ରାୟଗଡ଼ା: ଆଜି ରାୟଗଡ଼ା ଆସିବେନି ରାହୁଲ ଗାନ୍ଧୀ । ରାୟବରେଲୀରୁ ଆଜି ନାମାଙ୍କନ ଦାଖଲ କରିବା ପାଇଁ କଂଗ୍ରେସ ନେତାଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଥିବା କୁହାଯାଉଛି । ଏନେଇ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ସୂଚନା ଦେଇଛି । ପ୍ରଚାର କାର୍ଯ୍ୟକ୍ରମ ପାଇଁ ଆଜି (ଶୁକ୍ରବାର) ରାହୁଲ ଦିନିକିଆ ରାୟଗଡା ଗସ୍ତରେ ଆସିବାର ଥିଲା । ସେ ସ୍ଥାନୀୟ ଜିଆଇଏସିଆର କଲେଜ ନିକଟସ୍ଥ ଜେଏସକୋ ପଡିଆଠାରେ ଏକ ଜନସଭା ସମ୍ବୋଧନ କରିଥାନ୍ତେ । ହେଲେ ଶେଷ ମୁହୂର୍ତ୍ତରେ ତାଙ୍କର ଏହି କାର୍ଯ୍ୟକ୍ରମ ବାତିଲ ହୋଇଛି ।
ରାହୁଲ ଗାନ୍ଧୀ ଉତ୍ତପ୍ରଦେଶର ରାୟବରେଲୀରୁ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ ନାମାଙ୍କନ ଦାଖଲର ଆଜି ଶେଷ ତାରିଖ । ତେଣୁ ନାମାଙ୍କନ ଭରିବା ପାଇଁ ରାହୁଲ ରାୟବରେଲୀ ଯିବେ । ଏଥିପାଇଁ ରାୟଗଡା ଆସିବେ ନାହିଁ ବୋଲି କୁହାଯାଉଛି । ତେବେ ଆଜି ଦିନ ୧୨ଟାରେ କଂଗ୍ରେସ ନେତା ରାୟଗଡାରେ ପହଞ୍ଚିଥାନ୍ତେ । ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସେ ବିଶାଖାପାଟଣାରୁ ରାୟଗଡାରେ ପହଞ୍ଚି ଜେଏସକୋ ପଡିଆଠାରେ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇଥାନ୍ତେ । ତେବେ ଆଜିର ଗସ୍ତ ବାତିଲ୍ ବାତିଲ ପରେ ଆଉ କେବେ ରାହୁଲ ରାୟଗଡାକୁ ଆସିବେ ସେନେଇ କୌଣସି ସୂଚନା ଦିଆଯାଇନି ।
ତେବେ ରାହୁଲ ଆସୁନଥିଲେ ହେଁ ଆଜି ରାୟଗଡା ଜେଏସକୋ ପଡିଆରେ କଂଗ୍ରେସର ବିଶାଳ ଜନସଭା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି ସହ ଗଞ୍ଜାମ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେବା ସହ ତେଲେଙ୍ଗନାର ଉପ-ମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମଜୀ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର, ରାଜୀବ ଗାନ୍ଧୀ ପଞ୍ଚୟତରାଜ ସଂଗଠନ ସଭାପତି ମିନାକ୍ଷୀ ନାଟରାଜନ , ପିସିସି ସଭାପତି ଶରତ ପଟ୍ଟନାୟକ, ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ରବିନ୍ଦ୍ର ଡାଲଭି, ଶାହାନବାଜ ଚୌଧୁରୀଙ୍କ ଏବଂ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଯୋଗଦେବା ନେଇ ସୂଚନା ରହିଛି ।
ଇଟିଭି ଭାରତ, ରାୟଗଡ଼ା