ଭୁବନେଶ୍ବର: ବିଜେଡି ସରକାର ସମୟରେ ଅନେକ ଜନହିତକର କାମ ହୋଇଛି । ୨୦୦୦ ମସିହାରେ ରାଜ୍ୟର 70 ଭାଗ ଲୋକ ଗରିବ ଥିଲେ । ୨୦୨୪ ବେଳକୁ ମାତ୍ର ୧୦ ପ୍ରତିଶତ ଗରିବ ରେଖା ତଳେ । ଅନୁସୂଚିତ ଜାତିର ସ୍ୱାର୍ଥରକ୍ଷା ପାଇଁ ଲଢେଇ କରିବ ବିଜେଡି । ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର । ଏହା କହିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର:
ବିଜେଡି ଅନୁସୂଚିତ ଜାତି ସେଲର ଏକ ବୈଠକ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ବିଜେଡିର ସମସ୍ତ ଅନୁସୂଚିତ ଜାତିର ନେତୃମଣ୍ଡଳୀ ଯୋଗ ଦେଇଛନ୍ତି । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ନବୀନ କହିଛନ୍ତି,"ଅନୁସୂଚିତଙ୍କ କଲ୍ୟାଣ ଲାଗି ବିଜେଡି ପ୍ରତିଶ୍ରୁତିବଦ୍ଧ । " ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ମହେଶ ସାହୁ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ବୈଠକରେ ନିଜର ମତାମତ ରଖିଛନ୍ତି ।
'ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର ':

ସେହିପରି ଆରମ୍ଭ ହୋଇଥିବା ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆଜି କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ପୃଥକ ପୃଥକ ବୈଠକ ହୋଇଛି । ବିଜେଡିର ସଭାପତି ଦୁଇ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି । ସେମାନଙ୍କ ମତାମତ ଶୁଣିଛନ୍ତି । ନବୀନ କହିଛନ୍ତି,"ବିଜେପି ଦ୍ୱାରା ଦିଆଯାଇଥିବା ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର । ଥାନାରେ ମହିଳା ଅସୁରକ୍ଷିତ ହୋଇ ପଡ଼ୁଛନ୍ତି । ରାଜଭବନରେ କର୍ମଚାରୀ ମାଡ଼ ଖାଉଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ଥିବା ପରି ମନେ ହେଉନାହିଁ । ସୁଭଦ୍ରା ଯୋଜନାରେ ବିଜେପି ଦୁଇ ବର୍ଷରେ 50 ହଜାର, ୩୦୦ ୟୁନିଟ ବିଜୁଳି ମାଗଣା, ସମସ୍ତ ବର୍ଗର ବାର୍ଦ୍ଧକ୍ୟ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି, ବିଜେପିର ସବୁ ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କର ।"
'ଲୋକଙ୍କ ଭଲ ପାଇବା ଏବେ ବି ଆମ ସାଥିରେ ରହିଛି':

ସେ ଆହୁରି କହିଛନ୍ତି, "ବିଜେଡି ରାଜ୍ୟର ଶାସନ ଭାର ଦାୟିତ୍ୱ ନେଲାବେଳେ ରାଜ୍ୟର 70 ଭାଗ ଲୋକ ଗରିବ ରେଖାର ତଳେ ଥିଲେ । ଯାହା ୨୦୨୪ ବେଳକୁ ଏହା ଦଶ ପ୍ରତିଶତକୁ ଖସି ଆସିଛି । ବିଜେଡି ଆଉ ପାଞ୍ଚ ବର୍ଷ କ୍ଷମତାକୁ ଆସିଥିଲେ, ଓଡିଶାରୁ ଗରିବ ସମ୍ପୂର୍ଣ୍ଣ ରୂପେ ଦୂର ହୋଇ ପାରିଥାନ୍ତା । ବିଜେଡି ସରକାରରେ ଥିଲାବେଳେ ରାଜ୍ୟରେ ଅନେକ ଜନହିତକର କାର୍ଯ୍ୟ ହୋଇଛି । ଲୋକଙ୍କ ଭଲ ପାଇବା ଏବେ ବି ଆମ ସାଥିରେ ରହିଛି । ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।"
କେନ୍ଦ୍ରାପଡ଼ା ସହ ବିଜୁ ବାବୁଙ୍କ ସମ୍ପର୍କ ସ୍ୱତନ୍ତ୍ର:

ସେ ଆହୁରି କହିଛନ୍ତି, "କେନ୍ଦ୍ରାପଡ଼ା ସହ ତାଙ୍କର ଓ ବିଜୁ ବାବୁଙ୍କ ସମ୍ପର୍କ ସ୍ୱତନ୍ତ୍ର ହୋଇ ରହିଛି । ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କ ପରିବାରର ସମ୍ପର୍କ ଖୁବ ପୁରୁଣା ।" କେନ୍ଦ୍ରାପଡା ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ସଂଯୋଜନା କରିଥିବା ବେଳେ ଗଜପତି ବୈଠକରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସଂଯୋଜନା କରିଛନ୍ତି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କେନ୍ଦ୍ରାପଡ଼ା ବୈଠକରେ ଉପସ୍ଥିତ ଥିଲେ । ସେହିପରି ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ସମସ୍ତ ବ୍ଲକ ଅଧ୍ୟକ୍ଷ ଜିଲ୍ଲାର ବିଜେଡି ସଂଗଠନକୁ ଅଧିକ ମଜବୁତ କରିବେ ବୋଲି ଦୃଢ଼ ସଙ୍କଳ୍ପ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର