ଦଳ ତାଙ୍କୁ ମହାକାଳପଡ଼ା ଆସନରୁ ଟିକେଟ ଦେଇଛି । ଦଳର ମୁଖପାତ୍ର ସୋନାଲି ସାହୁଙ୍କୁ ଦଳ ଭରସା କରି ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ପାଇଁ ଟିକେଟ ଦେଇଛି । କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ସୋନାଲି ବିଜେପିରେ ସାମିଲ ହୋଇଥିଲେ । ନିକଟରେ ସେ ବିଜେପି ଛାଡି ସୋନାଲି କଂଗ୍ରେସ ବାହୁଡ଼ିଛନ୍ତି । ସେହିପରି ଦଳ କେନ୍ଦ୍ରାପଡାରେ ସିପ୍ରା ମଲ୍ଲିକଙ୍କୁ ଭରସା କରିଛି । ସିପ୍ରା ହେଉଛନ୍ତି ବିଜେଡି ଟିକେଟରେ କେନ୍ଦ୍ରାପଡାରୁ ଥରେ ବିଧାୟକ ହୋଇଛନ୍ତି । ନିକଟରେ ସେ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇ ଟିକେଟ ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି କେନ୍ଦ୍ରାପଡାରେ ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିଛି । ଗଣେଶ୍ୱର ନିକଟରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।
ଆଜି ଘୋଷଣା ହୋଇଥିବା 16 ଆସନରୁ 3 ଟି ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ବଦଳାଇଛି । ସେଗୁଡିକ ହେଉଛି କଣ୍ଟାମାଳ, ଜୟଦେବ ଓ କବିସୂର୍ଯ୍ୟନଗର । କଣ୍ଟାମାଳରେ ଦଳ ଶରତ କୁମାର ପ୍ରଧାନଙ୍କୁ ଟିକେଟ ଦେଇଛି । ପୂର୍ବରୁ ଏହି ଆସନରେ ଦଳ ମନୋଜ କୁମାର ଆଚାର୍ଯ୍ୟଙ୍କୁ ଟିକେଟ ଦେଇଥିଲା । ସେହିପରି ଜୟଦେବ ଆସନରେ ଦଳ କୃଷ୍ଣ ସାଗରିଆଙ୍କୁ ମଇଦାନକୁ ଓହ୍ଲାଇଥିଲେ । ଜୟଦେବ ଆସନରେ ଦଳ ଜୟନ୍ତ କୁମାର ଭୋଇଙ୍କୁ ଟିକେଟ ଦେଇଥିଲା । ସେହିପରି ବଦଳିଛନ୍ତି କବିସୂର୍ଯ୍ୟନଗରର କଂଗ୍ରେସ ପ୍ରାର୍ଥୀ ବିପିନ ବିହାରୀ ସ୍ବାଇଁ । ଏବେ ନୂଆ ପ୍ରାର୍ଥୀ ହୋଇଛନ୍ତି ସଞ୍ଜୟ କୁମାର ମଣ୍ଡଳ ।
ଇଟିଭି ଭାରତ, ଭୁବନେଶ୍ବର