ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ସେପଟେ ବିଜେପି 21ଟି ଯାକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଧାନସଭା ଆସନ ପାଇଁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ସେହିପରି ବିଜେଡି 72ଟି ବିଧାନସଭା ସହ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଘୋଣା କରିନାହିଁ । ତେବେ ସମସ୍ତଙ୍କ ନଜର କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ଥିବା ବେଳେ ଆଜି କିମ୍ବା ଆସନ୍ତାକାଲି (ମଙ୍ଗଳବାର) ଦଳ ପ୍ରାର୍ଥୀ ଘୋଷଣା କରିବା ନେଇ କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
2024 ସାଧାରଣ ନିର୍ବାଚନରେ ଇସ୍ତାହାର ଘୋଷଣା କରି ଗୋଟିଏ ପାଦ ଆଗରେ ଥିବା ରାଜ୍ୟ କଂଗ୍ରେସ ଏ ପର୍ଯ୍ୟନ୍ତ ଗୋଟିଏ ବି ପ୍ରାର୍ଥୀ ତାଲିକା ଘୋଷଣା କରି ନାହିଁ । ତେବେ ଆସନ୍ତାକାଲି କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏନେଇ ସୂଚନା ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତିି, "ଦିଲ୍ଲୀରେ ଗତକାଲି ସିଇସି ବୈଠକ ବସିଥିଲା । ସେଠାରେ ସମସ୍ତ ଆଲୋଚନା ସମ୍ପୂର୍ଣ୍ଣ ଭାବେ ସରିଛି । ପ୍ରାର୍ଥୀ ତାଲିକା ଆପାତତଃ ସମ୍ପୂର୍ଣ ହୋଇସାରିଛି । କେବଳ ଘୋଷଣାକୁ ଅପେକ୍ଷା । ଆଜି କିମ୍ବା ଆସନ୍ତାକାଲି ଦଳ ପ୍ରାର୍ଥୀ ଘୋଷଣା କରିବ । ବିଜେଡି ଓ ବିଜେପିର କିଛି ନେତା କଂଗ୍ରେସ ଦଳରେ ମିଶିବା ପାଇଁ କଥା ବାର୍ତ୍ତା କରିଛନ୍ତି । ଖୁବଶୀଘ୍ର କିଛି ନେତା କଂଗ୍ରେସ ଦଳରେ ମିଶିବେ । ଏହା ପରେ କଂଗ୍ରେସ ପ୍ରଚାରକୁ ଜୋରଦାର କରିବ ।"
ଶରତ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଗତକାଲି AICCର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେଣ୍ଟ୍ରାଲ ଇଲେକ୍ସନ କମିଟି ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ମୋହର ମାରିଛି । ଆସନ୍ତାକାଲି ଯେ, କୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ତାଲିକା ଘୋଷଣା ହେବ । ପ୍ରାୟ 50ରୁ ଅଧିକ ବିଧାନସଭା ପ୍ରାର୍ଥୀ ଏବଂ 15 ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହେବ । ବାକି ଥିବା ସିଟ ଗୁଡିକ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ଖୁବଶୀଘ୍ର ଘୋଷଣା କରାଯିବ । ଖୁବଶୀଘ୍ର ପ୍ରଚାର କାର୍ଯ୍ୟ ଆରମ୍ଭ ହେବ ।
ଇଟିଭି ଭାରତ, ଭୁବନେଶ୍ବର