ପାଟନା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ନଓ୍ବାଦାରେ ନିର୍ବାଚନୀ ପ୍ରଚାର କରିଛନ୍ତି । ବିହାରରେ ‘ଏନଡିଏ’ ମେଣ୍ଟ ମିଳିତ ଭାବେ ନିର୍ବାଚନ ଲଢୁଛି । ସ୍ଥାନୀୟ ମୁଖ୍ୟମନ୍ତ୍ରୀ ତଥା ‘ଜନତା ଦଳ-ସଂଯୁକ୍ତ’ର ମୁଖ୍ୟ ନୀତିଶ କୁମାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ନିର୍ବାଚନ ପ୍ରଚାର କରିଛନ୍ତି । ଆଜି ଉଭୟ ନେତାଙ୍କୁ ଏକାଠୀ ନିର୍ବାଚନୀ ସଭାମଞ୍ଚରେ ଦେଖିବାକୁ ମିଳିଛି । ତେବେ ଏକାଧିକ ଘଟଣାକ୍ରମରେ ଆଜି ନୀତିଶଙ୍କ ବ୍ୟବହାର ଚର୍ଚ୍ଚାକୁ ଆସିଛି । ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ବସିଥିବା ବେଳେ ତାଙ୍କ ପାଦ ସ୍ପର୍ଶ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ସେ ସମ୍ବୋଧିତ କରିବା ବେଳେ ମଧ୍ୟ ଅତି ଉତ୍ତେଜିତ ହୋଇ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ଛଳରେ ବିଜେପି ଏଥର 4 ହଜାର ଆସନରେ ବିଜୟୀ ହେବାକୁ ଯାଉଛି ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପାଦ ସ୍ପର୍ଶ ଘଟଣାକୁ ଆରଜେଡି ନେତା ତଥା ନୀତିଶଙ୍କ ପୂର୍ବ ସହଯୋଗୀ ତେଜସ୍ବୀ ଯାଦବ କଡା ସମାଲୋଚନା କରିଛନ୍ତି । ନୀତିଶ ତାଙ୍କ ଅଭିଭାବକ ପରି । ସେ ପ୍ରଧାନମନ୍ତ୍ରୀଙ୍କ ପାଦ ସ୍ପର୍ଶ କରିବା ତାଙ୍କୁ ଲଜ୍ଜିତ କରିଛି । ହେଲେ କିଛି ତ ବାଧ୍ୟବାଧକତା ଥିବ, ସେଥିପାଇଁ ନୀତିଶ ଏପରି କରିବାକୁ ବାଧ୍ୟ ହେଲେ ବୋଲି ତେଜସ୍ବୀ କହିଛନ୍ତି ।
ତେବେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ନୀତିଶଙ୍କ ଭାଷଣ ମଧ୍ୟ ବେଶ ରୋଚକ ଥିଲା । ସେ ଅନ୍ୟମନସ୍କ ଭାବେ କହିଥିଲେ ବିଜେପି ଏଥର 4ଲକ୍ଷ ସିଟରେ ଜିତିବ, ପୁଣି ଏହାକୁ ସଂଶୋଧନ କରି 4 ହଜାର ଆସନରେ ଜିତିବାକୁ ଯାଉଛି ବୋଲି କହିଥିଲେ । ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ । ତେବେ ନୀତିଶଙ୍କ ପରି ଜଣେ ଅଭିଜ୍ଞ ଓ ଅନୁଭବୀ ନେତାଙ୍କର ଏପରି ଅନ୍ୟମନସ୍କ ଟିପ୍ପଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମବୟସ୍କ ନୀତିଶ ତାଙ୍କ ପାଦ ସ୍ପର୍ଶ କରିବାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି ।
ତେବେ କିଛି ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ବିଜେପିର କଡା ସମାଲୋଚକ ଥିବା ନୀତିଶ ଇଣ୍ଡିଆ ମେଣ୍ଟ ଗଠନର ସୂତ୍ରଧର ଥିଲେ । ହେଲେ ଏବେ ନିର୍ବାଚନ ସମୟରେ ନୀତିଶ ତାଙ୍କୁ ସମାଲୋଚନା କରାଯାଉଥିବା ‘ପଲଟୁରାମ’ କଟାକ୍ଷକୁ ଉଚିତ ସାବ୍ୟସ୍ତ କରିବା ପରି ଘଟଣାକ୍ରମରେ ‘ଏନଡିଏ’ରେ ସାମିଲ ହୋଇଛନ୍ତି । ଯାହାକୁ ନେଇ କଂଗ୍ରେସ ଆରଜେଡି ଓ ତମାମ ବିରୋଧୀ ଦଳର ନେତା ନୀତିଶଙ୍କ ରାଜନୈତିକ ବିଚାରଧାରା ଉପରେ ପ୍ରଶ୍ନ କରିବା ସହ ସମାଲୋଚନା ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ