ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟର ମତଦାନ ଶେଷ ହୋଇଛି । ଆହୁରି 3 ପର୍ଯ୍ୟାୟ ପରେ ଜୁନ 4ରେ ଆସିବ ଫଳାଫଳ । ତେବେ ପ୍ରଥମ ପର୍ଯ୍ୟାୟରେ ଆଗୁଆ ଥିବା ନେଇ ଏବେଠାରୁ ଦାବି କଲେଣି ବିଭିନ୍ନ ରାଜନୈତିକ ଦଳ । ତେବେ ବିଜେଡିକୁ ଉଲ୍ଲେଖନୀୟ ସଫଳତା ମିଳିବ ଏବଂ ପ୍ରଥମ ପର୍ଯ୍ୟାୟ ନିର୍ବାଚନର 90 ପ୍ରତିଶତରୁ ଅଧିକ ଆସନରେ ଦଳ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି । ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବ ଓ ଏ ସଫଳତା ଦଳୀୟ କର୍ମୀଙ୍କୁ ଅଧିକ କାମ କରିବା ପାଇଁ ସହାୟକ ହେବ ବୋଲି କହି ଦମ୍ଭୋକ୍ତି ବାଢ଼ିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ।
ବିଜେଡି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ମତଦାନ ନେଇ ବିଭିନ୍ନ ଫିଡ୍ବ୍ୟାକ୍ ଆସୁଛି । ଫିଡବ୍ୟାକ୍ ଅନୁଯାୟୀ ଗୋଟିଏ କଥା ସ୍ପଷ୍ଟ ହୋଇଛି । ବିଜୁ ଜନତା ଦଳ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି । 2019 ନିର୍ବାଚନ ତୁଳନାରେ ଦଳର ପ୍ରଦର୍ଶନ 2024ରେ ଆହୁରି ଭଲ ରହୁଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ 90 ପ୍ରତିଶତରୁ ଅଧିକ ଆସନରେ ଦଳ ବାଜିମାତ କରୁଛି । ଏଥିପାଇଁ ଆମେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ । ଜନସାଧାରଣଙ୍କ ଆଶୀର୍ବାଦ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛୁ । ଏହା ହିଁ ଦର୍ଶାଉଛି ଯେ ଆଗାମୀ ସମସ୍ତ ପର୍ଯ୍ୟାୟରେ ବିଜୁ ଜନତା ଦଳ ଉଲ୍ଲେଖନୀୟ ସଫଳତା ପାଇବ । ସାଢେ 4 କୋଟି ଓଡିଶାବାସୀଙ୍କ ସେବାରେ ନିୟୋଜିତ ରହିବ ।"
ପ୍ରକାଶ ଥାଉ, ଆଜି ଦେଶରେ 4ର୍ଥ ଓ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅଧିନ 28 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ କରିଛନ୍ତି ଭୋଟର । ଏହାକୁ ନେଇ ଓଡ଼ିଶା ଅଦ୍ଭୁତପୂର୍ବ ପରିବର୍ତ୍ତନ ହେବ ବୋଲି ପ୍ରଥମେ ଦୃଢୋକ୍ତି ବାଢ଼ିଥିଲେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ଏହି 4 ଲୋକସଭା ଓ 28 ବିଧାନସଭା ଆସନରୁ 90 ପ୍ରତିଶତ ବିଜେଡି ଖାତାକୁ ଯିବ ଓ 2019 ନିର୍ବାଚନ ତୁଳନାରେ 2024ରେ ବିଜେଡି ବଡ଼ ବିଜୟ ହାସଲ କରିବ ବୋଲି କହିଛନ୍ତି ସସ୍ମିତ ପାତ୍ର ।
ଇଟିଭି ଭାରତ, ଭୁବନେଶ୍ବର