ଭୁବନେଶ୍ବର: ପୂର୍ବ ସରକାରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିସ୍ଫୋରକ ବୟାନ । ରାଜ୍ୟର ଭବିଷ୍ୟତ ସହ ପୂର୍ବ ସରକାର ପ୍ରତାରଣା କରୁଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, "ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ।" ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅନୁଚିତ ସାଧନର ନିବାରଣ)ବିଲ -୨୦୨୪କୁ ବିଚାରକୁ ନେବା ପାଇଁ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
JEE ପରୀକ୍ଷା ଚଞ୍ଚକତା:
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ହାତୁଡ଼ିରେ ପ୍ରହାର କରୁଥିଲା । ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି । ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା । ଦୁର୍ନୀତିରେ ଭରି ରହିଥିଲା । ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ । ଯେଉଁ ଅଧିକାରୀ ଦାୟିତ୍ୱରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସମ୍ପୃକ୍ତ ରହୁଥିଲେ । ଯାହାର ଉଦାହରଣ ୨୦୨୩ ମସିହାର JEE ପରୀକ୍ଷା । ଖାଲି ସେତିକି ନୁହେଁ, ଖୋଦ ସଚିବାଳୟରେ ବି ନିଯୁକ୍ତିରେ ବଡ଼ ଚଞ୍ଚକତା ହୋଇଛି ।"
'ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଥିଲେ'
"ASO ସିଟ୍ ବି ବିକ୍ରି ହୋଇଥିଲା । ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା ଚୁପ୍ କାହିଁକି ଥିଲେ ପୂର୍ବ ସରକାର ? ସରକାରଙ୍କ ଉପରେ ଥିଲେ ରାକେଟ ବେପାରୀ । ଛାତ୍ରଛାତ୍ରୀମାନଙ୍କ ପରିବାର ନିଜ ଦୁଃଖକୁ ଚାପି ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଜମି ବିକ୍ରି କରି ବି ପିଲାଙ୍କୁ କୋଚିଂରେ ପଢ଼ାଉଥିଲେ । କିନ୍ତୁ ନିଯୁକ୍ତି ବେଳକୁ ସେମାନଙ୍କୁ ନାହିଁ । ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲେ" ବୋଲି କହି ବର୍ଷିଛନ୍ତି ମୋହନ ।
ଏହା ବି ପଢନ୍ତୁ...ASO ଚୟନ ଅନିୟମିତତା ମାମଲା; ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
ଏହା ବି ପଢନ୍ତୁ...ASO ଚୟନ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ସେପ୍ଟେମ୍ବର ୨୧ରେ ପରବର୍ତ୍ତୀ ଶୁଣାଣି
'ଆଗକୁ ଦେଢ ଲକ୍ଷ ନିଯୁକ୍ତି'
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହୁରି କହିଛନ୍ତି, "ଯାହା ପାଇଁ ସେମାନେ ବି ସୁଇସାଇଡ କରିଦେଇଛନ୍ତି। ଆଗକୁ କିନ୍ତୁ ଏମିତି ହେବ ନାହିଁ। ଅନ୍ୟ ରାଜ୍ୟ ପରି ଏପରି ଘଟଣା ଘଟିବାକୁ ଦେବୁ ନାହିଁ । ଏଥିପାଇଁ ଏହି ଆଇନ ଆସିବାର ଆବଶ୍ୟକତା ରହିଛି। ଧାରା ୧୨(୧)ରେ ଜେଲ ଯିବା ସହ ଜରିମାନା ଦେବେ । ଧାରା ୧୨(୨) ଅନୁଯାୟୀ, ତାଙ୍କ ଅନୁଷ୍ଠାନକୁ ବାତିଲ କରିବା ସହ ତାହାକୁ ଜବତ କରାଯିବ।" ଅପରାଧୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । "ସ୍ୱଚ୍ଛତା ଓ ସାଧୁତା ଆମ ସରକାର ଦାୟିତ୍ଵ । ଯାହା ପ୍ରତିଶ୍ରୁତି ଦେଇଛୁ ତାହା କରି ଦେଖାଇବୁ । ପୂର୍ବ ସରକାର ଆଉଟ୍ ସୋର୍ସରେ ରହିଯାଇଥିଲେ । ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଯାଇଥିଲେ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ଥିବା ସମସ୍ତ ଖାଲି ପଦବୀ ପୂରଣ ହେବ। ଯାହା ସ୍ୱଚ୍ଛତା ଓ ନିରପେକ୍ଷତା ହେବ। ସେଥିପାଇଁ ଏହି ଆଇନ ସହାୟକ ହେବ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର